ଝାରସୁଗୁଡ଼ା: ପରିବେଶ ଅନୁକୂଳ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାରରେ ଝାରସୁଗୁଡ଼ାରେ କୋଇଲା ମନ୍ତ୍ରାଳୟ ଅଧୀନ ନବରତ୍ନ କମ୍ପାନି ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ କରିବ ୨୪୦୦ ମେଗାୱାଟ୍‌ ବିଶିଷ୍ଟ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର। ପ୍ରତିଯୋଗିତାମୂଳକ ଟେଣ୍ଡର ଆହ୍ୱାନ କରିବା ପରେ ଭେଲ୍‌କୁ ୧୫ ହଜାର କୋଟିର ଏହି ଠିକା କାର୍ଯ୍ୟ ମିଳିଛି। ଏହି ପ୍ରକଳ୍ପ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ। ଏହି ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଥିବା ଏନ୍‌ଏଲ୍‌ସିଆଇଏଲ୍‌ର ବାର୍ଷିକ ୨୦ ନିୟୁତ ଟନ୍ (ଏମ୍‌ଟିପିଏ) କ୍ଷମତା ବିଶିଷ୍ଟ ତଲାବିରା-୨ ଓ ୩ ଖଣିରୁ କୋଇଲା ଯୋଗାଣ କରାଯିବ।

Advertisment

ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ହୀରାକୁଦ ଜଳଭଣ୍ଡାରରୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ଏଥିରେ ଏଫ୍‌ଜିଡି ଓ ଏସ୍‌ସିଆର୍‌ ପରି ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ବ୍ୟବହାର ହେବ। ଏହି ପ୍ରକଳ୍ପର ପ୍ରଥମ ୟୁନିଟ୍ ୨୦୨୮-୨୯ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏହା ପିଟ୍ ହେଡ୍ ତାପଜ ପ୍ରକଳ୍ପ ହୋଇଥିବାରୁ ଏହାର ପରିବର୍ତ୍ତନଶୀଳ ମୂଲ୍ୟ ପ୍ରତିଯୋଗିତାମୂଳକ ହେବ ଏବଂ ଏନ୍‌ଏଲ୍‌ସି ଇଣ୍ଡିଆ କମ୍ ମୂଲ୍ୟରେ ବିଜୁଳି ଉତ୍ପାଦନ କରିବ। ଯଦ୍ବାରା ହିତାଧିକାରୀଙ୍କୁ କମ୍ ମୂଲ୍ୟରେ ବିଜୁଳି ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।