ମାଲ୍ୟା ମାମଲା; ବ୍ୟାଙ୍କ ଅଧିକାରୀଙ୍କୁ ଟାଣିବ ସିବିଆଇ

ମାସକ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍‌, ଅର୍ଥ ମନ୍ତ୍ରାଳୟ ଭୂମିକା ବି ଖୋଳତାଡ଼ ହେବ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ମାସକ ମଧ୍ୟରେ ସିବିଆଇ ଏହି ଚାର୍ଜସିଟ୍‌ ଦାଖଲ କରିପାରେ। ଏହି ଚାର୍ଜସିଟ୍‌ରେ ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ଋଣ ଦେଇଥିବା କେତେଜଣ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ନାମ ମଧ୍ୟ ରହିପାରେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱରେ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନସୋର୍ଟିୟମ୍‌ କିଙ୍ଗଫିସର ଏୟାରଲାଇନ୍ସକୁ ୬୦୦୦ କୋଟିରୁ ଊର୍ଧ୍ୱ ଋଣ ପ୍ରଦାନ କରିଥିଲା। ଏଥିରେ ଷ୍ଟେଟ ବ୍ୟାଙ୍କର ୧୬୦୦ କୋଟି ଟଙ୍କା ଋଣରାଶି ରହିଛି। ଉକ୍ତ ଋଣ ମାମଲାରେ ସିବିଆଇ ଏହାର ପ୍ରଥମ ଚାର୍ଜସିଟ୍‌ ଦାଖଲ କରିବ। ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି, ବ୍ୟାଙ୍କ ଗୁଡ଼ିକ ପକ୍ଷରୁ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣର ତଦନ୍ତ ପ୍ରାୟତଃ ଶେଷ ହୋଇସାରିଲାଣି। ମାସକ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇପାରେ। ଉକ୍ତ ଚାର୍ଜସିଟ୍‌ରେ କେତେଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ନାମ ସ୍ଥାନ ପାଇପାରେ। ଏହି ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଅଧିକାରୀ ବି ରହିପାରନ୍ତି। ଏହି ଚାର୍ଜସିଟ୍‌ରେ କିଙ୍ଗ୍‌ଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ବ୍ୟତୀତ ସିଏଫ୍‌ଓ ଏ. ରଘୁନାଥନ୍‌ ଏବଂ ଅନ୍ୟ ଅଧିକାରୀଙ୍କ ନାମ ସ୍ଥାନ ପାଇପାରେ। ବ୍ୟାଙ୍କରେ କାର୍ଯ୍ୟ କରିବା ସମୟରେ ଅଧିକାରୀମାନେ ସେମାନଙ୍କ ପଦପଦବିର ଦୁରୁପଯୋଗ କରି କିଙ୍ଗଫିସର ଏୟାରଲାଇନ୍ସକୁ ଋଣ ମଞ୍ଜୁର କରିଥିବା ସିବିଆଇ ତଦନ୍ତବେଳେ ଜାଣିବାକୁ ପାଇଛି। ଏ ନେଇ ସିବିଆଇ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ମଧ୍ୟ ରହିଛି। ଏତଦ୍‌ବ୍ୟତୀତ ଏହି ମାମଲାର ଚାର୍ଜସିଟ୍‌ ଦାଖଲ ହେଲେ ମଧ୍ୟ ତଦନ୍ତକୁ ସିବିଆଇ ଖୋଲା ରଖିବ। କେବଳ ଏତିକି ନୁହେଁ, ଏହି ଋଣ ପ୍ରଦାନରେ ଅର୍ଥ ମନ୍ତ୍ରାଳୟର ଭୂମିକା କ’ଣ ରହିଥିଲା ତାହାକୁ ମଧ୍ୟ ସିବିଆଇର ତଦନ୍ତ ପରିସରକୁ ଆସିବ। ମାଲ୍ୟାଙ୍କୁ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଅଧିକାରୀମାନଙ୍କ ଉପରେ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ଚାପ ପକାଇଥିଲେ କି ନାହିଁ ତାହାକୁ ସିବିଆଇ ଅନୁଧ୍ୟାନ କରିବ। ଏତଦବ୍ୟତୀତ ତଦନ୍ତ ବେଳେ ସିବିଆଇ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ଯେଉଁ ଉଦ୍ଦେଶ୍ୟରେ ଋଣ ଦିଆଯାଇଥିଲା ମାଲ୍ୟା ତାହାକୁ ସେଥିପାଇଁ ବିନିଯୋଗ ନକରି ଅନ୍ୟତ୍ର ଖଟାଇଥିଲେ। ୨୦୦୫ରୁ ୨୦୧୦ ମସିହା ମଧ୍ୟରେ ବ୍ୟାଙ୍କ ଗୁଡ଼ିକ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ଋଣ ସୁବିଧା ପ୍ରଦାନ କରିଥିଲେ ବୋଲି ସିବିଆଇ ଏହାର ଏତଲାରେ ଦର୍ଶାଇଛି। ତେବେ ୨୦୦୯-୧୦ରେ କମ୍ପାନି ଋଣ ପରିଶୋଧ ଲାଗି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଥିଲା। ଏହାପରେ କମ୍ପାନିକୁ ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରିଥିବା ଋଣ ଏନ୍‌ପିଏରେ ପରିଣତ ହୋଇଯାଇଥିଲା। ମାଲ୍ୟା ଜାଣିଶୁଣି ଋଣ ପରିଶୋଧ କରି ନଥିଲେ ବୋଲି କୁହାଯାଇଛି। ବ୍ୟାଙ୍କ ଗୁଡ଼ିକୁ ଠକିବା ପାଇଁ କମ୍ପାନି ଅଧିକାରୀମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହେଉଛି।

କିଙ୍ଗ୍‌ଫିସରକୁ ଏସ୍‌ବିଆଇ ନେତୃତ୍ୱରେ ଅନ୍ୟ ଯେଉଁ ବ୍ୟାଙ୍କ ଗୁଡ଼ିକ ଋଣ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (୮୦୦ କୋଟି), ଆଇଡିବିଆଇ ବ୍ୟାଙ୍କ (୮୦୦ କୋଟି), ବ୍ୟାଙ୍କ ଅଫ୍‌ ଇଣ୍ଡିଆ (୬୫୦ କୋଟି), ବ୍ୟାଙ୍କ ଅଫ୍‌ ବରୋଦା( ୫୫୦ କୋଟି), ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ( ୪୧୦ କୋଟି)। ଏତଦବ୍ୟତୀତ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ କିଙ୍ଗ୍‌ଫିସର ଏୟାରଲାଇନ୍ସକୁ ପ୍ରଦାନ କରାଯାଇଥିବା ୯୦୦ କୋଟି ଟଙ୍କାର ଋଣ ପରିଶୋଧ ହୋଇ ନଥିବା ମାମଲାରେ ସିବିଆଇ ଗତବର୍ଷ ଚାର୍ଜସିଟ୍‌ ଦାଖଲ କରିଛି। ଏଥିରେ ବ୍ୟାଙ୍କର କେତେଜଣ ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି। ଏତଦ୍‌ବ୍ୟତୀତ ଆଇଡିିବିଆଇ ଋଣ ପ୍ରଦାନ ମାମଲାରେ ୨୦୧୫ରେ ଏବଂ କନସୋର୍ଟିୟମ ଋଣ ମାମଲାରେ ୨୦୧୬ରେ ଦୁଇଟି ମାମଲା ସିବିଆଇ ମାଲ୍ୟାଙ୍କ ବିରୋଧରେ ରୁଜୁ କରିସାରିଛି।

ସମ୍ବନ୍ଧିତ ଖବର