ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ ତଥା ବିଶ୍ୱର ପ୍ରଥମ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନିଂ ସ୍ମାର୍ଟଫୋନ୍କୁ ଆମେରିକାର ଲସ ଭାଗସଠାରେ ଅନୁଷ୍ଠିତ ସିଇଏସ୍-୨୦୧୮ ବା ଇଣ୍ଟରନାସନାଲ କଂଜୁମର ଇଲେକ୍ଟ୍କୋନିକ୍ସ ଶୋ’ରେ ପ୍ରଦର୍ଶନ କରାଯାଇଛି।
ଏହି ସ୍ମାର୍ଟଫୋନରେ ଡିସପ୍ଲେ ଉପରେ ହିଁ ଫିଙ୍ଗରପ୍ରିଣ୍ଟ ସେନସେର ରହିଛି । ଏହି ଫିଚର ଥିବା ସ୍ମାର୍ଟଫୋନ ନିର୍ମାଣ ପାଇଁ କମ୍ପାନି ଆମେରିକୀୟ ଟେକନଲୋଜୀ କମ୍ପାନି ସିନାପ୍ଟିକ୍ର ଅପଟିକାଲ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ବ୍ୟବହାର କରିଛି । ସିନାପଟିକ ଦ୍ୱାରା ପ୍ୟାଟେଣ୍ଟ କରାଯାଇଥିବା ଏହି ଟେକନଲୋଜୀର ନା ହେଉଛି କ୍ଲିୟର ଆଇଡି । ଏହି ଟେକନଲୋଜୀ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନର ଡିସ୍ପ୍ଲେକୁ ସମ୍ପୂର୍ଣ୍ଣ ଭାବେ ବେଜେଲ୍ଲେସ୍ କରିହେବ । ଅର୍ଥାତ୍ ଫୋନର ଆଗପଟଟି ସମ୍ପୂର୍ଣ୍ଣ ଭାବେ ଡିସ୍ପ୍ଲେ ଦ୍ୱାରା କଭର ହୋଇ ରହିବ । ଫିଙ୍ଗର ପ୍ରିଣ୍ଟ ସ୍କାନର ପାଇଁ କୌଣସି ଅଲଗା ସ୍ଥାନ ରଖିବାକୁ ପଡିବ ନାହିଁ । କମ୍ପାନି ଏହି ଫୋନର ଉତ୍ପାଦନ ଆରମ୍ଭ କରିଦେଇଛି । ଚଳିତ ବର୍ଷ କମ୍ପାନି ଫିଙ୍ଗରପ୍ରିଣ୍ଟ ସ୍କାନିଂ ବ୍ୟବସ୍ଥାଥିବା ସ୍ମାର୍ଟଫୋନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିବ।
ଏହି ଅବସରରେ ଭିଭୋର ବରିଷ୍ଠ ଉପସଭାପତି ଆଲେକ୍ସ୍ ଫେଙ୍ଗ୍ କହିଲେ, ‘ କମ୍ପାନି ପକ୍ଷରୁ ୨୦୧୭ ରେ ଏମଡବ୍ଲ୍ୟୁସି ସାଙ୍ଘାଇଠାରେ ପ୍ରୋଟୋଟାଇପ୍ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଟେକନଲୋଜୀର ପ୍ରଦର୍ଶନ କରାଯାଇଥିଲା। ଏହା ଅଲଟ୍ରାସୋନିକ୍ ସେନସର ଉପରେ ପର୍ଯ୍ୟବେଶିତ ଥିଲା । ତେବେ ସମ୍ପ୍ରତି ଆମେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ସ୍ମାର୍ଟଫୋନ୍ ନିର୍ମାଣକୁ ଗୁରୁତ୍ୱ ଦେଉଛୁ। ଏହା ଖୁବଶୀଘ୍ର ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଗ୍ରାହକଙ୍କ ଚାହିଦା ଓ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାବେଳେ ଯୋଜନାବଦ୍ଧ ଭାବେ ନୂତନ ସ୍ମାର୍ଟଫୋନ୍ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି।