ଆସୁଛି ପୂଜା: ସବୁ ଜିଲ୍ଲାରେ ଷ୍ଟୋର୍‌ ଖୋଲିବ ‘ଭି୨’

ଭୁବନେଶ୍ବର : ସୁଲଭ ମୂଲ୍ୟରେ ଫେସନ ସାମଗ୍ରୀ ବିକ୍ରି କରୁଥିବା ଅଗ୍ରଣୀ ସଂସ୍ଥା ହେଉଛି ଭି୨। ସହର ପ୍ରମୁଖ ସପିଙ୍ଗ୍‌ ସ୍ଥଳଗୁଡ଼ିକରେ ଏହା ଷ୍ଟୋର୍‌ ଖୋଲିଛି। ଓଡ଼ିଶାରେ ପ୍ରାୟ ୧୪ଟି ଷ୍ଟୋର ସ୍ଥାପନ କରି ରାଜ୍ୟବାସୀଙ୍କ ଗୁଣାତ୍ମକ ପୋଷାକ ଆବଶ୍ୟକତାକୁ ଏହା ପୂରଣ କରୁଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଭି୨ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛୁ ବୋଲି କଂପାନିର ଅଧ୍ୟକ୍ଷ ରାମଚନ୍ଦ୍ର ଅଗ୍ରୱାଲ୍ କହିଛନ୍ତି। କଂପାନି ଏହାର ଷ୍ଟୋର୍‌ଗୁଡ଼ିକରେ ପୁରୁଷ, ମହିଳା, ଶିଶୁ ଓ ନବଜାତକଙ୍କ ପାଇଁ ବିଭିନ୍ନ ପ୍ରକାରର ପୋଷାକ ବିକ୍ରି କରୁଛି। ପ୍ରତିଟି ବର୍ଗର ପୋଷାକ ଗ୍ରାହକଙ୍କ ଦ୍ବାରା ବହୁତ ଭଲ ଭାବେ ଗ୍ରହଣୀୟ ହୋଇଥିବା ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

‘ସମ୍ବାଦ’ ସହ ଆଲୋଚନା କରି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ପ୍ରତି ଗ୍ରାହକଙ୍କ ନିକଟରେ ପହଞ୍ଚିବା ଉପରେ ଆମେ ଗୁରୁତ୍ବ ଦେଉଛୁ। ଓଡ଼ିଶା ପାଇଁ ଆମର ବଡ଼ ଯୋଜନା ରହିଛି। ଆମେ ବାରିପଦାରେ ଖୁବ୍‌ଶୀଘ୍ର ଏକ ନୂଆ ଷ୍ଟୋର୍‌ ଖୋଲିବୁ। ଭବିଷ୍ୟତରେ ପ୍ରତି ଜିଲ୍ଲାରେ ଆମର ଅତିକମ୍‌ରେ ଗୋଟିଏ ଷ୍ଟୋର ରହିବ। ଆମ ସାମଗ୍ରୀଗୁଡ଼ିକ ଲୋକମାନଙ୍କ ଦ୍ବାରା ବିପୁଳ ମାତ୍ରାରେ ଗ୍ରହଣୀୟ ହେବା ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି। କରୋନା ମହାମାରୀର ପରବର୍ତ୍ତୀ ସମୟରେ ହୋଇଥିବା ସୁଧାର ବିଷୟରେ ସେ କହିଛନ୍ତି ଯେ ଭି୨ ଷ୍ଟୋର୍‌ଗୁଡ଼ିକରେ ସ୍ଥିତି ଅନେକାଂଶରେ ସ୍ବାଭାବିକ ହୋଇଗଲାଣି। ମହାମାରୀ ପୂର୍ବରୁ ଷ୍ଟୋର୍‌ରେ ଯେତିକି ଗ୍ରାହକ ପ୍ରବେଶ କରୁଥିଲେ ଏବେ ତାହାର ୯୦% ଲୋକ ଷ୍ଟୋର୍‌କୁ ଆସିଲେଣି। ଯଦି ତୃତୀୟ ଲହର ନଆସିବ ତେବେ ଦୁର୍ଗାପୂଜା ସମୟରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ। ଭି୨ରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବା ସହିତ ଏହାର ବିକ୍ରିରେ ମଧ୍ୟ ବଡ଼ ଧରଣର ସୁଧାର ଘଟିଛି। ସେଥିପାଇଁ ଚଳିତ ଆର୍ଥିକ ବର୍ଷରେ କଂପାନି ଉଭୟ ବିକ୍ରି ଓ ଷ୍ଟୋର୍‌ ସଂଖ୍ୟାରେ ୨୦-୨୫% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅର୍ଥାତ ଗତବର୍ଷ ତୁଳନାରେ ଏବର୍ଷ ବିକ୍ରି ୨୫% ଅଧିକ ରହିବ। ସେହିପରି ‌ସାରା ଦେଶରେ ଷ୍ଟୋର୍‌ ସଂଖ୍ୟା ୨୫% ବଢ଼ିବ। ଏବେ ୧୭ଟି ରାଜ୍ୟରେ ଭି୨ର ୯୬ଟି ଷ୍ଟୋର୍‌ ରହିଛି। ପ୍ରତି ମାସରେ କଂପାନି ଗୋଟିଏ ଦୁଇଟି ନୂଆ ଷ୍ଟୋର୍‌ ସ୍ଥାପନ କରୁଛି ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଭି୨ ନୋଏଡାରେ ନିଜର ଏକ କାରଖାନା ସ୍ଥାପନ କରିଛି। ଏଥିରେ କଂପାନି ୩୦ କୋଟି ଟଙ୍କା ବିନିଯୋଗ କରିଛି। କେନ୍ଦ୍ର ସରକାର ଘୋଷଣା କରିଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ଏହି କାରଖାନା ସ୍ଥାପନ କରାଯାଇଛି। ବର୍ତ୍ତମାନ ଏହା କଂପାନିର ୨୦-୩୦ ପ୍ରତିଶତ ଆବଶ୍ୟକତା ପୂରଣ କରୁଛି। ଆଗାମୀ ୬-୭ ମାସରେ ନୋଏଡା କାରଖାନା ଆମର ୬୦-୭୦ ପ୍ରତିଶତ ଆବଶ୍ୟକ ପୂରଣ କରିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। କଂପାନି ନିଜର ୬-୭ଟି ସ୍ବତନ୍ତ୍ର ବ୍ରାଣ୍ଡ୍‌ ଆଣିଛି। ଆଗାମୀ ଦିନରେ ବ୍ରାଣ୍ଡ୍‌ ସଂଖ୍ୟା ବଢ଼ାଇବାକୁ ଏହା ଯୋଜନା ରଖିଛି। ସମୟର ଆହ୍ବାନ ଅନୁସାରେ କଂପାନି ଡିଜିଟାଲ୍ କାରବାର ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ କରୁଛି। ଆଠ ମାସ ପୂର୍ବେ କଂପାନି ନିଜସ୍ବ ୱେବସାଇଟ୍ ‘ଭି୨କାର୍ଟ ଡଟ୍‌ କମ୍‌’ ଖୋଲିଛି। ଆସନ୍ତା ଦୁଇ ମାସ ମଧ୍ୟରେ କଂପାନି ଏହାର ମୋବାଇଲ୍‌ ଆପ୍‌କୁ ମଧ୍ୟ ଉନ୍ମୋଚନ କରିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର