ସରକାରୀ ଢାଞ୍ଚା ଛାଡ଼, ନହେଲେ ଘରକୁ ଯିବାକୁ ପ୍ରସ୍ତୁତ ରୁହ : ବିଏସଏନଏଲ କର୍ମଚାରୀଙ୍କୁ ବୈଷ୍ଣବଙ୍କ ଚେତାବନୀ

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଥିବା ସରକାରୀ ଟେଲିକମ କମ୍ପାନି ବିଏସଏନଏଲର କର୍ମଚାରୀମାନେ ‘ସରକାରୀ କର୍ମଚାରୀ’ ଢାଞ୍ଚା ଛାଡ଼ି ଉତ୍ତମ ପ୍ରଦର୍ଶନ କରନ୍ତୁ, ନୋଚେତ ଘରକୁ ଯିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ଚେତାବନୀ ଶୁଣାଇଛନ୍ତି  କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ବିଏସଏନଏଲର ୬୨ ହଜାର କର୍ମଚାରୀଙ୍କୁ ସେ କହିଛନ୍ତି ଯେ ତାଙ୍କର ଚେତାବନୀକୁ ନେଇ କୌଣସି ସଂଦେହ ରହିବା ଉଚିତ ନୁହେଁ ।

“ତୁମମାନଙ୍କୁ ସରକାରଙ୍କ ଆଶା ଅନୁଯାୟୀ ପ୍ରଦର୍ଶନ କରିବାକୁ ହେବ, ନହେଲେ ଯିବାକୁ ପ୍ରସ୍ତୁତ ରୁହ । ଏହା ହିଁ ହେବ ନୂଆ ନିୟମ । ଯେଉଁମାନେ ଆଶାନୁରୂପ କାମ ନକରିବେ ସେମାନେ ଭିଆରଏସ ( ସ୍ବେଚ୍ଛାକୃତ ଅବସର ) ନେବାକୁ ପ୍ରସ୍ତୁତ ରୁହନ୍ତୁ । “

ବିଏସଏନଏଲର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ନିକଟରେ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ମାଧ୍ୟମରେ ବିଏସଏନଏଲକୁ ଏକ ଅତ୍ୟାଧୁନିକ ତଥା ଦକ୍ଷ ଟେଲିକମ କମ୍ପାନିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ପରିପ୍ରେକ୍ଷୀରେ ବିଏସଏନଲ କର୍ମଚାରୀମାନଙ୍କୁ ମଧ୍ୟ ନିଜର ସରକାରୀ କର୍ମଚାରୀ ଢାଞ୍ଚା ଛାଡ଼ି ଘରୋଇ କମ୍ପାନିର କର୍ମଚାରୀମାନଙ୍କ ପରି ପେସାଦାର ହେବାକୁ ମନ୍ତ୍ରୀ ନିଜର ବୟାନ ମାଧ୍ୟମରେ ସୂଚାଇ ଦେଇଛନ୍ତି ।

ଘରୋଇ  ଟେଲିକମ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡା଼ଫୋନ ଆଦି କମ୍ପାନି ମାନଙ୍କ ସହ ତୀବ୍ର ପ୍ରତିଯୋଗିତା କରିବାକୁ ମନ୍ତ୍ରୀ ବିଏସଏନଏଲ କର୍ମଚାରୀଙ୍କୁ କହିଥିବା ଜଣାଯାଇଛି ।

 

 

ସମ୍ବନ୍ଧିତ ଖବର