ଗ୍ରାମୀଣ ବ୍ୟାଙ୍କ ଯିବେ ଷ୍ଟକ ବଜାର

ଆଇପିଓ ଜାରି କରିବେ, ସରକାର ପ୍ରସ୍ତୁତ କରୁଛନ୍ତି ଯୋଜନା

ନୂଆଦିଲ୍ଲୀ: ବଡ଼ ବ୍ୟାଙ୍କଗୁଡ଼ିକ ଭଳି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଷ୍ଟକ ବଜାରରେ କାରବାର କରିବେ। ଚଳିତ ଆର୍ଥିକ ବର୍ଷରେ କିଛି ହାତଗଣତି ଗ୍ରାମ୍ୟ ବ୍ୟାଙ୍କକୁ ଷ୍ଟକ ବଜାରରେ ଭର୍ତ୍ତି କରାଯିବ। ବର୍ତ୍ତମାନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍‌ଆର୍‌ବି) କ୍ଷେତ୍ରରେ ମିଶ୍ରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଏଭଳି ୪୫ଟି ବ୍ୟାଙ୍କ ଦେଶରେ ଥିବା ବେଳେ ସେମାନଙ୍କ ସଂଖ୍ୟା ୩୮କୁ ହ୍ରାସ କରିବା ଦିଗରେ କାର୍ଯ୍ୟ ଜାରି ରହିଛି। ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ୩-୪ଟି ବଡ଼ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଆଇପିଓ ଅଣାଯିବ। ଏହା ଜରିଆରେ ସେମାନେ ଷ୍ଟକ ବଜାର କାରବାରରେ ସାମିଲ ହେବେ।

ପରିଚାଳନା ଖର୍ଚ କମାଇବା, ପ୍ରଯୁକ୍ତି ବ୍ୟବହାରରେ ଉନ୍ନତି ଆଣିବା, ପୁଞ୍ଜି ପରିମାଣ ବଢ଼ାଇବା ଏବଂ ପରିଚାଳନାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ରାଜ୍ୟଗୁଡ଼ିକରେ ଥିବା ଏକାଧିକ ଗ୍ରାମ୍ୟ ବ୍ୟାଙ୍କକୁ ମିଶାଇ ବଡ଼ ବ୍ୟାଙ୍କ ଗଠନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରେ ୨୧ଟି ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ହୋଇସାରିଲାଣି। କ୍ଷୁଦ୍ର ଚାଷୀ, କୃ‌ଷି ଶ୍ରମିକ ଓ ଗ୍ରାମାଞ୍ଚଳରେ ବାସ କରୁଥିବା କାରିଗରମାନଙ୍କୁ ଋଣ ସୁବିଧା ପ୍ରଦାନ କରିବା ପାଇଁ ଆର୍‌ଆର୍‌ବି ନିୟମ ୧୯୭୬ ଅଧୀନରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ଗଠନ କରାଯାଇଥିଲା। ପ୍ରତି ଗ୍ରାମ୍ୟ ବ୍ୟାଙ୍କର ଏକ ପ୍ରା‌ୟୋଜକ ବ୍ୟାଙ୍କ ରହିଥାଏ। ଏହା ବ୍ୟତୀତ ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ରହୁଛି। ଶତାଂଶ ହିସାବରେ ଗ୍ରାମ୍ୟ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୫୦%, ପ୍ରାୟୋଜକ ବ୍ୟାଙ୍କର ୩୫% ଓ ରାଜ୍ୟ ସରକାରଙ୍କ ୧୫% ଅଂଶଧନ ରହୁଛି। ୨୦୧୫ରେ ଆର୍‌ଆର୍‌ବି ନିୟମରେ ସଂଶୋଧନ ଅଣାଯାଇଥିଲା। ସରକାରଙ୍କ ବ୍ୟତୀତ ଅନ୍ୟ ଉତ୍ସରୁ ପାଣ୍ଠି ଯୋଗଡ଼ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କ୍ଷେତ୍ରରେ ଚାଲିଥିବା ମିଶ୍ରଣ ପ୍ରକ୍ରିୟା ବହୁ ପୁରୁଣା। ୨୦୦୫ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୫ ମାର୍ଚ ବେଳକୁ ଦେଶରେ ୧୯୬ଟି ଗ୍ରାମ୍ୟ ବ୍ୟାଙ୍କ ଥିଲା। ୨୦୦୬ ସୁଦ୍ଧା ସେଭଳି ବ୍ୟାଙ୍କ ସଂଖ୍ୟା ୧୩୩କୁ ଖସିଯାଇଥିଲା। ପର୍ଯ୍ୟାୟକ୍ରମେ ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୫୬କୁ ହ୍ରାସ ପାଇଛି। ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ପୁଞ୍ଜି ସ୍ବଚ୍ଛଳତା ହାରରେ ଉନ୍ନତି ଆଣିବା ଲାଗି ସେମାନଙ୍କ ପାଇଁ ବଜେଟ୍‌ରେ ୨୩୫ କୋଟି ଟଙ୍କାର ପୁଞ୍ଜୀକରଣ ଯୋଜନା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର