ଭିଡିଓକନ୍ ଋଣ ମାମଲା: ସିବିଆଇ ଏତଲାରେ ଚନ୍ଦା, ବିଭିନ୍ନ ସ୍ଥାନରେ ଚଢ଼ଉ

ପତିଙ୍କ ବ୍ୟବସାୟୀ ବନ୍ଧୁ ପାଇଁ ଫସିଗଲେ

ମୁମ୍ବାଇ: ବେଣୁଗୋପାଳ ଧୁତ୍‌ଙ୍କ କଂପାନି ଭିଡିଓକନ୍‌କୁ ଋଣ ପ୍ରଦାନ କରିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ପାଇଁ ମହଙ୍ଗା‌ ସାବ୍ୟସ୍ତ ହୋଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ ଯେଉଁ ଏତଲା ଦାୟର କରାଯାଇଛି ସେଥିରେ ଚନ୍ଦାଙ୍କ ନାମ ରହିଛି। ଭିଡିଓକନ୍ ଋଣ ମାମଲା ପ୍ରଘଟ ହେବା ପରେ ଚନ୍ଦା ନିଜ ଚାକିରି ହରାଇଥିଲେ। ଆଗକୁ ତାଙ୍କ ସମସ୍ୟା ଆହୁରି ବଢ଼ିବ। ସିବିଆଇର ଏତଲାରେ ଚନ୍ଦାଙ୍କ ବ୍ୟତୀତ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ନାମ ରହିଛି। ଏହି ମାମଲାରେ ସିବିଆଇ ପକ୍ଷରୁ ଆଜି ଭିଡିଓକନ୍‌ ଗ୍ରୁପ୍‌ର ମୁମ୍ବାଇ ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ, ନ୍ୟୁପାୱାର ଏନର୍ଜିର କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ସିବିଆଇର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କକୁ ଠକିବା ପାଇଁ ଅଭିଯୁକ୍ତ (ଚନ୍ଦାଙ୍କ ଉଦ୍ଦେଶ୍ୟରେ) ଅନ୍ୟମାନଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରି ଏକ ଘରୋଇ କଂପାନିକୁ(ଭିଡିଓକନ ଉଦ୍ଦେଶ୍ୟରେ) ଋଣ ମଞ୍ଜୁର କରିଥିଲେ। ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ‌ସେତେବେଳେ ବ୍ୟାଙ୍କର ସିଇଓ ଭାବେ ଚନ୍ଦା କାମ କରୁଥିଲେ। ଏହି ଋଣ ମିଳିବାର କିଛି ଦିନ ପରେ ଭିଡିଓକନ୍‌ର ମୁଖ୍ୟ ଶ୍ରୀ ଧୁତ୍‌ ନ୍ୟୁପାୱାର ରିନୁଏବଲସ୍‌ ନାମକ ଏକ ସଂସ୍ଥାରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିଲେ। ସେହି କଂପାନିର ମାଲିକ ହେଉଛନ୍ତି ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌। ଗତବର୍ଷ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ‌ଚୋକ୍‌ସି କରିଥିବା ୧୪ ହଜାର କୋଟି ଟଙ୍କାର ଠକେଇ ବିଷୟରେ ଜଣାପଡ଼ିବା ପରେ ଅନ୍ୟ ‌ବ୍ୟାଙ୍କଗୁଡ଼ିକରେ ଋଣ ଠକେଇ ହୋଇଛି ନା ନାହିଁ ତାହାର ଖୋଳତାଡ଼ ଆରମ୍ଭ ହୋଇଥିଲା। ସେଭଳି ଏକ ସମୟରେ ୨୦୧୬ରେ ଅରବିନ୍ଦ ଗୁପ୍ତା ନାମକ ଜଣେ ବ୍ୟକ୍ତି (ହ୍ବିସିଲ୍‌ବ୍ଲୋୟର) ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଦେଇଥିବା ଋଣ ବେଆଇନ ଥିବା ଅଭିଯୋଗ କରିଥିଲେ। ଚନ୍ଦାଙ୍କ ବିରୋଧରେ ସେ ଦୋହରା ସ୍ବାର୍ଥ ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଅଭିଯୋଗ ପ୍ରତି ଆଇସିଆଇସିଆଇ ବ୍ୟାଙ୍କ ଗୁରୁତ୍ବ ଦେଇନଥିଲା। କିନ୍ତୁ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଚନ୍ଦାଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା। ଗତବର୍ଷ ଅକ୍ଟୋବରରେ ଚନ୍ଦା ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସିବିଆଇ ପକ୍ଷରୁ ଭିଡିଓକନ୍‌ ଋଣ ମାମଲାର ପ୍ରାରମ୍ଭିକ ଯାଞ୍ଚ (ପିଇ) କରାଯାଇଥିଲା।

ପତିଙ୍କ ବ୍ୟବସାୟୀ ବନ୍ଧୁ ପାଇଁ ଫସିଗଲେ
ପୁରୁଷଙ୍କ ଗଡ଼ କୁହାଯାଉଥିବା ବ୍ୟାଙ୍କ ଶିଳ୍ପରେ ଯେଉଁ କିଛି ହାତଗଣତି ମହିଳା ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚନ୍ଦା କୋଚ୍ଚର। ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଥିବା ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ପଦ ଅଳଙ୍କୃତ କରିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏତେ ବଡ଼ ବ୍ୟାଙ୍କ ଯେ ଜଣେ ମହିଳାଙ୍କ ନେତୃତ୍ବରେ ସଫଳତାର ସହ ଆଗକୁ ବଢ଼ିପାରିବ ତାହା ଚନ୍ଦା ପ୍ରମାଣିତ କରିଥିଲେ। ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ ତାଙ୍କ ସ୍ବାମୀଙ୍କ ବ୍ୟବସାୟ ଓ ବ୍ୟବସାୟୀ ବନ୍ଧୁଙ୍କ ଯୋଗୁଁ ଚନ୍ଦା ଫସିଗଲେ। ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚର ନ୍ୟୁପାୱାର ରିନୁଏବଲସ୍‌ ନାମକ ଏକ ସଂସ୍ଥା ଗଠନ କରିଥିଲେ। ତାହାର ସିଧାସଳଖ ସମ୍ପର୍କ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ସହ ଥିଲା। ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ନେଇ ସେହି କଂପାନିରେ ଯଦି ଧୁତ୍‌ ନିବେଶ କରିନଥାନ୍ତେ ତେବେ ଚନ୍ଦାଙ୍କୁ ଆଜି ଏଭଳି କଠିନ ଦିନ ଦେଖିବାକୁ ମିଳୁନଥାନ୍ତା। ନିଜ ପତି ଓ ତାଙ୍କ ବ୍ୟବସାୟୀ ବନ୍ଧୁଙ୍କ ଚାଲାକି ଧରାପଡ଼ିବା ପରେ ଚନ୍ଦାଙ୍କ ଉଜ୍ଜ୍ବଳ କ୍ୟାରିଅରରେ ଗ୍ରହଣ ଲାଗିଯାଇଥିଲା।

ସମ୍ବନ୍ଧିତ ଖବର