ରାଜନଙ୍କ ପରେ ସତର୍କ କଲେ ବିରଳ, ରିଜର୍ଭ ବ୍ୟାଙ୍କ ଟଙ୍କାରେ ନିଅଣ୍ଟ ଭରଣା ମହଙ୍ଗା ପଡ଼ିବ

ଦରଦାମ୍ ବେଲଗାମ ହୋଇପଡ଼ିବ

ମୁମ୍ବାଇ : ଲକ୍‌ଡାଉନ୍ ପ୍ରଭାବରେ ରାଜସ୍ବ ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ବଜେଟ୍ ଗଣିତ ବିଗିଡ଼ି ଯାଇଛି। ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବାରେ ପାଣ୍ଠିର ଅଭାବ ଦେଖାଦେଇଛି। ସେହି ଅଭାବକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଟଙ୍କା ଜରିଆରେ ଦୂର କରିବା ଉପରେ ବିଚାର କରାଯାଉଛି। ତେବେ ଏଭଳି ପଦକ୍ଷେପ ଗ୍ରହଣ କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ସତର୍କ କରାଇ ଦେଇଛନ୍ତି।

ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛିଦିନ ତଳେ ଏ ନେଇ ସରକାରଙ୍କୁ ସତର୍କ କରାଇଥିବାବେଳେ ଆଜି ବିରଳ ବି ସତର୍କ କରାଇଛନ୍ତି। ସେ କହିଛନ୍ତି, ଏହି ଚିନ୍ତାଧାରା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଏଭଳି ପଦକ୍ଷେପ ଗ୍ରହଣ କରିବାର ଅର୍ଥ ୧୯୭୦ ଓ ୧୯୮୦ରେ ହୋଇଥିବା ଭୁଲ୍‌କୁ ଦୋହରାଇବା ଭଳି ହେବ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କରେ ଉର୍ଜିତ ପଟେଲ୍ ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଡେପୁଟି ଥିଲେ ବିରଳ। ୨୦୧୮ ଡିସେମ୍ବରରେ ଉର୍ଜିତ ଇସ୍ତଫା ଦେବାର କିଛି ମାସ ପରେ ବିରଳ ମଧ୍ୟ ରିଜର୍ଭ ବ୍ୟାଙ୍କ ଚାକିରି ଛାଡ଼ିଦେଇଥିଲେ। ରିଜର୍ଭ ବ୍ୟାଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ ହେଉଥିବା ଅଭିଯୋଗ କରି ସେ ଇସ୍ତଫା‌ ଦେଇଥିଲେ। ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ରହିଥିବା ମତଭେଦକୁ ଏକ ସଭାରେ ସାର୍ବଜନୀନ କରିଥିଲେ।

ବିରଳ ମନେ ପକାଇ ଦେଇଛନ୍ତି ଯେ, ଅତୀତରେ ରିଜର୍ଭ ବ୍ୟାଙ୍କ ଟଙ୍କାକୁ ବ୍ୟବହାର କରି ଯେତେ ଥର ସରକାରଙ୍କ ନିଅଣ୍ଟ ଭରଣା କରିବାକୁ ପ୍ରୟାସ କରାଯାଇଥିଲା ସେହି ସମୟରେ ଦରଦାମ୍ ବେଲଗାମ ହୋଇପଡ଼ିଥିଲା ଏବଂ ବୈଦେଶିକ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା ରିଜର୍ଭ ବ୍ୟାଙ୍କର ଏକ ବଡ଼ କାର୍ଯ୍ୟ, ଯାହାକୁ ଏହା ୨-୬% ଭିତରେ ରଖିବାକୁ ଉଦ୍ୟମ କରୁଛି। ବିତ୍ତୀୟ ଶୃଙ୍ଖଳା ଓ ବଜେଟ୍ ପରିଚାଳନା ନିୟମ ଅନୁଯାୟୀ, ପ୍ରାଥିମକ ବଜାର‌ରୁ ରିଜର୍ଭ ବ୍ୟାଙ୍କ ସିଧାସଳଖ ସରକାରୀ ସିକ୍ୟୁରିଟିଜ୍‌(ପ୍ରତିଭୂତି) କିଣିପାରିବ ନାହିଁ। ତେବେ ଦେଶ ଯେତେବେଳେ ଜାତୀୟ ବିପତ୍ତି ସାମ୍ନା କରୁଥିବ କିମ୍ବା ଗୁରୁତର ମାନ୍ଦାବସ୍ଥା ଦେଇ ଗତି କରୁଥିବ ସେହି ସମୟରେ ସରକାରୀ ସିକ୍ୟୁରିଟିଜ୍‌କୁ ସିଧାସଳଖ କିଣିବା ଲାଗି ଅନୁମତି ମିଳିବା ଦରକାର ବୋଲି ଦାବି ହେଉଛି। କରୋନା ଦ୍ବାରା ସୃଷ୍ଟ ସଙ୍କଟ ସେହି ସୁଯୋଗ ଆଣିଥିଲେ ମଧ୍ୟ ଏହା ଦେଶର ଦୁଇ ପ୍ରକାର ନିଅଣ୍ଟ ବୃଦ୍ଧିର କାରଣ ହୋଇପାରେ ବୋଲି ବିରଳ ସତର୍କ କରାଇଛନ୍ତି। ବିତ୍ତୀୟ ନିଅଣ୍ଟ ଓ ଚଳନ୍ତି ଜମା ନିଅଣ୍ଟ ବେଲଗାମ ହେଲେ ଦେଶ ଉପରେ ନିବେଶକଙ୍କ ଯେଉଁ ଭରସା ରହିଛି ତାହା ତୁଟିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର