ନୂଆଦିଲ୍ଲୀ : ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ (ଫେଡ୍) ବୁଧବାର ପୁଣି ଥରେ ଋଣ ମହଙ୍ଗା କରିଛି। ଫେଡ୍ ସୁଧ ହାରକୁ ୨୫ ବେସିସ ପଏଣ୍ଟ ବୃଦ୍ଧି କରି ସୁଧ ହାରକୁ ୫.୨୫ରୁ ୫.୫୦ ପ୍ରତିଶତ ମଧ୍ୟରେ ଆଣିଛି, ଯାହା କି ୨୨ ବର୍ଷର ସର୍ବୋଚ୍ଚ ସ୍ତର। ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଫେଡ୍ ରିଜର୍ଭ ଋଣ ମହଙ୍ଗା କରିଛି। ଏହାର ଲକ୍ଷ୍ୟ ହେଉଛି ମୁଦ୍ରାସ୍ଫୀତି ହାରକୁ ୨ ପ୍ରତିଶତକୁ ଆଣିବା । ଆମେରିକାର ଫେଡେରାଲ ରିଜର୍ଭ ଦ୍ବାରା ସୁଧହାର ବୃଦ୍ଧି କରିବାର ପ୍ରଭାବ କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ବର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ । ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥା ବି ଅଛୁଆଁ ରହିପାରିବ ନାହିଁ ।
ଫେଡ ଦ୍ବାରା ସୁଧହାର ବଢିବା ଖବର ଆସିବା ପରେ ଭାରତୀୟ ଷ୍ଟକବଜାରରେ ହ୍ରାସ ଦେଖାଦେଇଛି । ସେନସେକ୍ସ ୪୪୦ ପଏଣ୍ଟ ଓ ନିଫଟୀ ୧୧୮ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି ।
କିନ୍ତୁ ପ୍ରଶ୍ନ ଉଠୁଛି ଫେଡ୍ ରିଜର୍ଭର ଏହି ନିଷ୍ପତ୍ତିର ପ୍ରଭାବ ଭାରତ ଉପରେ କ'ଣ ପଡ଼ିବ। ୨୦୨୩ ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇର ମୁଦ୍ରାନୀତି କମିଟିର ବୈଠକ ବସିବ। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧବାର ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିପାରେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଏପ୍ରିଲ ଓ ଜୁନରେ ଅନୁଷ୍ଠିତ ଋଣନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖିଥିଲା । କିନ୍ତୁ ଏବେ ଦେଶରେ ମୁଦ୍ରାସ୍ପୀତି ବଢିଥିବାରୁ ଅଗଷ୍ଟରେ ରେପୋ ହାର ବଢାଇବାର ସମ୍ଭାବନା ରହିଛି ।