ହେଲ୍‌ମେଟ୍‌ରେ ରହିବ ଗାଡ଼ି ଚିତ୍ର

ଓଜନ ଦେଢ଼ କେଜିରୁୁ ୧୨ ଶହ ଗ୍ରାମକୁ କମିବ

ନୂଆଦିଲ୍ଲୀ: ଗାଡ଼ି ଚାଳକମାନେ ବ୍ୟବହାର କରୁଥିବା ହେଲ୍‌ମେଟକୁ ଅଧିକ ସୁଦୃଢ଼ କରିବା ଲାଗି ସରକାର ଯୋଜନା କରୁଛନ୍ତି। ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା ହ୍ରାସ କରିବା ଲାଗି ସରକାର ହେଲମେଟ୍‌ଗୁଡ଼ିକୁ ବିଆଇଏସ୍‌ ପ୍ରମାଣନକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଏକ କମିଟିର ସୁପାରିସ ଅନୁଯାୟୀ ଏହି ହେଲମେଟ ଗୁଡ଼ିକ ପ୍ରସ୍ତୁତ ହେବ। ଗାଡ଼ି ଚାଳକଙ୍କ ହେଲମେଟ ଗୁଡ଼ିକ ଅନ୍ୟ ହେଲମେଟ ଠାରୁ ପୃଥକ୍‌ ବୋଲି ଜାଣିବା ଲାଗି ଏଗୁଡ଼ିକରେ ଗାଡ଼ିର ଚିତ୍ର ଛପାଯିବ କିମ୍ବା ଅକ୍ଷରରେ ଗାଡ଼ି ଲେଖାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଏହି ସୂଚନା ଦେଇଛନ୍ତି। ଅନ୍ୟ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଏହି ହେଲମେଟ ଗୁଡ଼ିକ ବର୍ତ୍ତମାନର ହେଲମେଟ ତୁଳନାରେ ୩୦୦ ଗ୍ରାମ୍‌ କମ୍‌ ଓଜନର ହେବ। ବିଭାଗ ପକ୍ଷରୁ କମିଟି ଦେଇଥିବା ରିପୋର୍ଟକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସଡ଼କ ପରିବହନ ମନ୍ତ୍ରାଳୟର ପରିବହନ ବିଭାଗ ଯୁଗ୍ମ ସଚିବ ଅଭୟ ଡାମ୍‌ଲିଙ୍କ ନେତୃତ୍ୱରେ ଏ ନେଇ ଏକ କମିଟି ଗଠନ ହୋଇଥିଲା। କମିଟିର ସୁପାରିସକୁ ଅନୁଧ୍ୟାନ କରିବା ପରେ ଏଥିରୁ କେତୋଟି ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ସୁପାରିସ ଗୁଡ଼ିକ ମଧ୍ୟରେ ହେଲମେଟ୍‌ର ଓଜନ ଅତିକମ୍‌ରେ ୩୦୦ ଗ୍ରାମ୍‌ କମିବା ପ୍ରସ୍ତାବ ରହିଛି। ବର୍ତମାନ ହେଲମେଟ୍‌ର ଓଜନ ଦେଢ଼ କେଜି ରହୁଥିବାବେଳେ ଆଗକୁ ଏହା ୧୨୦୦ ଗ୍ରାମ୍‌କୁ କମିବା ସମ୍ଭାବନା ରହିଛି। ଚାଳକମାନେ ଉନ୍ନତ ଧରଣର ହେଲମେଟ ପିନ୍ଧିଲେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ହ୍ରାସ ଘଟିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଦେଶରେ ବର୍ଷକୁ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରାସ୍ତାରେ ଚାଲିକରି ଯାଉଥିବା ବ୍ୟକ୍ତି କିମ୍ବା ଦୁଇ ଚକିଆ ଯାନ ଚାଳକ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର