ଜେଟ୍‌ର ୫୫୦ କର୍ମଚାରୀଙ୍କୁ ଚାକିରି ଦେଲା ଭିସ୍ତାରା

ନୂଆଦିଲ୍ଲୀ: ବନ୍ଦ ହୋଇ ଯାଇଥିବା ଜେଟ୍ ଏୟାରୱେଜ୍‌ର ୫୫୦ କର୍ମଚାରୀଙ୍କୁ ଭିସ୍ତାରା ନିଯୁକ୍ତି ଦେଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୧୦୦ ପାଇଲଟ୍ ଏବଂ ୪୫୦ ଜଣ କେବିନ୍ କ୍ରିଉ ଅଛନ୍ତି। ଏଥିସହିତ ଭିସ୍ତାରା ପକ୍ଷରୁ ଜେଟ୍‌ର କେତୋଟି ବିମାନ ଉଡ଼ାଣ ଯୋଜନା ରହିଛି। ଟାଟା ଗ୍ରୁପ ଏବଂ ସିଙ୍ଗାପୁର ଏୟାରଲାଇନ୍ସ‌ର ଯୌଥ ଉଦ୍ୟୋଗରେ ଭିସ୍ତାରା ଗଠିତ ହୋଇଛି। ସେହିଭଳି ଯୌଥ ଉଦ୍ୟୋଗରେ ଗଠିତ ଟାଟା ଗ୍ରୁପର ଅନ୍ୟତମ ଏୟାରଲାଇନ୍ସ ଏୟାର ଏସିଆ ଇଣ୍ଡିଆ ମଧ୍ୟ ଜେଟର କେତୋଟି ବୋଇଂ ୭୩୭ ବିମାନକୁ ଉଡ଼ାଇବା ଯୋଜନା କରୁଛି। ପୂର୍ବରୁ ଏୟାର ଇଣ୍ଡିଆ, ସ୍ପାଇସଜେଟ୍ ଏବଂ ଗୋ ଏୟାର ଜେଟ୍‌ର ପାଇଲଟ୍ ଏବଂ କେବିନ କ୍ରିଉଙ୍କୁ ନିଯୁକ୍ତି ଦେଇଛନ୍ତି। ଜେଟ୍‌ର କେତୋଟି ବି୭୩୭ ବିମାନର ଉଡ଼ାଣ ସ୍ପାଇସଜେଟ୍ କରିଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଜେଟ୍‌ର ବୋଇଂ ୭୭୭ ଏବଂ ୭୩୭ ବିମାନ ଉଡ଼ାଣ ନେଇ ଯୋଜନା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହୋଇନାହିଁ। ଅନ୍ୟପକ୍ଷରେ ଜେଟ୍ ଏୟାରୱେଜ୍‌ର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। କର୍ମଚାରୀମାନଙ୍କ ପାଇଁ କମ୍ପାନି କରିଥିବା ଗ୍ରୁପ୍ ମେଡିକ୍ଲେମ୍ ପଲିସିର ଅବଧି ବୁଧବାର ଶେଷ ହେଉଛି। ଜରୁରୀକାଳୀନ ପାଣ୍ଠି ମିଳୁ ନଥିବାରୁ କମ୍ପାନି କର୍ମଚାରୀମାନଙ୍କ ମେଡିକ୍ଲେମ୍ ପଲିସିର ନବୀକରଣ କରିବା ପରିସ୍ଥିତିରେ ନାହିଁ। ତେଣୁ କର୍ମଚାରୀମାନେ ସେମାନଙ୍କ ତରଫରୁ ସ୍ବାସ୍ଥ୍ୟ ବୀମା ପଲିସି କରାଇ ନେବାକୁ ଜେଟ୍ ପକ୍ଷରୁ କର୍ମଚାରୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର