ଚୂଡ଼ାନ୍ତ ପର୍ଯ୍ୟାୟରେ ଗାଡ଼ି ସ୍କ୍ରାପ୍ ନୀତି, ଶୀଘ୍ର ଘୋଷଣା ହେବ: ଗଡ଼କରୀ

ନୂଆଦିଲ୍ଲୀ : ଗାଡ଼ି ସ୍କ୍ରାପ୍ ନୀତି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଏସିିଏମ୍‌ଏର ୬୦ତମ ବାର୍ଷିକ ଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି ଯେ ଏହି ନୀତି ଦ୍ବାରା ଅନେକ କାର୍ ମାଲିକ ଉପକୃତ ହେବେ। ଗାଡ଼ି ସ୍କ୍ରାପ୍ ନୀତି ଆଣିବା ଲାଗି ଦୀର୍ଘଦିନରୁ ଦାବି ହେଉଛି। ମାସକ ଭିତରେ କିମ୍ବା ତା’ ପୂର୍ବରୁ ଏହି ନୀତିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଯିବ ବୋଲି ଗଡ଼କରୀ କହିଛନ୍ତି। ଗତକାଲି ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ କହିଥିଲେ ଯେ ଗାଡ଼ି ସ୍କ୍ରାପ୍ ନୀତି ପ୍ରସ୍ତୁତ ହୋଇଯାଇଛି। ଏହା ଉପରେ ବିଭିନ୍ନ ଅଂଶୀଦାରଙ୍କ ମତାମତ ମଧ୍ୟ ମିଳିସାରିଛି। ଖୁବ୍‌ଶୀଘ୍ର ଏହା ଘୋଷଣା ହେବ ବୋଲି ଆଶା କରାଯାଉଛି। ଭାରତ ଭଳି ଦେଶ ପାଇଁ ଗାଡ଼ି ସ୍କ୍ରାପ୍ ନୀତି (ଭେଇକିଲ୍ ସ୍କ୍ରାପେଜ୍ ପଲିସି) ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏହା ମାଧ୍ୟମରେ ସଡ଼କରେ ଚାଲୁଥିବା ଅତି ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିଗୁଡ଼ିକୁ ହଟାଇ ହେବ। ଗଭୀର ସଙ୍କଟ ଦେଇ ଗତି କରୁଥିବା ଦେଶର ଅଟୋମୋବାଇଲ୍ ଶିଳ୍ପରେ ମଧ୍ୟ ଏହା ନୂତନ ଆଶା ସଞ୍ଚାର କରିପାରିବ। ଗୋଟିଏ ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା ହୋଇଯିବା ପରେ ତାହାର ପୁନଃ ବିକ୍ରି ମୂଲ୍ୟ ବହୁତ ହ୍ରାସ ପାଇଥାଏ। ସେଭଳି ଗାଡ଼ିଗୁଡ଼ିକୁ ମାଲିକମାନେ ଆକର୍ଷଣୀୟ ଆର୍ଥିକ ମୂଲ୍ୟ ବଦଳରେ ସ୍କ୍ରାପୟାର୍ଡକୁ ପଠାଇପାରିବେ। ଯଦି ପୁରୁଣା ଗାଡ଼ିର ମାଲିକଙ୍କୁ କ୍ଷତିପୂରଣ ରାଶି ଦିଆଯିବ ତେବେ ସେମାନେ ତାହାକୁ ସ୍କ୍ରାପ୍‌ୟାର୍ଡକୁ ପଠାଇବେ ତେବେ ସଡ଼କରୁ ପ୍ରଦୂଷଣ କରୁଥିବା ଗାଡ଼ି ହଟିଯିବ।

ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏଭଳି ନୀତି ରହିଛି। ଆମେରିକାରେ ଏଥିପାଇଁ ରହିଥିବା ନୀତିକୁ ‘କାର୍‌ ଆଲାଉନ୍ସ ରିବେଟ୍ ସିଷ୍ଟମ୍‌’ କୁହାଯାଉଛି। ମାତ୍ର ଲୋକମାନଙ୍କ ମଧ୍ୟରେ ତାହା ‘କ୍ୟାସ୍‌ ଫର କ୍ଲଙ୍କର୍‌’ ନାମରେ ଅଧିକ ପରିଚିତ। ୨୦୦୮-୦୯ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପରେ ଏହି ନୀତି ଲାଗୁ କରାଯାଇଥିଲା। ପୁରୁଣା ଗାଡ଼ି ବଦଳରେ ଲୋକମାନଙ୍କୁ ୪୫୦୦ ଡଲାରର କ୍ଷତିପୂରଣ ଦିଆଯାଇଥିଲା। ଏହି ଅର୍ଥ ରାଶି ପାଇବା ପରେ ସେମାନେ ଅଧିକ ଇନ୍ଧନ ମିତବ୍ୟୟୀ ତଥା ପରିବେଶ ଅନୁକୂଳ ଗାଡ଼ି କିଣିବ‌ାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକାରେ ୭ ଲକ୍ଷରୁ ଅଧିକ ଗାଡ଼ି ସ୍କ୍ରାପ୍‌ୟାର୍ଡକୁ ଆସିଥିଲା। ଗୁଣାତ୍ମକ ଗାଡ଼ି ଉତ୍ପାଦନ କରିବା ଏବଂ ରପ୍ତାନି ବଢ଼ାଇବା ଲାଗି ଏହି ଅବସରରେ ଗାଡ଼ି କଂପାନିଗୁଡ଼ିକୁ ଗଡ଼କରୀ ଆହ୍ବାନ ଦେଇଛନ୍ତି। ଭିତ୍ତିଭୂମି ଦୃଷ୍ଟିରୁ ଦେଶରେ ୨୨ଟି ସବୁଜ ଏକ୍ସପ୍ରେସ୍‌ୱେ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି।

ସମ୍ବନ୍ଧିତ ଖବର