ଗମ୍ଭୀର ସ୍ଥିତିରେ ଭୋଡା ଆଇଡିଆ, କଂପାନିରୁ ଓହରିଲେ କୁମାର ମଙ୍ଗଳମ୍ ବିର୍ଲା

୨ ଦିନରେ କଂପାନି ହରାଇଲା ୭୦୦୦ କୋଟି, କାହା ପାଖରେ କେତେ ଗ୍ରାହକ

ନୂଆଦିଲ୍ଲୀ: ବନ୍ଦ ହେବାର ଦ୍ବାରଦେଶରେ ଥିବା ଟେଲିକମ୍ ସଂସ୍ଥା ଭୋଡାଫୋନ୍ ଆଇଡିଆରୁ ଉଦ୍ୟୋଗୀ କୁମାର ମଙ୍ଗଳମ୍ ବିର୍ଲା ଓହରି ଯାଇଛନ୍ତି। କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ହଟିଯିବା ଲାଗି ସେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ କଂପାନିର ବୋର୍ଡ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଟେଲିକମ୍‌ ଶିଳ୍ପର ବରିଷ୍ଠ ଅଧିକାରୀ ହିମାଂଶୁ କାପାନିଆଙ୍କୁ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଭୋଡାଫୋନ୍ ଆଇଡିଆକୁ ବଞ୍ଚାଇବା ଲାଗି କଂପାନିରେ ଥିବା ନିଜର ସମସ୍ତ ଅଂଶଧନ ସରକାରଙ୍କୁ କିମ୍ବା ଅନ୍ୟ ଯେକୌଣସି ଯୋଗ୍ୟ ସଂସ୍ଥାକୁ ଦେବା ଲାଗି ଅନୁରୋଧ କରି ବିର୍ଲା କିଛି ଦିନ ତଳେ ଟେଲିକମ୍ ସଚିବ ରାଜୀବ ଗୌବାଙ୍କୁ ଏକ ଚିଠି ଲେଖିଥିଲେ। ସେହି ଚିଠି ପ୍ରଘଟ ହେବା ପରେ ଭୋଡାଫୋନ୍ ଆଇଡିଆ ୭୦୦୦ କୋଟି ଟଙ୍କା କ୍ଷତି ସହିଲାଣି। ନିବେଶକମାନେ ଭୋଡାଫୋନ୍ ସେୟାରକୁ କମ୍ ଦାମ୍‌ରେ ବିକ୍ରି କରୁଛନ୍ତି। ଦୁଇ ଦିନ ଦିନ ତଳେ ‌କଂପାନିର ବଜାର ପୁଞ୍ଜି ମୂଲ୍ୟ ୨୪ ହଜାର କୋଟି ଟଙ୍କା ଥିଲା। ଆଜି ତାହା ୧୭,୩୨୭ କୋଟି ଟଙ୍କାକୁ ହ୍ରାସ ପାଇଛି।

୨ ଦିନରେ କଂପାନି ହରାଇଲା ୭୦୦୦ କୋଟି

ଭୋଡାଫୋନ୍ ଆଇଡିଆରେ ବିର୍ଲାଙ୍କ ୨୭% ଓ ବ୍ରିଟେନ୍‌ର ଟେଲିକମ୍ ସଂସ୍ଥା ଭୋଡାଫୋନ୍‌ର ୪୪% ଅଂଶଧନ ରହିଛି। ଏହି ଦୁଇ ପ୍ରମୁଖ ନିବେଶକ ଭୋଡାଫୋନ୍ ଆଇଡିଆକୁ ଟଙ୍କାଟିଏ ପାଣ୍ଠି ଦେବାକୁ ଚାହୁନାହାନ୍ତି। ଗତକାଲି ଭୋଡାଫୋନ୍‌ର ଗ୍ଲୋବାଲ୍ ସିଇଓ ନିକ୍ ରିଡ୍ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଶାଖା କଂପାନିକୁ କୌଣସି ପାଣ୍ଠି ଦିଆଯିବ ନାହିଁ। ବିଭିନ୍ନ ଦେୟ ବାବଦକୁ ଭୋଡାଫୋନ୍ ଉପରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବାକି ପଡ଼ିଛି। ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ବାବଦରେ କଂପାନି ୫୦,୩୯୯.୬୩ କୋଟି ଟଙ୍କା ଦେବାର ଅଛି। ସେଥି ମଧ୍ୟରୁ ଏହା ୭୮୫୪.୩୭ କୋଟି ଟଙ୍କା ଦେଇଛି। ବଳକା ଅର୍ଥ ଛାଡ଼ କରିବା ଲାଗି କଂପାନି ତରଫରୁ ସୁପ୍ରିମ୍‌‌କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ କଂପାନିର ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ପେକ୍ଟ୍ରମ୍ ପେମେଣ୍ଟ୍‌ ବାବଦକୁ କଂପାନି ଉପରେ ୯୬,୨୭୦ କୋଟି ଟଙ୍କା ବାକିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଏହା ଆଣିଥିବା ୨୩,୦୮୦ କୋଟି ଟଙ୍କା ଶୁଝିନାହିଁ।

କାହା ପାଖରେ କେତେ ଗ୍ରାହକ

କଂପାନିକୁ ଉଦ୍ଧାର କରିବା ଲାଗି ଶ୍ରୀ ବିର୍ଲା ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଉନଥିବା ଜଣାପଡ଼ିଛି। ଅର୍ଥାତ ଭୋଡାଫୋନ୍ ଆଇଡିଆକୁ ସରକାର ଉଦ୍ଧାର କରିବାର ପ୍ରଶ୍ନ ଉଠୁନାହିଁ। ଅନ୍ୟ ପକ୍ଷରେ ଟେଲିକମ୍ ଶିଳ୍ପ ଲାଗି ସରକାର ଏକ ପ୍ୟା‌କେଜ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ତାହାର ଭୋଡାଫୋନ୍ ଆଇଡିଆ ସହ କୌଣସି ସମ୍ପର୍କ ନାହିଁ। ଏବେ ଭୋଡାଫୋନ୍ ଆଇଡିଆ ଅଧୀନରେ ଦେଶର ପ୍ରାୟ ୨୭ କୋଟି ଗ୍ରାହକ ରହିଛନ୍ତି। ପ୍ରତି ମାସରେ କଂପାନି ଲକ୍ଷ ଲକ୍ଷ ଗ୍ରାହକ ହରାଉଛି। ଗତ ଦଶନ୍ଧୀର ମଧ୍ୟ ଭାଗରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଆସିବା ପରେ ସୃଷ୍ଟି ହୋଇଥିବା ଝଡ଼ର ମୁକାବିଲା କରିନପାରି ଅନେକ ସଂସ୍ଥା ବନ୍ଦ ହୋଇଯାଇଛି। କୌଣସି ପ୍ରକାରରେ ତିଷ୍ଠି ରହିବା ଲାଗି ଭୋଡାଫୋନ୍ ଓ ଆଇଡିଆ ପରସ୍ପର ସହ ମିଶି ଯାଇଥିଲେ। ଏହା ସତ୍ତ୍ବେ ସେମାନେ ଏବେବି ତିଷ୍ଠି ରହିବାକୁ ସଂଘର୍ଷ କରୁଛି।

ସମ୍ବନ୍ଧିତ ଖବର