ଏମ୍‌ଏସ୍‌ଏମ୍‌ଇ ବିଭାଗର ଭର୍ଚୁଆଲ ବୈଠକ, ଠିକ୍‌ ସମୟରେ ଡିପିଆର୍‌ ନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଖାରବେଳ ଭବନସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିଭାଗର ସମ୍ମିଳନୀ କକ୍ଷରେ ଆଜି ବିଭାଗର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏ‌ହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଯେଉଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଆୟୋଜନ କରିଥିବା ଦକ୍ଷତା ଦିବସ, ମାଷ୍ଟର କ୍ରାଫ୍ଟସ୍‌ ଗୁରୁଶିଷ୍ୟ ଭଳି ତାଲିମର ଯୁକ୍ତିଯୁକ୍ତ ଡାଟାବେସ୍ ପ୍ରସ୍ତୁତ ହୋଇ ନଥିବା ଦର୍ଶାଇ ଏ ସଂପର୍କରେ ସଠିକ ତଥ୍ୟ ନଦେଲେ ଖିଲାପୀ ଜିଲ୍ଲାକୁ ତାଲିମ ପାଇଁ ଆବଣ୍ଟିତ କାର୍ଯ୍ୟକୁ ଫେରାଇ ଦିଆଯିବ ବୋଲି ବରିଷ୍ଠ ଅଧିକାରୀମାନେ କହିଥିଲେ। ସେହିଭଳି କେତେକ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇ ନଥିବାରୁ ଏହି କାର୍ଯ୍ୟକୁ ଶୀଘ୍ର ସାରିବା ଲାଗି ପରାମର୍ଶ ଦିଆଯାଇଥିଲା। କେତେକ ଜିଲ୍ଲା ଆଶାନୁରୂପ ଭାବେ ମଞ୍ଜୁର ଅର୍ଥ ସହାୟତା ହିତାଧିକାରୀଙ୍କୁ ପ୍ରଦାନ କରିଥିବାବେଳେ ଅନ୍ୟ କେତେକ ଜିଲ୍ଲା ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଯଥାଶୀଘ୍ର ଏଦିଗରେ ଯତ୍ନବାନ ହେବାକୁ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ତାଗିଦ୍ କରିଥିଲେ।

ଲକଡାଉନ୍ ସମୟରେ ଡିପିଆର ପ୍ରସ୍ତୁତ କରିବାକୁ ସୁଯୋଗ ରହିଥିବାରୁ ଏହି କାର୍ଯ୍ୟ ସାରିବାକୁ ସେ କହିଥିଲେ। ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଡିପିଆର ଓ ବିନିଯୋଗପତ୍ର ଠିକ୍ ସମୟରେ ଦାଖଲ ନକରିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ବୈଠକରେ କୁହାଯାଇଥିଲା ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ଦ୍ବାରା ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ସେଗୁଡ଼ିକ ହେଲା ବରଗଡ଼ ରାଇସ ବ୍ରାନ୍ କ୍ଲଷ୍ଟର, ଗଞ୍ଜାମ କାଜୁବାଦାମ କ୍ଲଷ୍ଟର, କଟକ-ଭୁବନେଶ୍ବର ଫାର୍ମା କ୍ଲଷ୍ଟର, ବାଲେଶ୍ବର ରାଇସ ବ୍ରାନ୍ କ୍ଲଷ୍ଟର ଓ ବଲାଙ୍ଗୀର ରାଇସ୍ ମିଲ୍ କ୍ଲଷ୍ଟର। ଏଥିରୁ ବରଗଡ଼, ଗଞ୍ଜାମ ଓ କଟକ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ଏହାବାଦ୍ ଯେଉଁସବୁ କ୍ଲଷ୍ଟର ଆଗକୁ ହେବାକୁ ଅଛି ସେଗୁଡ଼ିକ ହେଲା ଶୁଖୁଆ ମାଛ କ୍ଲଷ୍ଟର-ପାରାଦୀପ, ଇଥାନଲ କ୍ଲଷ୍ଟର-ବରଗଡ଼, ରାଇସ ମିଲ କ୍ଲଷ୍ଟର-ବଲାଙ୍ଗୀର, ଇଞ୍ଜିନିୟରିଂ କ୍ଲଷ୍ଟର-କଟକ, ଅଟୋମୋବାଇଲ୍ସ କ୍ଲଷ୍ଟର-ଭୁବନେଶ୍ବର, ରସଗୋଲା କ୍ଲଷ୍ଟର-ପାହାଳ ଓ ଖୋର୍ଦ୍ଧା, ଫ୍ଲାଏ ଆସ୍ କ୍ଲଷ୍ଟର-ଅନୁଗୁଳ। ସେହିଭଳି ଆଆଇଡି ସ୍କିମରେ ଖୋର୍ଦ୍ଧା, ରାୟଗଡ଼ା ଓ ପାରାଦୀପ ପାଇଁ ୩ଟି ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଯାଏ ଇଡକୋ ଦ୍ବାରା ୧୩ ଗୋଟି ପ୍ରକଳ୍ପର ଡିପିଆର ଦାଖଲ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି। ଶିଳ୍ପ କ୍ଲଷ୍ଟରଗୁଡ଼ିକରେ କାର୍ଯ୍ୟ ତ୍ବରାନ୍ବିତ ହୋଇ ନଥିବାରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମା ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର