ଉତ୍କଳ ଆଲୁମିନା ଉତ୍ପାଦନ କ୍ଷମତା ବଢ଼ିଲା: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆଉ ୭୨୦୦ କୋଟି ନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ୍‌

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ଥିବା ଉତ୍କଳ ଆଲୁମିନା କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ କମ୍ପାନି ୧୫୦୦ କୋଟି ଟଙ୍କା ନିବେଶ କରିଛି। ପୂର୍ବରୁ କାରଖାନାର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍ ଥିଲା। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରୁ ଓଡ଼ିଶାର ଅର୍ଥନୀତି ସୁଧୁରିବା ସହିତ ଟ୍ରାକ୍‌କୁ ଫେରୁଛି। କରୋନା ସତ୍ତ୍ବେ ନିବେଶକମାନେ ଓଡ଼ିଶାରେ ସେମାନଙ୍କ ପ୍ରକଳ୍ପ ସଂପ୍ରସାରଣ କରୁଛନ୍ତି। ମହାମାରୀ ଆରମ୍ଭରୁ ବର୍ତ୍ତମାନ ସୁ୍ଦ୍ଧା ଓଡ଼ିଶାକୁ ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ଆସିଛି। ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ସକାରାତ୍ମକ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଗତ ବର୍ଷ ଗୁଡ଼ିକରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛି। ରାଜ୍ୟରେ ତାଙ୍କ ଗ୍ରୁପର ୮ଟି ବ୍ୟବସାୟର ବ୍ୟାପକ ଉପସ୍ଥିତି ରହିଛି।

ଏଗୁଡ଼ିକରେ ପ୍ରାୟ ୩୫ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଏଥିସହିତ ଆଗାମୀ ଦିନରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୭୨୦୦ ‌କୋଟି ଟଙ୍କା ନିବେଶ କରିବ। ଏଥିରୁ ହିଣ୍ଡାଲକୋ ପାଇଁ କମ୍ପାନି ୩୦୦୦ କୋଟି ଟଙ୍କା ନିବେଶ କରିବ। ହିରାକୁଦ ଏବଂ ଆଦିତ୍ୟରେ ଫ୍ଲାଟ ରୋଲ୍‌ଡ ପ୍ରକଳ୍ପ ପାଇଁ ଏହି ନିବେଶ ହେବ ବୋଲି ଏହି ଅବସରରେ କମ୍ପାନି ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା କହିଛନ୍ତି। ଉତ୍କଳର ସଂପ୍ରସାରଣ ଏବଂ ହିଣ୍ଡାଲକୋର ଆଦିତ୍ୟ ଏବଂ ହିରାକୁଦରେ ଆନୁସଙ୍ଗିକ ଶିଳ୍ପର କ୍ଷମତା ବୃଦ୍ଧି ଦ୍ବାରା ଓଡ଼ିଶା ବିଶ୍ବର ଅନ୍ୟତମ ବୃହତ୍, ଅତ୍ୟାଧୁନିକ ଫ୍ଲାଟ୍ ରୋଲ୍‌ଡ ଆଲୁମିନିୟମ ଉତ୍ପାଦ ପ୍ଲାଣ୍ଟରେ ପରିଣତ ହେବ ବୋଲି ହିଣ୍ଡାଲ‌କୋର ଏମଡି ସତୀଶ ପାଇ କହିଛନ୍ତି। ବିଶ୍ବରେ ଭାରତ ତୃତୀୟ ବୃହତ୍ ଆଲୁମିନିୟମ ଉତ୍ପାଦନକାରୀ‌। ହିଣ୍ଡାଲକୋର ଅତିରିକ୍ତ କ୍ଷମତା ସହିତ ଓଡ଼ିଶା ଏ କ୍ଷେତ୍ରରେ ଦେଶର ଦୁଇ ଦୁଇତୃତୀୟାଂଶ ଆଲୁମିନିୟମ ଉତ୍ପାଦନ କରିବ। ଏଥିପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ହିଣ୍ଡାଲକୋ ଗର୍ବ ଅନୁଭବ କରୁଥିବା ଶ୍ରୀ ପାଇ କହିଛନ୍ତି।

 

ସମ୍ବନ୍ଧିତ ଖବର