ମୁମ୍ବାଇ: ଟାଟା ଗ୍ରୁପ୍ ହେଉଛି ଦେଶର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟ। ଏହା ଅଧୀନରେ ଶତାଧିକ କଂପାନି ରହିଛି। ଲୁଣ ଠାରୁ ଆରମ୍ଭ କରି ସଫ୍ଟଓୟାର ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ସକ୍ରିୟ ଥିବା ଟାଟା ଗ୍ରୁପ୍‌ କତୃର୍ପକ୍ଷଙ୍କ ପାଇଁ ଏତେ ବଡ଼ କଂପାନି ସମ୍ଭାଳିବା କଷ୍ଟକର ହୋଇପଡ଼ିଲାଣି।
ଏତେ ବଡ଼ ସାମ୍ରାଜ୍ୟକୁ ଯେଭଳି ସୁବିଧାରେ ନିୟନ୍ତ୍ରଣ ମଧ୍ୟରେ ରଖିହେବ ସେଥିପାଇଁ ଟାଟା ପକ୍ଷରୁ ଅଭିନବ ଯୋଜନା ପ୍ରସ୍ତୁତ କରାଯାଇଛି। ଶତାଧିକ କଂପାନିକୁ ୧୦ଟି ଶ୍ରେଣୀରେ ଭାଗ କରିବାକୁ ଟାଟା ନିଷ୍ପତ୍ତି ନେଇଛି। ସେହି ଶ୍ରେଣୀଗୁଡ଼ିକ ହେଉଛି-ସୂଚନା ପ୍ରଯୁକ୍ତି, ଇସ୍ପାତ, ଅଟୋମୋବାଇଲ୍‌, କଞ୍ଜ୍ୟୁମର୍‌ ଆଣ୍ଡ୍‌ ରିଟେଲ୍‌, ଭିତ୍ତିଭୂମି, ଆର୍ଥିକ ସେବା, ବିମାନ ଏବଂ ପ୍ରତିରକ୍ଷା, ପର୍ଯ୍ୟଟନ ଏବଂ ଗମନାଗମନ, ଟେଲିକମ୍ ଏବଂ ଗଣମାଧ୍ୟମ ଓ ଟ୍ରେଡିଂ ଏବଂ ନିବେଶ।
ଆଇଟି ଅଧୀନରେ ଟିସିଏସ୍‌ ଓ ଟାଟା ଏଲେକ୍ସିସ୍‌ ଥିବା ବେଳେ ଇସ୍ପାତ ଅଧୀନରେ କେବଳ ଟାଟା ଷ୍ଟିଲ୍ ରହିଛି। ଅଟୋମୋବାଇଲ୍ ବର୍ଗରେ ଟାଟା ମୋଟର୍ସ, ଜାଗୁଆର ଲ୍ୟାଣ୍ଡରୋଭର ଓ ଟାଟା ଅଟୋକମ୍ପ୍ ସିଷ୍ଟମସ୍‌ ରହିବ।
ସବୁ ବର୍ଗର ଦେଖାଶୁଣା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀ ରହିବେ ଓ ସେ ସିଧାସଳଖ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ଙ୍କୁ ସବୁ କଥା ଜଣାଇବେ। ପ୍ରତି ବର୍ଗରେ ଟାଟା ସନ୍ସ ବୋର୍ଡରେ ଥିବା ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ନାହିଁ। ବୋର୍ଡ ବାହାରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିର୍ଦିଷ୍ଟ ଶ୍ରେଣୀ ସମ୍ଭାଳିବାର ଦାୟିତ୍ବ ଦେବା ଉପରେ ଟାଟା ବିଚାର କରୁଛି।