ଭୁବନେଶ୍ବର: ରାଜ୍ୟ ସରକାର ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆୟୋଜନ କରିବେ। ଏହାର ୱେବ୍ସାଇଟ୍ ‘mio.investodisha.gov.in’କୁ ମଙ୍ଗଳବାର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଏହି ୱେବସାଇଟ୍ କନ୍କ୍ଳେଭ୍ ଲାଗି ପଞ୍ଜୀକରଣ କରିବାର ପ୍ରବେଶ ପଥ। ଏଥିରେ ଯୋଡ଼ି ହେବା ଲାଗି ସେ ସମସ୍ତ ଶିଳ୍ପ ନେତୃବୃନ୍ଦ, ଉତ୍ସାହୀ ଓ ସଂଘଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା ୨୦୨୫ ସମ୍ପର୍କିତ ସମସ୍ତ ବିବରଣୀ ୱେବସାଇଟ୍ରେ ରହିଛି। ଓଡ଼ିଶାକୁ ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରୀୟ ହବ୍ରେ ପରିଣତ କରିବା ଲାଗି ୱେବସାଇଟ୍ରେ ପଞ୍ଜୀକରଣ କରିବାକୁ ସେ ସମସ୍ତ ଅଂଶୀଦାରଙ୍କୁ ଆମନ୍ତ୍ରଣ କରିଛନ୍ତି।
ୱେବସାଇଟ୍ରେ ବିଭିନ୍ନ କ୍ଷେତ୍ରୀୟ ଅଧିବେଶନ ଲାଗି ପଞ୍ଜୀକରଣ କରିବା, ନିବେଶ ପ୍ରସ୍ତାବ ଦାଖଲ କରିବାର ଫର୍ମ, ଜି୨ବି ବୈଠକ ଫର୍ମ ଆଦି ରହିଛି। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ଅଂଶ ସ୍ବରୂପ ୨୦୨୫ ଜାନୁଆରି ୨୮ରୁ ୩୦ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀ ଆୟୋଜନ କରାଯିବ। ପାଞ୍ଚଟି ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ୱେବ୍ସାଇଟ୍ରେ ସୂଚନା ରହିଛି। କନ୍କ୍ଲେଭ୍ରେ ୪ଟି ପ୍ଲେନାରି ଅଧିବେଶନ, ୧୨ଟି କ୍ଷେତ୍ରୀୟ ଅଧିବେଶନ, ୪ଟି ରାଉଣ୍ଡଟେବୁଲ୍ ସମ୍ମିଳନୀ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀରେ ଇକୋ-ଟୁରିଜିମ୍, ଐତିହ୍ୟ ପଦଯାତ୍ରା ଓ ସାଂସ୍କୃତିକ ରାତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ୱେବସାଇଟ୍ରୁ ଜଣାପଡ଼ିଛି। ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କରିବା ସୁବିଧା ମଧ୍ୟ ରହିଛି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଓ ଇଡ୍କୋର ଏମ୍ଡି ଭୁପେନ୍ଦ୍ର ସିଂହ ପୁନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।