ବେଦାନ୍ତକୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି, ନାଲକୋର ଆଲୁମିନା ରପ୍ତାନି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବ

ଭୁବନେଶ୍ୱର : ଦେଶର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତକୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବେଦାନ୍ତ ଏଣିକି ନାଲକୋର ଆଲୁମିନା କିଣିବା ପାଇଁ ବିଡ୍‌ ଦାଖଲ କରିପାରିବ ।

ସୁପ୍ରିମକୋର୍ଟର ଏକ ତିନିଜଣିଆ ବେଞ୍ଚ୍‌ ଆଜି ରାୟ ଶୁଣାଇଛନ୍ତି ଯେ ବେଦାନ୍ତ ନାଲକୋର ଆଲୁମିନା ରପ୍ତାନି ଟେଣ୍ଡରରେ ଭାଗ ନେଇପାରିବ । ଟେଣ୍ଡରରେ ସଫଳ ହେଲେ ବେଦାନ୍ତ ବିଶାଖାପାଟଣାରୁ ନାଲକୋର ଆଲୁମିନା ସଂଗ୍ରହ କରି ନିଜର ଝାରସୁଗୁଡ଼ା ସ୍ମେଲଟର ପ୍ଲାଣ୍ଟରେ ବ୍ୟବହାର କରିପାରିବ ।

ବେଦାନ୍ତର ଓଡ଼ିଶାର ଲାଞ୍ଜିଗଡ଼ଠାରେ ଏକ ରିଫାଇନାରୀ ଥିବାବେଳେ ଝାରସୁଗୁଡ଼ାଠାରେ ଏକ ସ୍ମେଲଟର ରହିଛି । ବକ୍ସାଇଟ ଅଭାବରୁ ବେଦାନ୍ତର ଲାଞ୍ଜିଗଡ଼ ପ୍ଲାଣ୍ଟ ଠିକଭାବେ ଚାଲିପାରୁନାହିଁ । ଏଣୁ ନିଜର ଝାରସୁଗୁଡ଼ା ସ୍ମେଲଟର ଚଳାଇବାକୁ ବେଦାନ୍ତ ନାଲକୋଠାରୁ ଆଲୁମିନା ଖରିଦ କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ନାଲକୋ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ବିରୁଦ୍ଧରେ ବେଦାନ୍ତ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ମଧ୍ୟ ବେଦାନ୍ତକୁ ନାଲକୋର ଆଲୁମିନା ଟେଣ୍ଡରରେ ଭାଗନେବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ନାଲକୋ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

୨୦୧୮-୧୯ ଆର୍ଥିକ ବର୍ଷରେ ନାଲକୋ ପ୍ରାୟ ୧.୨୪ ନିୟୁତ ଟନ ଆଲୁମିନା ରପ୍ତାନି କରିଥିଲା । ନାଲକୋ ନିଜର ଆବଶ୍ୟକତା ମେଣ୍ଟାଇବା ପରେ ବଳକା ଆଲୁମିନାକୁ ରପ୍ତାନି କରିଥାଏ । ନାଲକୋର ଶ୍ରମିକ ୟୁନିୟନଗୁଡ଼ିକ ବେଦାନ୍ତକୁ ଆଲୁମିନା ବିକ୍ରିକୁ ବିରୋଧ କରିଆସୁଛନ୍ତି ।

ସମ୍ବନ୍ଧିତ ଖବର