ଗ୍ରାମୀଣ ସଡ଼କ ନିର୍ମାଣରେ ଓଡ଼ିଶା ପ୍ରଥମ

୨୦୧୭-୧୮ରେ ରାଜ୍ୟରେ ନିର୍ମାଣ ହୋଇଛି ୭୦୦୯ କିମି ରାସ୍ତା

ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଶନିବାର ସୁଦ୍ଧା ଓଡ଼ିଶାରେ ୭୦୦୯.୧୯ କିମିର ଗ୍ରାମୀଣ ସଡ଼କ ନିର୍ମାଣ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ସର୍ବାଧିକ ଗ୍ରାମୀଣ ସଡ଼କ ନିର୍ମାଣ କରିବାର କୀର୍ତି ହାସଲ କରିପାରିଛି। ଓଡ଼ିଶାର ଏହି ସଫଳତା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ସଚିବ ଅମରଜିତ୍‌ ସିହ୍ନା ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ତାଙ୍କ ଟିମ୍‌କୁ ଏଥିପାଇଁ ସାଧୁବାଦ ଜଣାଇଛନ୍ତି। ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗ୍ରାମାଞ୍ଚଳର ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶ୍ରୀ ସେଠୀ ଏହି ସଫଳତାରେ ସଂପୃକ୍ତ ଥିବା ଇଞ୍ଜିନିୟର, ଅଧିକାରୀ ଓ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟର ଯେଉଁ ଗ୍ରାମ ଗୁଡ଼ିକୁ ସବୁଦିନିଆ ରାସ୍ତା ନାହିଁ ସେଠାକୁ ସବୁଦିନିଆ ଯୋଗାଯୋଗ ସୁବିଧା ଯୋଗାଇ ଦେବା ଲାଗି ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ଵାଇ) ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ୧୦୦ ପ୍ରତିଶତ ଅର୍ଥ ଯୋଗାଇ ଆସୁଥିଲେ। କିନ୍ତୁ ୨୦୧୫-୧୬ ଆର୍ଥିକ ବର୍ଷରୁ ଏହି ପାଣ୍ଠି ଯୋଗାଣ ଢାଞ୍ଚାରେ ପରିବର୍ତନ କରାଯାଇଥିଲା। କେନ୍ଦ୍ର ସରକାର ୬୦ ପ୍ରତିଶତ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ପାଣ୍ଠି ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ପିଏମ୍‌ଜିଏସ୍‌ଓ୍ଵାଇରେ ରାଜ୍ୟର ୧୮ଟି ସମନ୍ଵିତ କାର୍ଯ୍ୟାନ୍ଵୟନ ଯୋଜନା (ଆଇଏପି) ଜିଲ୍ଲାରେ ସର୍ବନିମ୍ନ ୨୫୦ ଜଣ ଲୋକ ବାସ କରୁଥିବା ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣର ବ୍ୟବସ୍ଥା ରହିଛି। ଅନ୍ୟ ୧୨ଟି ଅଣ ଆଇଏପି ଜିଲ୍ଲାରେ ୫୦୦ ବା ତଦୂର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସବୁଦିନିଆ ସଡ଼କ ନିର୍ମାଣର ବ୍ୟବସ୍ଥା କରାଯାଇଛି। ଏତଦ୍‌ବ୍ୟତୀତ ରାଜ୍ୟର ୩୮ଟି ନକ୍ସଲ ପ୍ରଭାବିତ ବ୍ଲକ୍‌ରେ ୧୦୦ ଲୋକ ବାସ କରୁଥିବା ଗାଁକୁ ଏହି ରାସ୍ତା ନିର୍ମାଣର ନିୟମ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ୬୦,୫୯୪.୪୨ କିମିର ସଡ଼କ ନିର୍ମାଣ ପାଇଁ ୨୩୯୭୪ କୋଟି ୧୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୧୯,୧୭୪.୪୮ କୋଟି ଟଙ୍କା ବ୍ୟୟରେ ୪୬,୮୨୦.୦୫ କିମି ସଡ଼କ ନିର୍ମାଣ କରିଛନ୍ତି।

ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଆଗରେ, ପ୍ରଶଂସା କଲେ କେନ୍ଦ୍ର ସରକାର

୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାକୁ ୭୦୦୦ କିମି ସଡ଼କ ନିର୍ମାଣର ଲକ୍ଷ୍ୟ ଦିଆଯାଇଥିଲା। ଦେଶର ଯେକୌଣସି ରାଜ୍ୟ ତୁଳନାରେ ଓଡ଼ିଶାକୁ ଅଧିକ ରାସ୍ତା ନିର୍ମାଣ ଲକ୍ଷ୍ୟ ଦିଆଯାଇଥିଲା। ତେବେ ଓଡ଼ିଶା ଉକ୍ତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଅର୍ଥାତ୍‌ ୭୦୦୯. ୧୯ କିମି ରାସ୍ତା ନିର୍ମାଣ କରିଛି। ଏହି ଯୋଜନାରେ ସଡ଼କ ନିର୍ମାଣ ହେବା ଦିନଠାରୁ ଏହି ନିର୍ମାଣ ସର୍ବାଧିକ ବୋଲି କୁହାଯାଇଛି। ଓଡ଼ିଶା ପଛକୁ ବିହାର ୪୯୫୫.୧୦ କିମି ସଡ଼କ ନିର୍ମାଣ କରି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମଧ୍ୟପ୍ରଦେଶ ୪୬୭୨.୩୨ କିମି ସଡ଼କ ନିର୍ମାଣ କରି ତୃତୀୟ ଏବଂ ଝାଡ଼ଖଣ୍ଡ ୩୭୫୨ କିମି ସଡ଼କ ନିର୍ମାଣ କରି ଚତୁର୍ଥ ସ୍ଥାନରେ ରହିଛି। ଏତଦ୍‌ବ୍ୟତୀତ ୨୦୧୭-୧୮ରେ ୭୬୮.୫୧ କିମିର ସଡ଼କ ନିର୍ମାଣ ପାଇଁ ରାଜ୍ୟ ସରକାର ନୂଆ ପ୍ରଯୁକ୍ତି ଏବଂ ଆଧୁନିକ ଉପକରଣର ପ୍ରୟୋଗ କରିଛନ୍ତି। ରାଜ୍ୟ ମଧ୍ୟରେ ସଡ଼କ ନିର୍ମାଣ କରିବା କ୍ଷେତ୍ରରେ ସୁନ୍ଦରଗଡ଼ ଶୀର୍ଷରେ ରହିଛି। ଏହି ଜିଲ୍ଲା ୨୦୧୭-୧୮ ଆର୍ଥିକ ବର୍ଷରେ ୭୧୦.୦୩ କିମି ସଡ଼କ ନିର୍ମାଣ କରିଥିବାବେଳେ ଏହା ପଛକୁ ଯଥାକ୍ରମେ ମୟୂରଭଞ୍ଜ ୬୩୩.୭୭ କିମି, ଗଞ୍ଜାମ ୫୪୭.୦୪ କିମି, କୋରାପୁଟ ୫୧୩.୩୦ କିମି ଏବଂ ମାଲକାନଗିରି ୪୨୯.୬୬ କିମି ସଡ଼କ ନିର୍ମାଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୬-୧୭ରେ ଓଡ଼ିଶା ୫୭୯୬.୯୩ କିମି ସଡ଼କ ନିର୍ମାଣ କରିଥିବା ଯୋଗୁ ୧୭୫.୬୭ କୋଟି ଟଙ୍କାର ପ୍ରୋତ୍ସାହନ ରାଶି କେନ୍ଦ୍ର ସରକାରଙ୍କଠାରୁ ହାସଲ କରିଥିଲା। ୨୦୧୬-୧୭ରେ ବିହାର ୬୬୦୧.୬୨ କିମି ରାସ୍ତା ନିର୍ମାଣ କରି ଶୀର୍ଷରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର