‘ଚାଟ୍‌ଜିପିଟି’କୁ ପ୍ରବଳ ବିରୋଧ: ଓପନ୍‌ଏଆଇ ବିରୋଧରେ ତଦନ୍ତ ଦାବି

ଆମେରିକା ଫେଡେରାଲ୍ ଟ୍ରେଡ୍‌ କମିସନଙ୍କ ନିକଟରେ ଅଭିଯୋଗ

ନୂଆଦିଲ୍ଲୀ: ମଣିଷର ଭାବନା ଶକ୍ତିକୁ ପ୍ରଯୁକ୍ତିର ରୂ‌ପ ଦେଇ ପରୀକ୍ଷାନିରୀକ୍ଷା ଜାରି କରିଥିବା ସଂସ୍ଥା ଓପୋନ୍‌ଏଆଇ ବିରୋଧରେ ଆମେରିକାର ଫେଡେରାଲ୍‌ ଟ୍ରେଡ୍‌ କମିସନଙ୍କ ନିକଟରେ ଅଭିଯୋଗ କରାଯାଇଛି। କଂପାନିର ବହୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉତ୍ପାଦ ଚାଟ୍‌ଜିପିଟିକୁ ବନ୍ଦ କରିବା ଲାଗି ଏଥିରେ ନିବେଦନ କରାଯାଇଛି। ନୈତିକତା ଲାଗି ଲଢ଼େଇ କରୁଥିବା ପ୍ରଯୁକ୍ତି ଜଗତର ଏକ ଦଳ ‘ସେଣ୍ଟର ଫର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଡିଜିଟାଲ୍ ପଲିସି’ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ମାର୍କ ରୋଟେନ୍‌ବର୍ଗଙ୍କ ନେତୃତ୍ବାଧୀନ ଏହି ଦଳ ଚାଟ୍‌ଜିପିଟିର ଉନ୍ନତ ଭର୍ସନ ‘ଜିପିଟି-୪’କୁ କଡ଼ା ବିରୋଧ କରିଛନ୍ତି। ଏହାକୁ ବାଣିଜ୍ୟିକ ଭାବେ ଉପଲବ୍ଧ କରାଇବା ଉପରେ ରୋକ ଲଗାଇବା ସହ ଏହାର ସୃଷ୍ଟିକର୍ତ୍ତା ଓପୋନ୍ ଏଆଇ ବିରୋଧରେ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ କମିସନଙ୍କୁ ନିବେଦନ କରାଯାଇଛି।

ଓପନ୍‌ଏଆଇ ହେଉଛି ବିଲ୍‌ ଗେଟ୍‌ସଙ୍କ କଂପାନି ମାଇକ୍ରୋସଫ୍ଟ ସମର୍ଥିତ ଏକ ଷ୍ଟାର୍ଟଅପ୍‌ ସଂସ୍ଥା ଯାହା ସାମ୍ ଅଲ୍‌ଟମ୍ୟାନ୍‌ଙ୍କ ଅଧୀନରେ ପରିଚାଳିତ ହେଉଛି। ଏହି ସଂସ୍ଥା ପାଇଁ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ବି କାମ କରିଥିଲେ। କିନ୍ତୁ ସବୁ କିଛି ଠିକ୍‌ଠାକ୍‌ ନଚାଲିବାରୁ ମସ୍କ ୨୦୧୮ରେ କଂପାନିରୁ ବାହାରି ଆସିଥିଲେ। ଗତକାଲି ମସ୍କଙ୍କ ସମେତ ବିଶ୍ବର ୧୦୦୦ ବିଶେଷଜ୍ଞ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (ଏଆଇ)କୁ ନେଇ ହେଉଥିବା ପରୀକ୍ଷାନିରୀକ୍ଷା ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଥିଲେ। ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ କହିଛନ୍ତି। ଏଆଇ ମାନବ ସମାଜ ପାଇଁ ସବୁଠୁ ବଡ଼ ବିପଦ ବୋଲି ସେମ‌ାନେ କହିଛନ୍ତି।

ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୁହେଁ
ଏସବୁ ସୁବିଧା ସତ୍ତ୍ବେ ଚାଟ୍‌ଜିପିଟିରେ ମଧ୍ୟ କେତେକ ଅସୁବିଧା ରହିଛି। ପ୍ରଥମତଃ ଏହା ସଂପୂର୍ଣ୍ଣ ତ୍ରୁଟିମୁକ୍ତ ନୁହେଁ। ଅନେକ ସମୟରେ ଏଥିରେ ଭୁଲ ଉତ୍ତର ମଧ୍ୟ ମିଳୁଛି। ଯେତେବେଳେ ୟୁଜର ଏକ ଦ୍ବନ୍ଦ୍ବାତ୍ମକ ପ୍ରଶ୍ନ କରିବ ସେହି ସମୟରେ ଚାଟ୍‌ଜିପିଟି ସ୍ପଷ୍ଟ ଭାବେ ପ୍ରଶ୍ନ କରିବାକୁ କହିପାରେ। ତେବେ ଚାଟ୍‌ ଜିପିଟି-୪ ମଡେଲରେ ବ୍ୟବହାରକାରୀ କ’ଣ ଚାହୁଛି ତାହାର ଅନୁମାନ କରିବା ପ୍ରୋଗ୍ରାମିଂ ହୋଇଛି।

କେତେକ ସମୟରେ ଏହା କ୍ଷତିକାରକ ଆଦେଶର ଉତ୍ତର ମଧ୍ୟ ଦେଇଥାଏ କିମ୍ବା ପାତରଅନ୍ତର ପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥାଏ। ବିପଦପୂର୍ଣ୍ଣ ବିଷୟବସ୍ତୁକୁ ଅଟକାଇବା କିମ୍ବା ସ‌ଚେତନ କରାଇବା ପାଇଁ ଏହା ମ‌ଡରେସନ ଏପିଆଇ ନାମକ ଟୁଲ୍ ବ୍ୟବହାର କରିଥାଏ। ଏହାସତ୍ତ୍ବେ କେତେକ କ୍ଷେତ୍ରରେ ଗଡ଼ବଡ଼ ହେବାର ଆଶଙ୍କା ରହିଛି।ଏକାଧିକ ବିବର୍ତ୍ତନ ହୋଇ ଜିପିଟି-୪ ଆସିଥିଲେ ମଧ୍ୟ ଏହା ସଂପୂର୍ଣ୍ଣମାତ୍ରାରେ ବିଶ୍ବା‌ସଯୋଗ୍ୟ ହୋଇପାରି ନାହିଁ। ତଥ୍ୟଗତ ତ୍ରୁଟି ରହୁଥିବା କୁହାଯାଉଛି। ଏଥିସହିତ କେ‌ତେକ ବହୁଳ ବ୍ୟବହୃତ ଶବ୍ଦ ଓ ବାକ୍ୟକୁ ଏହା ଭୁଲ ଭାବେ ବୁଝିଥାଏ।

ଅପବ୍ୟବହାର ଆଶଙ୍କା

ଉକ୍ତ ପ୍ରଯୁକ୍ତିର ଅପବ୍ୟବହାର କେତେକ କ୍ଷେତ୍ରରେ ହୋଇପାରେ। ସାଇବରସିକ୍ୟୁରିଟି ଚାଟ୍‌ଜିପିଟିରୁ ସ୍ପାଏୱେର ସୃଷ୍ଟି ହୋଇପାରେ। କୌଣସି ବ୍ୟକ୍ତି ଏହାକୁ ମାଲୱେର କୋଡ୍ ସୃଷ୍ଟି ପାଇଁ ବ୍ୟବହାର କରିପାରେ। ତାହାପରେ ସେହି କୋଡ୍‌କୁ ବଦଳାଇ ଦେଇପାରେ ଯାହାଦ୍ବାରା ତାହାକୁ ବନ୍ଦ କରିବା କିମ୍ବା ଚିହ୍ନଟ କରିବା କଷ୍ଟକର ହୋଇପାରେ।
ଫିସିଂ ଏବଂ ସ୍କାମିଂ
ଫିସିଂ ପାଇଁ ବଳିଷ୍ଠ ଲିଖନ ମାଧ୍ୟମ ଚାଟଜିପିଟି ହୋଇପାରେ।
ବିଦ୍ୟାଳୟରେ ପିଲାଙ୍କ ଦ୍ବାରା ଦୁରୁପଯୋଗ
ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପିଲାମାନେ ଏହି ପ୍ରଯୁକ୍ତିର ଦୁରୁପଯୋଗ କରିପାରନ୍ତି। କପି କରି ଶିକ୍ଷକଙ୍କୁ ଠକିବା ଲାଗି ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଏହାକୁ ବ୍ୟବହାର କରିଦେଇପାରନ୍ତି।
ଲେଖକଙ୍କ କାମ ବନ୍ଦ କରିଦେଇପାରେ
ଯଦି ଚାଟଜିପିଟିରେ କେହି କୌଣସି ବିଷୟ ଲେଖିବାକୁ ଚାହେଁ ତାହା ଲେଖି ଦେଇ ପ୍ରକାଶ ମଧ୍ୟ କରିଦେଇପାରେ। ଯଦି ଏହା ହୁଏ ତାହେଲେ ଲେଖକମାନଙ୍କ ପ୍ରତି ବିପଦ ରହିଛି। ଅନ୍ୟପକ୍ଷରେ ଲେଖା ଚୋରି ଅଭିଯୋଗ ଚାଟଜିପିଟି ବିରୋଧରେ ହୋଇପାରିବ କି ନାହିଁ ତାହା ଆଉ ଏକ ପ୍ରଶ୍ନ।
ନିଯୁକ୍ତିଦାତାଙ୍କୁ ‌ବୋକା ବନାଇପାରେ
ଏକ କନସଲଟାନ୍ସି ଫାର୍ମର ଯୁକ୍ତି ହେଲା ଦରଖାସ୍ତ ଲେଖିବାରେ ଚାଟଜିପିଟି ଲୋକଙ୍କ ଠାରୁ ୮୦ ପ୍ରତିଶତ ଭଲ ପ୍ରଦର୍ଶନ କରୁଛି। ତେଣୁ ନିଯୁକ୍ତିଦାତାଙ୍କୁ ଏହା ଜରିଆରେ ଉତ୍ତମମାନର ଲେଖା ଲେଖି ପ୍ରଦର୍ଶିତ କରି ପାରୁଥିବା ଉକ୍ତ ପ୍ରଯୁକ୍ତି ଚାକିରି ଆଶାୟୀ ପ୍ରାର୍ଥୀମାନେ ବୋକା ବନେଇ ଦେଇପାରନ୍ତି।

ବିବର୍ତ୍ତନ ପଥରେ…
ନୂଆଦିଲ୍ଲୀ: ଚାଟ୍‌ଜିପିଟିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆମେରିକୀୟ ଷ୍ଟାର୍ଟଅପ୍ କମ୍ପାନି ଓପନଏଆଇ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ପ୍ରଯୁକ୍ତିର ବ୍ୟବହାର କରି ଗୁଗୁଲ୍‌ ଭଳି ବଡ଼ ବଡ଼ କମ୍ପାନି ଏ କ୍ଷେତ୍ରରେ ସମା‌ନ ଧରଣର ଉତ୍ପାଦ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି। ତେବେ ଏହା କିଭଳି କାର୍ଯ୍ୟ କରୁଛି ଏବଂ ଏହାର ଅର୍ଥ କ’ଣ ଆଦି ସଂପର୍କରେ ଅନେକ ଉତ୍ସୁକତା ରହିଛି। ଚାଟ୍‌ଜିପିଟିରେ ଜିପିଟି ହେଲା ଜେନେରେଟିଭ ପ୍ରି-ଟ୍ରେନ୍‌ଡ ଟ୍ରାନ୍ସଫର୍ମର। ତେଣୁ ଚାଟ୍‌ଜିପିଟି ହେଲା ଏହା ଲାର୍ଜ ଲାଙ୍ଗୁଏଜ ମଡେଲ ବା ଏଲଏଲଏମ। ବର୍ତ୍ତମାନ ସୁଦ୍ଧା ଏହାର ବିବର୍ତ୍ତନ ହୋଇ ଚାଟଜିପିଟି ୩.୫ ଭର୍ସନ ଆସିଛି। ମଣିଷ ମନରେ ଉଙ୍କି ମାରୁଥିବା କମ୍ବା କୌଣସି ପ୍ରକାର ଉତ୍ତର ଖୋଜୁଥିବା ବ୍ୟକ୍ତି ପାଇଁ ଏହା ଅନେକ କ୍ଷେତ୍ରରେ ଏବେ ଉତ୍ତର ଦେବାକୁ ସକ୍ଷମ ହୋଇପାରୁଛି। ମତ ବିନିମୟ କରିବା ଭଳି ହେଉଛି। ଜଣେ ବ୍ୟକ୍ତି ଯେଉଁସବୁ ପ୍ରଶ୍ନ ପଚାରୁଛି ତାହାର ଗୋଟିଏ ପରେ ଗୋଟିଏ ଉତ୍ତର ‌ଏହା ଦେଇପାରୁଛି।

ପୂର୍ବରୁ ସେଟ୍ ହୋଇଥିବା ଉତ୍ତରରେ ଯଦି କିଛି ତ୍ରୁଟି ରହୁଛି ତାହେଲେ ବ୍ୟବହାରକାରୀ ତାଙ୍କର ମତାମତ ସେଥିରେ ଲେଖିଲେ ତାହା ଗ୍ରହଣଯୋଗ୍ୟ ହେଉଛି ଏବଂ ପରେ ତାହାର ସଠିକ ଉତ୍ତର ଆସୁଛି। ଅର୍ଥାତ ନିଜ ତ୍ରୁଟିକୁ ନିଜେ ସଂଶୋଧନ କରିବାର କ୍ଷମତା ଏହାର ରହିଛି। ସେଥିପାଇଁ ଏହାକୁ ଅଟୋରିଗ୍ରେସିଭ ଲାଙ୍ଗୁଏଜ ମଡେଲ କୁହାଯାଉଛି। କେବଳ ସେତିକି ନୁହେଁ, ଏଥିରେ ବ୍ୟବହାରକାରୀ ଏବଂ ସଫ୍ଟ‌ୱେର ମଧ୍ୟରେ ମତ ବିନିମୟର ଯେଉଁ ସୁବିଧା ରହିଛି ସେଥିରେ ଅନୁପଯୁକ୍ତ ପ୍ରଶ୍ନ ବା ଅନୁରୋଧକୁ ଏଡ଼ାଇ ଦିଆଯାଇ ପାରୁଛି। କିଛି ତ୍ରୁଟିପୂର୍ଣ୍ଣ ଉତ୍ତରକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଉଛି। ମଣିଷ ଯେଭଳି କୌଣସି ପ୍ରଶ୍ନର ଉତ୍ତର ଲେଖିଥାଏ ଏହି ସଫ୍ଟୱେର ମଧ୍ୟ ସେଭଳି ‌ଉତ୍ତର ଲେଖୁଛି। ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ପାଇବା ପାଇଁ ଇଣ୍ଟରନେଟ୍‌ରେ ଯେଭଳି ଏକରାଧିକ ସାଇଟ୍‌କୁ ଯିବାକୁ ପଡ଼ିଥାଏ କିମ୍ବା ଏକ ଛୋଟ ଉତ୍ତର ପାଇବା ଲାଗି ପୁଳାଏ ଘାଣ୍ଟିବାକୁ ହୋଇଥାଏ ଚାଟ୍‌ଜିପିଟିରେ ତାହା ହୋଇ ନଥାଏ। ସିଧା ଉତ୍ତର ଏଥିରେ କମ୍ ସମୟ ମଧ୍ୟରେ ମିଳିଯାଇଥାଏ।

 

ସମ୍ବନ୍ଧିତ ଖବର