ଗାଡ଼ି ସ୍କ୍ରାପେଜ୍ ନୀତି ଘୋଷଣା: ଅଯୋଗ୍ୟ, ପ୍ରଦୂଷଣ କରୁଥିବା ଗାଡ଼ି ହଟିବ

ପଞ୍ଜୀକରଣ ଫି’ ପଡ଼ିବନି, ସଡ଼କ ଟିକସରେ ରିହାତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବେଚ୍ଛାଧୀନ ଗାଡ଼ି ସ୍କ୍ରାପେଜ୍ ନୀତିକୁ ଉନ୍ମୋଚନ କରିଛନ୍ତି। ଏହା ଜରିଆରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ ଜଣାଇଛନ୍ତି ଯେ ଏହି ନୀତିର ଶୁଭାରମ୍ଭ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଏଥିରେ ସାମିଲ ହେବା ଲାଗି ସେ ଯୁବପିଢ଼ି ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ରାସ୍ତାରୁ ଅଯୋଗ୍ୟ ଓ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଇବାରେ ଏହି ନୀତି ସହାୟକ ହେବ। ଏହି ନୀତି ଦ୍ବାରା ସାଧାରଣ ଲୋକମାନେ କିଭଳି ଉପକୃତ ହେବେ ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‌ପୁରୁଣା କାର୍‌କୁ ସ୍କ୍ରାପ୍‌ରେ ପରିଣତ କରାଯିବା ପରେ ଏକ ସାର୍ଟିଫିକେଟ୍ ଦିଆଯିବ। ଯେତେବେଳେ ଗ୍ରାହକ ଜଣକ ନୂଆ କାର୍‌ କିଣିବେ ‌ତାଙ୍କୁ ଆଉ ପଞ୍ଜୀକରଣ ଫି’ ଦେବାକୁ ପଡ଼ିବ ନାହିଁ। ସଡ଼କ ଟିକସ ଉପରେ ମଧ୍ୟ ତାଙ୍କୁ ରିହାତି ମିଳିବ। କେବଳ ସେତିକି ନୁହେଁ ପୁରୁଣା ଗାଡ଼ିର ରକ୍ଷଣାବେକ୍ଷଣ, ମରାମତି ଏବଂ ଇନ୍ଧନ ମିତବ୍ୟୟିତା ଉପରେ ହେଉଥିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ପୁରୁଣା ଗାଡ଼ି ଓ ପୁରୁଣା ଜ୍ଞାନକୌଶଳରେ ତିଆରି ହୋଇଥିବା ଗାଡ଼ିଗୁଡ଼ିକ ଦ୍ବାରା ସଡ଼କରେ ଯେଉଁ ଭୟଙ୍କର ଦୁର୍ଘଟଣା ହେଉଛି ସେଥିରୁ ଆଶ୍ବସ୍ତି ମିଳିବ। ସ୍ବାସ୍ଥ୍ୟ ଉପରେ ଗାଡ଼ି ପ୍ରଦୂଷଣର ଯେଉଁ କୁପ୍ରଭାବ ପଡ଼ୁଛି ତାହା ମଧ୍ୟ ହ୍ରାସ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ପୁରୁଣା ବୋଲି ଗାଡ଼ିକୁ ସ୍କ୍ରାପ୍‌ରେ ପରିଣତ କରାଯିବ ନାହିଁ। ପ୍ରଥମେ ସ୍କ୍ରାପେଜ୍ ସେଣ୍ଟର୍‌ରେ ତାହାର ଫିଟ୍‌ନେସ୍‌ ପରୀକ୍ଷା କରାଯିବ। ସେଥିରେ ବିଫଳ ହେଲେ ଗାଡ଼ିକୁ ସ୍କ୍ରାପ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯିବ। ଏହି କାର୍ଯ୍ୟ ବୈଜ୍ଞାନିକ ପଦ୍ଧତିରେ କରାଯିବ ବେଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଗୁଜରାଟ ନିବେଶ ସମ୍ମିଳନୀରେ ସେ ଏହି ନୀତିକୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ ସ୍କ୍ରାପେଜ୍ ନୀତି ଯୋଗୁଁ କଞ୍ଚାମାଲ୍ ଖର୍ଚ୍ଚରେ ୪୦% ହ୍ରାସ ଘଟିବ। ଦେଶକୁ ୨୨ ହଜାର କୋଟି ଟଙ୍କା ମୂଲ୍ୟର ସ୍କ୍ରାପ୍ ଇସ୍ପାତ ଆମଦାନି କରାଯାଉଛି। ସ୍କ୍ରାପେଜ୍ ନୀତି ଲାଗୁ ହେବା ପରେ ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହି ନୀତି ଭାରତକୁ ଗାଡ଼ି ନିର୍ମାଣର ଏକ ପ୍ରମୁଖ ପେଣ୍ଠସ୍ଥଳରେ ପରିଣତ କରିବ। ଘରୋଇ ସରକାରୀ ସହଭାଗିତାରେ (ପିପିପି) ସବୁ ଜିଲ୍ଲାରେ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଦେଶରେ ଏବେ ୧୦ ନିୟୁତରୁ ଅଧିକ ଗାଡ଼ି ଚାଲୁଛି    ଯେଉଁଗୁଡ଼ିକର ବୈଧ ଫିଟ୍‌ନେସ୍ ନାହିଁ। ସେଗୁଡ଼ିକ ପ୍ରଦୂଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସେହି ପରୁଣା ଓ ଅଯୋଗ୍ୟ ଗାଡ଼ିଗୁଡ଼ିକୁ ହଟାଇ ନୂଆ ଗାଡ଼ି ଚଲାଇଲେ ପରିବେଶ ୧୦-୧୨ ପ୍ରତିଶତ ଉପକୃତ ହେ‌ବ ବୋଲି ସେ କହିଛନ୍ତି। ଗାଡ଼ି ସ୍କ୍ରାପେଜ୍ ନୀତି ଯୋଗୁଁ ଦେଶରେ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଗଡ଼କରୀ କହିଛନ୍ତି।

ସମ୍ବନ୍ଧିତ ଖବର