ପାତ୍ରପଡ଼ାରେ ଖୋଲିବ ଭିଭାନ୍ତ ହୋଟେଲ୍‌

ମୁମ୍ବାଇ: ଦି ଇଣ୍ଡିଆନ୍ ହୋଟେଲ କମ୍ପାନି ଲିମିଟେଡ (ଆଇଏଚସିଏଲ) ଓଡ଼ିଶାରେ ଏହାର ଦ୍ବିତୀୟ ହୋଟେଲ ପ୍ରତିଷ୍ଠା ବିଷୟରେ ଘୋଷଣା କରିଛି। ଭିଭାନ୍ତ ନାମରେ ଏହି ହୋଟେଲ ଭୁବନେଶ୍ବରର ପାତ୍ରପଡ଼ାଠାରେ ଖୋଲିବ। ଏହି ହୋଟେଲର ପରିଚାଳନା ପାଇଁ ଆଇଏଚ୍‌ସିଏଲ୍‌ ଲାଇଫ୍‌ଲାଇନ୍ ମଲ୍ଟି ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ସହିତ ଏକ ରାଜିନାମା ସ୍ବାକ୍ଷର କରିଛି। ଆଇଏଚ୍‌ସିଏଲ୍‌ର ଏମଡି ତଥା ସିଇଓ ପୁନିତ ଚଟ୍‌ୱାଲା ଓ ଲାଇଫଲାଇନ ମଲ୍ଟି ଭେଞ୍ଚର୍ସ ପ୍ରା. ଲିଃ.ର ଏମଡି ଜଗଦୀଶ ପ୍ରସାଦ ନାଏକଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି। ସ୍ବାକ୍ଷର ଅବସରରେ ଆଇଏଚ୍‌ସିଏଲ୍‌ର ଏମଡି ତଥା ସିଇଓ ପୁନିତ ଚଟ୍‌ୱାଲା କୁହନ୍ତି, ୨୦୨୨ ସୁଦ୍ଧା କମ୍ପାନି ଯେଉଁ ସଂପ୍ରସାରଣ ଲକ୍ଷ୍ୟ ରଖିଛି ସେଥିରେ ଭୁବନେଶ୍ବର ଭିଭାନ୍ତ ସାମିଲ ରହିଛି। ଏହି ହୋଟେଲରେ ୧୩୭ଟି ସୁସଜ୍ଜିତ କୋଠରୀ ରହିବ। ଏଥିସହିତ ଭୋଜନାଳୟ, ଚିତ୍ତ ବିନୋଦନ କେନ୍ଦ୍ର, ଆଧୁନିକ ସଭା କେନ୍ଦ୍ର, ସମ୍ମିଳନୀ ‌ପ୍ରକୋଷ୍ଠ ଓ ନୈଶ ଭୋଜନ କେନ୍ଦ୍ର ଆଦି ରହିବ। ୨୦୨୦ ମସିହା ସୁଦ୍ଧା ଏହି ହୋଟେଲ କାର୍ଯ୍ୟକ୍ଷମ ହେବା ଆଶା କମ୍ପାନି ରଖିଛି।

ସମ୍ବନ୍ଧିତ ଖବର