ଭୁବନେଶ୍ବର: ରୟାଲ ଥାଇ ଦୂତାବାସର ରାଷ୍ଟ୍ରଦୂତ ପଟ୍ଟାରାଟ ହଙ୍ଗଟଙ୍ଗଙ୍କ ନେତୃତ୍ବରେ ଆସିଆନ୍ ଅଧୀନରେ ଥିବା ରାଷ୍ଟ୍ରଗୁଡ଼ିକର ଭାରତରେ ଅବସ୍ଥାପିତ ହେଡ୍ସ ଅଫ୍ ମିସନ୍ସ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଇଣ୍ଡୋନେସିଆ, ମିଆଁମାର, ଲାଓସ, ବ୍ରୁନେଇ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ୍ର ରାଷ୍ଟ୍ରଦୂତମାନେ ଏହି ପ୍ରତିନିଧି ମଣ୍ଡଳୀରେ ରହିଛନ୍ତି। ଓଡ଼ିଶା ଆସିଥିବା ହେଡ୍ସ ଅଫ୍ ମିସନ୍ସମାନଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଅକ୍ଟୋବର ୨୬ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ବାଗତ କରାଯାଇଥିଲା।
ଏହି ପ୍ରତିନିଧି ଦଳ ଡେରାସ ଫୁଡ୍ ପାର୍କ, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ବରର ରାଜା ରାଣୀ ମନ୍ଦିର ଗସ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏକ ମେଗା ବ୍ୟବସାୟ ସମ୍ମିଳନୀରେ ସେ ଭାଗ ନେବେ। ଏଥିରେ ଓଡ଼ିଶା ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ବ୍ୟବସାୟ ଓ ସାଂସ୍କୃତିକ ସମ୍ପର୍କକୁ ନେଇ ରହିଥିବା ସମ୍ଭାବନା ବିଷୟରେ ଆଲୋଚନା ହେବ। ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।