ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ପାଇଁ ଭିିଡିଓକନ୍ ଋଣ ବିବାଦ ମହଙ୍ଗା ସାବ୍ୟସ୍ତ ହୋଇଛି। ଚନ୍ଦାକୁ ଅନିର୍ଦିଷ୍ଟକାଳୀନ ଛୁଟିରେ ପଠାଇବାକୁ ବ୍ୟାଙ୍କର ବୋର୍ଡ ନିଷ୍ପତ୍ତି ନେଇଛି। ଭିଡିଓକନ୍ ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ଛୁଟିରେ ରହିବେ।
କିଛି ଦିନ ପୂର୍ବରୁ ଚନ୍ଦା ବାର୍ଷିକ ଛୁଟିରେ ଯାଇଥିଲେ। ତଦନ୍ତରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ଛୁଟିରେ ରହିବାକୁ ଚନ୍ଦା ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ବ୍ୟାଙ୍କ ବୋର୍ଡ ପକ୍ଷରୁ କୁହାଯାଇଛି।
ଚନ୍ଦାଙ୍କ ଅନୁପସ୍ଥିତିରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ର ସିଇଓ ଭାବେ କାମ କରୁଥିବା ସନ୍ଦୀପ ବକ୍ସି ସବୁ ଦାୟିତ୍ୱ ତୁଲାଇବେ। ସନ୍ଦୀପଙ୍କୁ ବ୍ୟାଙ୍କର ଚିଫ୍ ଅପରେଟିଂ ଅଫିସର୍ (ସିଓଓ) ଭାବେ ନିଯୁକ୍ତି ଦିଆଯାଇଛି। ସନ୍ଦୀପଙ୍କ ସ୍ଥାନରେ ଏନ୍ ଏସ୍ କାନନଙ୍କୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ର ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ତଦନ୍ତ ଶେଷ ହେବା ପରେ ଚନ୍ଦା ହିଁ ବ୍ୟାଙ୍କର ଏମ୍ଡି ଓ ସିଇଓ ଭାବେ କାମ କରିବେ।
ଭିଡିଓକନ୍ ଋଣ ମାମଲାରେ ଚନ୍ଦା ପରୋକ୍ଷ ଭାବେ ଲାଭବାନ ହୋଇଥିଲେ ବୋଲି କିଛି ଦିନ ତଳେ ଅଭିଯୋଗ ହୋଇଥିଲା। କାରଣ ଭିଡିଓକନ୍ ମୁଖ୍ୟ ବେଣୁଗୋପାଳ ଧୁତ୍ଙ୍କ ସହିତ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ବ୍ୟାବସାୟିକ ସମ୍ପର୍କ ଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚନ୍ଦାଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯାଇଥିଲା। ସେ କୌଣସି ଭୁଲ କରିନାହାନ୍ତି ବୋଲି ବ୍ୟାଙ୍କ କହିଥିଲା। କିନ୍ତୁ ବିଭିନ୍ନ ମହଲରୁ ପ୍ରବଳ ଚାପ ସାମ୍ନା କରିବା ପରେ ଏହି ମାମଲାର ସ୍ୱାଧୀନ ତଦନ୍ତ କରିବାକୁ କିଛି ଦିନ ତଳେ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲା।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍ ଶ୍ରୀକୃଷ୍ଣ ଆଇସିଆଇସିଆଇ ବ୍ୟାଙ୍କ ମାମଲାର ତଦନ୍ତ କରିବେ। ତାଙ୍କୁ ବ୍ୟାଙ୍କର ଅଡିଟ୍ କମିଟି ଓ ସ୍ୱାଧୀନ ନିର୍ଦେଶକ ଉଦୟ ଚିତାଲେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ। ଏହି ମାମଲାର ପ୍ରତିଟି ଦିଗକୁ ଶ୍ରୀକୃଷ୍ଣ ତଦନ୍ତ କମିଟି ଅନୁଧ୍ୟାନ କରିବ। ଭିଡିଓକନ୍କୁ ଋଣ ପ୍ରଦାନ କରିବା ବେଳେ କୌଣସି ଆଚରଣବିଦ୍ଧି ଉଲ୍ଲଘଂନ ହୋଇଛି ନା ନାହିଁ ତାହା ଜାଣିବାକୁ ତଦନ୍ତ କମିଟି ପ୍ରୟାସ କରିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ମଧ୍ୟ ଆଇସିଆଇସିଆଇ ମାମଲାର ତଦନ୍ତ ଆରମ୍ଭ କରାଯାଇଛି।
ଭିଡିଓକନ୍ ଋଣ ମାମଲା:ଛୁଟିରେ ରହିବେ ଚନ୍ଦା
• ତଦନ୍ତ ଶେଷ ହେବା ପରେ ଫେରିପାରନ୍ତି
/sambad/media/post_attachments/wp-content/uploads/2018/06/chanda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)