ଭୁବନେଶ୍ବର: ଉତ୍କଳ ହସ୍ପିଟାଲ୍ ଆଣ୍ଡ୍ କମ୍ପ୍ରେନ୍ସିଭ୍ କ୍ୟାନସର ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ରେ ସମୃଦ୍ଧ ଓ ଉନ୍ନତମାନର ମେସିନ୍ ଓ ଉପକରଣ ରହିଛି। ବିଏସ୍କେୱାଇ ଅଧୀନରେ ସେବା ପ୍ରଦାନ କରୁଥିବା ଏହା ସର୍ବବୃହତ ହସ୍ପିଟାଲ୍। ସରକାରୀ କଲ୍ୟାଣମୂଳକ ସ୍କିମ୍ର ଲାଭକୁ ଏଠାରେ ବ୍ୟାପକ ଭାବେ ପ୍ରଦାନ କରାଯାଉଛି। ହସ୍ପିଟାଲ୍ରେ ୭୦୦ କର୍ମଚାରୀ ଓ ୧୦୦ ଡାକ୍ତରଙ୍କ ଏକ ଟିମ୍ କାର୍ଯ୍ୟ କରୁଛି। ହସ୍ପିଟାଲ୍ରେ ଅଙ୍କୋଲୋଜି, ଅର୍ଥୋପେଡିକ୍, କାର୍ଡିଓଲୋଜି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଇଣ୍ଟରନାଲ୍ ମେଡିସିନ୍, ସର୍ଜରି ପାଇଁ ଶ୍ରେଷ୍ଠ ଡାକ୍ତରଙ୍କ ଟିମ୍ ରହିଛନ୍ତି। ହସ୍ପିଟାଲ୍ରେ ଷ୍ଟେଟ୍ ଅଫ୍ ଆର୍ଟ ଲାମିନାର ଓଟି ରହିଛି। ଆଗାମୀ ଦିନରେ ଏହାକୁ ୪୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଭାବେ ଗଢ଼ି ତୋଳିବାକୁ ଯୋଜନା ରହିଥିବା ହସ୍ପିଟାଲ୍ର ଏମ୍ଡି ପ୍ରଜ୍ଞାନ ଘଡ଼େଇ ସୂଚନା ଦେଇଛନ୍ତି।
ଉଦ୍ଘାଟନ ଉତ୍ସବ ଅବସରରେ ଉତ୍କଳ ହସ୍ପିଟାଲ୍ ଅଧ୍ୟକ୍ଷ ଆଦିତ୍ୟ କୁମାର ସାମଲ କହିଛନ୍ତି ଯେ ବାସ୍ତବରେ ଏହା ଡାକ୍ତରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏକ ହସ୍ପିଟାଲ୍। ଏହା ଦେଶର ପ୍ରଥମ ହସ୍ପିଟାଲ୍, ଯାହାକି ରାଜ୍ୟର ବିଏସ୍କେୱାଇ ଯୋଜନାକୁ ଏମ୍ପ୍ୟାନେଲ୍ କରିଥିଲା। ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ ଲାଗି ଆମେ ଆମେରିକା ଶୈଳୀର ହସ୍ପିଟାଲ୍ ନିର୍ମାଣ କରିବାକୁ ଯୋଜନା ରଖିଥିଲୁ। ୨୦୧୦ରେ ଓଡ଼ିଶା ସରକାର ହସ୍ପିଟାଲ ପାଇଁ ଜମି ଯୋଗାଇ ଦେଇଥିଲେ। ତାହା ଆଜି ଚୂଡ଼ାନ୍ତ ରୂପ ନେଇଛି। କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଭୁବନେଶ୍ବର ସମେତ ରାଜ୍ୟବାସୀଙ୍କ ଲାଗି ଏହି ହସ୍ପିଟାଲ ବେଶ୍ ସହାୟକ ହେବ ବୋଲି କହିଥିଲେ। ହସ୍ପିଟାଲ ସିଓଓ ଆଲୋକ ଲୋଧ, ଡାଇରେକ୍ଟର ଅନ୍କୋଲୋଜି ରଞ୍ଜନ କୁମାର ମହାପାତ୍ରଙ୍କ ସମେତ ହସ୍ପିଟାଲର ବୋର୍ଡ ଅଫ ଡାଇରେକ୍ଟରମାନେ ଉପସ୍ଥିତ ଥିଲେ। ହସ୍ପିଟାଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍ସର୍ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହେବ ଏବଂ ସେ ମେଡିକାଲ୍ ସେବାର ନିର୍ଦେଶକ ଓ କ୍ୟାନ୍ସର ୟୁନିଟ୍ର ଏଚ୍ଓଡି ଭାବେ କାର୍ଯ୍ୟ କରିବେ।