ମୋବାଇଲରୁ ଭାଇରସ୍ ‌ଚୋରେଇ ନେବ ବ୍ୟାଙ୍କ ତଥ୍ୟ: ୧୮ ବ୍ୟାଙ୍କର ଗ୍ରାହକଙ୍କ ପ୍ରତି ବିପଦ

ସାବଧାନତା ଅବଲମ୍ବନ କରନ୍ତୁ

ନୂଆଦିଲ୍ଲୀ: ପ୍ରଯୁକ୍ତିର ବ୍ୟବହାର ବ୍ୟାଙ୍କିଂ ସେବାକୁ ତ୍ବରାନ୍ବିତ କରିପାରିଛି। ଲୋକମାନେ ଏହାର ଲାଭ ପାଉଛନ୍ତି। କିନ୍ତୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଏହି ପ୍ରଯୁକ୍ତିର ଦୁରୁପଯୋଗ କରି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ସଂପ୍ରତି ଆଣ୍ଡ୍ରଏଡ୍ ଫୋନ ବ୍ୟବହାରକାରୀଙ୍କ ପ୍ରତି ଏକ ବିପଦ ଦେଖାଦେଇଛି। ଡ୍ରିନିକ ଆଣ୍ଡ୍ରଏଡ ବ୍ୟାଙ୍କିଂ ଟ୍ରୋଜାନ ବା ଭାଇରସକୁ ଏବେ ଚିହ୍ନଟ କରାଯାଇଛି ବୋଲି ସାଇବଲ ରିସର୍ଚ୍ଚ ଆଣ୍ଡ୍ ଇଣ୍ଟେଲିଜେନ୍ସ ଲାବ୍‌ସ (ସିଆରଆଇଏଲ୍‌) ପକ୍ଷରୁ କୁହାଯାଇଛି। ଏହି ଭାଇରସ ବା ମାଲୱେରଟି ମୋବାଇଲ ଫୋନର ସ୍କ୍ରିନ ରେକର୍ଡିଂ କରିବା କ୍ଷମତା ରଖିଛି। ଏହାଦ୍ବାରା ଲୋକଙ୍କ କ୍ରେଡିଟ୍ କାର୍ଡ ସିଭିଭି, ପିନ୍ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିନେବାର ବିପଦ ଦେଖାଦେଇଛି। ଉକ୍ତ ଭାଇରସ ଟାର୍ଗେଟରେ ଏବେ ୧୮ଟି ବ୍ୟାଙ୍କର ଗ୍ରାହକ ରହିଛନ୍ତି। ଉକ୍ତ ୧୮ଟି ବ୍ୟାଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଗ୍ରାହକ ବି ରହିଛନ୍ତି।

ଡ୍ରିନିକ ଏକ ପୁରୁଣା ଭାଇରସ। ୨୦୧୬ରେ ଉକ୍ତ ଭାରଇସ ପ୍ରଥମେ ଦେଖାଯାଇଥିଲା। ପରେ ୨୦୨୧ରେ ଏହା ପୁଣି ସକ୍ରିୟ ହୋଇଥିବା ଜଣାପଡ଼ିଥିଲା। ଏହାର ମାସକ ପରେ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌ (ସିଇଆର୍‌ଟି-ଇନ୍‌) ଭାରତୀୟ ଟିକସଦାତାଙ୍କୁ ସତର୍କ କରାଇଥିଲା। ୨୭ଟି ବ୍ୟାଙ୍କର ଗ୍ରାହକଙ୍କ ପ୍ରତି ବିପଦ ଥିବା ମଧ୍ୟ କହିଥିଲା। ସେହି ସମୟରେ ଟିକସଦାତାମାନଙ୍କୁ ମୋବାଇଲ ‌ଆପ୍‌, ଫିସିଂ ଇମେଲ ଆଦି ଜରିଆରେ ଟା‌ର୍ଗେଟ କରାଯାଉଥିଲା। ବର୍ତ୍ତମାନ ସେହି ଭାଇରସ ବା ମା‌ଲୱେରର ନୂଆ ଭର୍ସନ ଆସିଛି। ପୂର୍ବାପେକ୍ଷା ଏହା ଅଧିକ ଶକ୍ତିଶାଳୀ। ଫୋନକୁ ଏପିକେ ଫାଇଲ ସହିତ ଏକ ଏସଏମଏସ ଏହି ଭାଇରସ ପଠାଉଛି। ଏଥିରେ ଆଇଆସିଷ୍ଟ ନାମକ ଏକ ଆପ୍ ରହିଛି। ଆୟକର ବିଭାଗର ଅଫିସିଆଲ ଟିକସ ପରିଚାଳନା କିଟ୍ ଭାବେ ଏହା ନିଜର ପରିଚୟ ଦେଇଥାଏ। ଆଣ୍ଡ୍ରଏଡ ଫୋନରେ ବ୍ୟବହାରକାରୀ ସେହି ଆପ୍‌କୁ ଥରେ ଇନଷ୍ଟଲ କରିଦେଲେ ଫୋନର କେତେକ ଫଙ୍କସନ ପାଇଁ ତାହା ଅନୁମତି ମାଗିଥାଏ। ସେହି ଅନୁମତି ମଧ୍ୟରେ ଏସଏମଏସ ଗ୍ରହଣ କରିବା, ପଢ଼ିବା ଏବଂ ପ୍ରେରଣ କରିବା ସହିତ କଲ୍ ଲଗ୍‌କୁ ପଢ଼ିବା ଆଦି ରହୁଛି। ଏହାପରେ ଉକ୍ତ ଆପ୍‌ ଆକ୍ସେସିବିଲିଟି ସେବାର ବ୍ୟବହାର ପାଇଁ ଅନୁମତି ମାଗିଥାଏ।

ଏହା ମାଗିବାର ଉଦ୍ଦେଶ୍ୟ ହେଲା ଗୁଗଲ୍‌ ପ୍ଲେ ପ୍ରୋଟେକ୍ଟକୁ ଅକାମୀ କରି‌ବା। ଥରେ ଫୋନ ବ୍ୟବହାରକାରୀ ଏହି ଅନୁମତି ଦେଇଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଆପ୍‌ ତାହାର ଲକ୍ଷ୍ୟ ହାସଲରେ ସଫଳ ହୋଇଥାଏ। ସ୍କ୍ରିନ ରେକର୍ଡ ସହିତ କି’ ପ୍ରେସ୍‌ ଆଦିକୁ କ୍ୟାପଚର କରିବା ଆଦି କାର୍ଯ୍ୟ କରିପାରିଥାଏ। ଆପ୍‌ଟି ଯେତେବେଳେ ଆବଶ୍ୟକ କରୁଥିବା ସବୁ ଫଙ୍କସନ ବ୍ୟବହାରର ଅନୁମତି ପାଇଯାଏ ସେତେବେଳେ ୱେବଭିୟୁ ଜରିଆରେ ଆୟକର ବିଭାଗର ୱେବସାଇଟ୍ ଖୋଲିଥାଏ। ଏପରିକି ‌ଆପ୍‌ ଚୋରି କରୁଥିବା ତଥ୍ୟ ଯଥା‌ ପାନ୍ ଓ ଆଧାର ଆଦି ଠିକ୍‌ କି ନୁହେଁ ତାହା ଜାଣିବା କ୍ଷମତା ଏହାର ରହିଛି। ତେବେ ସମସ୍ୟାର ଅନ୍ତ ଏଠାରେ ହୋଇ ନଥାଏ। ଥରେ ଲଗ-ଇନ କରାଗଲେ ଏକ ନକଲି ଡାଇଲଗ ବକ୍ସ ସ୍କ୍ରିନରେ ଡିସପ୍ଲେ ହୋଇଥାଏ। ସେହି ଡାଇଲଗ ବକ୍ସରେ କୁହାଯାଇଥାଏ ପୂର୍ବ ହିସାବରେ ତ୍ରୁଟି କାରଣରୁ ଆପଣ ଆୟକର ରିଫଣ୍ଡ ପାଇବାକୁ ଯୋଗ୍ୟ ହୋଇଛନ୍ତି। ତାହା ପରେ ସେହି ଅର୍ଥ ପାଇବା ପାଇଁ ଆପ୍ଲାଏ ବଟନରେ କ୍ଲିକ କରିବାକୁ କୁହାଯାଇଥାଏ।

ଆପ୍ଲାଏ ବଟନରେ କ୍ଲିକ କରିବା ପରେ ତାହା ୟୁଜରଙ୍କୁ ଏକ ଫିସିଂ ପେଜ୍‌କୁ ନେଇଯାଇଥାଏ ଏବଂ ତାହା ଆୟକର ବିଭାଗର ପ୍ରକୃତ ୱେବସାଇଟ୍ ଭଳି ଦେଖାଯାଇଥାଏ। ସେଠାରେ ୟୁଜରଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, କ୍ରେଡିଟ୍ କାର୍ଡ ନମ୍ବର, ସିଭିସି ଏବଂ କାର୍ଡର ପିନ୍‌ ଆଦି ତଥ୍ୟ ମଗାଯାଇଥାଏ। ସାଇବଲ ରିସର୍ଚ୍ଚ ଆଣ୍ଡ୍ ଇଣ୍ଟେଲିଜେନ୍ସ ଲାବ୍‌ସ (ସିଆରଆଇଏଲ୍‌) ଏହା ଜାଣିବାକୁ ପାଇଛି ଯେ କଲ୍ ସ୍କ୍ରିନିଂ ସର୍ଭିସର ଦୁରୁପଯୋଗ କରିବା ଲାଗି ଏହି ଆପ୍‌ରେ ଏକ କୋଡ ରହିଛି।

ସାବଧାନତା ଅବଲମ୍ବନ କରନ୍ତୁ
ଏଭଳି ସ୍ଥିତିରେ ଥାର୍ଡ ପାର୍ଟି ୱେବସାଇଟ୍ କିମ୍ବା ଏସଏମଏସ ଜରିଆରେ କୌଣସି ଆପ୍‌ ଫୋନରେ ଡାଉନଲୋଡ଼ ନକରିବାକୁ କୁହାଯାଇଛି। ଫୋନ ବ୍ୟବହାରକାରୀ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍‌ର ଆପ୍‌ ଷ୍ଟୋରରୁ ସେହି ଆପ୍‌କୁ ଯାଞ୍ଚ କରିନେବା ଉଚିତ। ସେହିଭଳି କୌଣସି ଅଜଣା ଆପ୍‌କୁ ଏସଏମଏସ ଓ କଲ ଲଗ୍ ଅନୁମତି ଦିଅନ୍ତୁ ନାହିଁ। ଅବଶ୍ୟ ସବୁ ଆପ୍‌ ଅନୁମତି ଲୋଡ଼ି ନଥାନ୍ତି। ତେଣୁ ବ୍ୟବହାରକାରୀ ଏ ନେଇ ଯଥେଷ୍ଟ ଯତ୍ନବାନ ରହିବା ଆବଶ୍ୟକ। ଯଦି ବ୍ୟାଙ୍କ ସଂକ୍ରାନ୍ତ କୌଣସି ଗୁରୁତ୍ବପୂର୍ଣ୍ଣ ଲିଙ୍କ, ଏସଏମଏସ କିମ୍ବା ଇମେଲ୍ ପାଉଛନ୍ତି ତାହେଲେ ତାହାକୁ ଆଉଥରେ ଅଫିସିଆଲ ୱେବସାଇଟ୍‌ରେ ଯାଞ୍ଚ କରନ୍ତୁ। କୌଣସି ଥାର୍ଡ ପାର୍ଟି ଉତ୍ସରୁ ସେସବୁକୁ ଦେଖନ୍ତୁ ନାହିଁ। ଡ୍ରିନିକର ନୂଆ ଭାରିଆଣ୍ଟ ଆକ୍ସେସିବିଲିଟି ସର୍ଭିସ ଉପରେ ନିର୍ଭରଶୀଳ ରହିଥିବାରୁ ବ୍ୟବହାରକାରୀ ଆକ୍ସେସ ସଂପର୍କିତ କୌଣସି ଅନୁମତି ନଦେବାକୁ ନିଶ୍ଚିତ କରନ୍ତୁ।

ସମ୍ବନ୍ଧିତ ଖବର