ଭାରତ ଉପରେ ଆମେରିକାର ଚାପ : ଭେନେଜୁଏଲାଠାରୁ ତେଲ କିଣନା‌ହିଁ

ୱାସିଂଟନ(ପିଟି): ଲାଟିନ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାଠାରୁ ଭାରତ ଯେଭଳି ଅଶୋଧିତ ତେଲ ନକିଣିବ ସେ ନେଇ ଆମେରିକା ପ୍ରଚେଷ୍ଟା ଆରମ୍ଭ କରିଦେଇଛି। ଏ ନେଇ ଭାରତ ଉପରେ ଆମେରିକା ଏକପ୍ରକାର ଚାପ ପକାଇବା ଆରମ୍ଭ କରିଦେଇଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କ ପାଇଁ ଭାରତ ଅର୍ଥନୈତିକ ଜୀବନ ରେଖା ହେବନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ଆଜି ଆଶାବ୍ୟକ୍ତ କରିଛନ୍ତି।

ଭେନେଜୁଏଲା ରାଷ୍ଟ୍ରପତି ମାଡୁରୋଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଦେଶ ଭିତରୁ ଏବଂ ବାହାରୁ ପ୍ରବଳ ଚାପ ପଡ଼ୁଛି। ଫଳରେ ମାଡୁରୋ କ୍ଷମତାରେ ରହିବା ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ଭେନେଜୁଏଲାର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଚଳାଇଛନ୍ତି। ଭେନେଜୁଏଲା ହେଉଛି ଭାରତର ତୃତୀୟ ବୃହତ୍ ତୈଳ ଯୋଗାଣକାରୀ ରାଷ୍ଟ୍ର। ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଏବେ ଆମେରିକା ଗସ୍ତରେ ଥିବାରୁ ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଅନ୍ୟ ଦେଶଗୁଡ଼ିକୁ ଯେଉଁ ଅନୁରୋଧ କରାଯାଉଛି ଭାରତକୁ ମଧ୍ୟ ତାହା କରାଯାଇଛି। ମାଡୁରୋ ସରକାରଙ୍କ ଅର୍ଥନୈତିକ ଜୀବନରେଖା ନହେବା ପାଇଁ କୁହାଯାଇଛି। ଭେନେଜୁଏଲା ପ୍ରସଙ୍ଗ ଦୁଇ ଦେଶର ବୈଦେଶିକ ସଚିବଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କ’ଣ ଆଲୋଚନା ହୋଇଛି ତାହା ପ୍ରକାଶ କରିବାକୁ ପମ୍ପିଓ ମନା କରିଦେଇଛନ୍ତି। ଇରାନ କ୍ଷେତ୍ରରେ ଭାରତ ଯେଭଳି ଆମେରିକାକୁ ସହଯୋଗ କରିଛି ଭେନେଜୁଏଲା କ୍ଷେତ୍ରରେ ମଧ୍ୟ ସେଭଳି ସହଯୋଗ କରିବ ବୋଲି ପମ୍ପିଓ ଆଶାବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତମାସରେ ଭେନେଜୁଏଲାର ତୈଳ ମନ୍ତ୍ରୀ ଏବଂ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ପିଡିଭିଏସଏର ସଭାପତି ମାନୁ‌ଏଲ କ୍ୟୁଭେଡ଼ୋ ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ କଟକଣା ପ୍ରଭାବିତ ଏହି ଦେଶ ଭାରତକୁ ଅଧିକ ତେଲ ବିକ୍ରି କରିବାକୁ ଚାହୁଛି। ଭେନେଜୁଏଲାର ତେଲ ରପ୍ତାନି ଉପରେ ଲଗାମ ଲଗାଇ ମାଡୁରୋଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ଆମେରିକା ଏହି ଦେଶର ତୈଳ କମ୍ପାନି ପିଡିଭିଏସଏ ଉପରେ କଟକଣା ଲଗାଇଛି। ତେବେ ଗ୍ରାହକଙ୍କୁ ତେଲ ରପ୍ତାନି କରିବା ପାଇଁ ପିଡିଭିଏସଏ ଏହାର ପ୍ରଚେଷ୍ଟା ଜାରି ରଖିଛି। ଭେନେଜୁଏଲା ଏବେ ଦିନକୁ ୧.୫୭ ନିୟୁତ ବ୍ୟାରେଲ ତେଲ ଉତ୍ତୋଳନ କରୁଛି। ଭାରତ ଭଳି ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଆମେରିକା ଭେନେଜୁଏଲାଠାରୁ ତେଲ ନକିଣିବା ପାଇଁ ଚାପ ପକାଇ ଆସୁଛି।

ସମ୍ବନ୍ଧିତ ଖବର