କାର୍ କାରଖାନାରେ ତିଆରି ହେବ ଭେଣ୍ଟିଲେଟର: ମହିନ୍ଦ୍ରା ଉତ୍ପାଦନ ଆରମ୍ଭ କରିବ

ମାରୁତି, ହୁଣ୍ଡାଇ, ଟାଟା ବି ଯୋଗଦେବେ

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀ ପକ୍ଷରୁ କାର୍ କଂପାନି ଫକ୍ସୱାଗନ କାରଖାନାକୁ ସେନା ବାହିନୀ ପାଇଁ ଗାଡ଼ି ତିଆରି କରିବାରେ ବ୍ୟବହାର କରାଯାଇଥିଲା। କରୋନା ବିଶ୍ବ ମହାମାରୀର ମୁକାବିଲା କରିବା ଲାଗି କାର୍ କଂପାନିଗୁଡ଼ିକର କାରଖାନାକୁ ବ୍ୟବହାର କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମାରୁତି ସୁଜୁକି ଭଳି କଂପାନିର କାରଖାନାକୁ ଭେଣ୍ଟିଲେଟର୍ ଉତ୍ପାଦନ ପାଇଁ ବ୍ୟବହାର କରାଯିବ। ଭେଣ୍ଟିଲେଟର ହେଉଛି ଏକ ମେଡିକାଲ୍ ଉପକରଣ ଯାହା ଫୁସଫୁସ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚାଇବାରେ ସହାୟକ ହୋଇଥାଏ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ରୋଗୀଙ୍କ ପାଇଁ ତାହା ଜରୁରୀ। ଏହାର ଦାମ୍ ୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ଭାରତ ଏହାର ମୋଟ ଆବଶ୍ୟକତାର ୮୦ରୁ ୮୫% ଭେଣ୍ଟିଲେଟର ଆମଦାନି କରୁଛି।

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଏମ୍‌ଡି ପୱନ ଗୋଏଙ୍କା କହିଛନ୍ତି ଯେ ଭେଣ୍ଟିଲେଟର ତିଆରି କରିବା ଲାଗି ଆମ ପାଖରେ ଦୁଇ ପ୍ରକାର ରଣନୀତି ରହିଛି। କଂପାନି ଦେଶର ଦୁଇଟି ବଡ଼ ସରକାରୀ ଉଦ୍ୟୋଗ ସହିତ ଉଚ୍ଚ ମାନର ଭେଣ୍ଟିଲେଟର ତିଆରି କରିବା ଲାଗି କାର୍ଯ୍ୟ କରିବା ଉପରେ ବିଚାର କରୁଛି। ଏବେ ଭେଣ୍ଟିଲେଟର ଡିଜାଇନ୍ କାମ ଚାଲିଛି। ମହିନ୍ଦ୍ରାର ଇଞ୍ଜିନିୟରିଂ ଟିମ୍ ସେଥିରେ ସାମିଲ ହୋଇଛନ୍ତି। ଥରେ ଡିଜାଇନ ଚୂଡ଼ାନ୍ତ ହୋଇଯିବା ପରେ ବିଭିନ୍ନ କାରଖାନାରେ ତାହାକୁ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ବ୍ୟାଗ୍ ଭାଲ୍‌ବ ମାସ୍କ ଭେଣ୍ଟିଲେଟର୍‌କୁ ମଧ୍ୟ ଏହି କଂପାନି ଉତ୍ପାଦନ କରିବାକୁ ଚାହୁଛି। ଏହାର ନମୁନା ପ୍ରସ୍ତୁତ ହୋଇଯାଇଛି। ତିନି ଦିନ ଭିତରେ ତାହାକୁ ମଞ୍ଜୁରି ମିଳିବା ସମ୍ଭାବନା ରହିଛି। ଭାରତରେ କରୋନା ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ଅନୁମାନ କରାଯାଉଛି। ଯଦି ତାହା ସତ ହୋଇଥିବ ତେବେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବ। ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ବହୁ ସଂଖ୍ୟାରେ ଭେଣ୍ଟିଲେଟର ଦରକାର ହେବ। ଏବେ ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଚିକିତ୍ସା ସେବା ପ୍ରତିଷ୍ଠାନଗୁଡ଼ିକ ଉପରେ ଚାପ କମ୍ ରହିଛି। ଲକ୍‌ଡାଉନ୍ ଶେଷ ହୋଇଯିବା ପରେ ଯଦି କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଥିବ ତେବେ ଦେଶରେ ଅଧିକ ଅସ୍ଥାୟୀ ହସପିଟାଲ୍ ଓ ଭେଣ୍ଟିଲେଟର ଦରକାର ପଡ଼ିବ। ସେହି ସମୟର ଆବଶ୍ୟକତାକୁ ପୂରଣ କରିବା ଲାଗି ମହିନ୍ଦ୍ରା ଆଗୁଆ ଭେଣ୍ଟିଲେଟର ଉତ୍ପାଦନ କରିବାକୁ ଚାହୁଛି। ମାରୁତି ସୁଜୁକି, ଟାଟା ମୋଟର୍ସ ଓ ହୁଣ୍ଡାଇକୁ ମଧ୍ୟ କାରଖାନାରେ ଭେଣ୍ଟିଲେଟର ତିଆରି କରିବା ଲାଗି ସରକାର କହିଥିବା ଜଣାପଡ଼ିଛି। ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍ ସି ଭାର୍ଗବ କହିଛନ୍ତି ଯେ, କାରଖାନାରେ ଭେଣ୍ଟିଲେଟର ଉତ୍ପାଦନ କରିବାର ସମ୍ଭାବନାକୁ ଆମେ ଏବେ ଦେଖୁଛୁ। ଦୁଇ ତିନି ଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର