ଭୋଡା ଆଇଡିଆ ସଙ୍କଟ, ବ୍ୟାଙ୍କ ସହ ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ଟେଲିକମ୍ କଂପାନି ଭୋଡ‌ାଫୋନ୍ ଆଇଡିଆ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ସମସ୍ୟାର ସମାଧାନ ଲାଗି ଟେଲିକମ୍ ବିଭାଗ ଆଗକୁ ଆସିଛି। କଂପାନିର ପା‌ଣ୍ଠି ଆବଶ୍ୟକତା କିଭଳି ପୂରଣ କରାଯାଇପାରିବ ସେ ନେଇ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଟେଲିକମ୍ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। ଏହି ବୈଠକରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଏଭଳି ଆହୁରି କେତେକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି।

ଟେଲିକମ୍‌ କଂପାନିଗୁଡ଼ିକ ବ୍ୟାଙ୍କ କେତେ ଋଣ ଦେଇଛନ୍ତି ଓ ସେଗୁଡ଼ିକର ସ୍ଥିତି କ’ଣ ରହିଛି ତାହାର ତଥ୍ୟ ସଂଗ୍ରହ କରି ଶୀଘ୍ର ଜଣାଇବା ଲାଗି ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦେଶ ଦେଇଛି। ଭୋଡାଫୋନ୍ ଆଇଡିଆ‌ ଯଦି କୌଣସି କାରଣରୁ ବନ୍ଦ ହୋଇଯିବ ତେବେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ହରାଇବେ। ସରକାରୀ ବ୍ୟାଙ୍କଗୁଡ଼ିକ କିନ୍ତୁ ଅଧିକ ପ୍ରଭାବିତ ହେବେ। ଘରୋଇ ବ୍ୟାଙ୍କ ଭିତରେ ୟେସ୍‌ ବ୍ୟାଙ୍କ ଓ ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କ କ୍ଷତି ସହିବେ। ଭୋଡାଫୋନ୍ ଆଇଡିଆ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ କ୍ଷତିର ମୁକାବିଲା କରିବା ଲାଗି କିଛି ଘରୋଇ ବ୍ୟାଙ୍କ ଆଗୁଆ‌ କିଛି ପାଣ୍ଠି ଅଲଗା ରଖିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଇଡିଏଫ୍‌ସି ବ୍ୟାଙ୍କ ୪୮୭ ‌କୋଟି ଟଙ୍କା ଅଲଗା ରହିଛି। ଏହି ବ୍ୟାଙ୍କ ଭୋଡାଫୋନ୍ ଆଇଡିଆକୁ ୩୨୪୪ କୋଟି ଟଙ୍କା ଦେଇଛି।

ଭୋଡାଫୋନ୍ ଆଇଡିଆ ଉପରେ ବିଭିନ୍ନ ଦେୟ ବାବଦକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବାକି ପଡ଼ିଛି। ସେଥି ମଧ୍ୟରୁ ୫୮,୨୫୪ କୋଟି ଟଙ୍କା ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ଦେୟ ହୋଇଥିବା ବେଳେ ସ୍ପେକ୍ଟ୍ରମ୍ ବ୍ୟବହାର ଫି’ ବାବଦକୁ କଂପାନି ୯୬,୨୭୦ କୋଟି ଟଙ୍କା ଗଣିବ। ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଠାରୁ କଂପାନି ୨୩,୦୮୦ କୋଟି ଟଙ୍କାର ଋଣ ଆଣି ତାହାକୁ ପରିଶୋଧ କରିନାହିଁ। ଅତ୍ୟନ୍ତ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ଭୋଡାଫୋନ୍ ଆଇଡିଆର ଦୁଇ ପ୍ରମୁଖ ନିବେଶ ବିର୍ଲା ଗ୍ରୁପ୍ କିମ୍ବା ବ୍ରିଟେନ୍‌ର ସଂସ୍ଥା ଭୋଡାଫେନ୍ ଟଙ୍କାଟିଏ ଦେବାକୁ ଚାହୁନାହାନ୍ତି। କିଛି ଦିନ ତଳେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭୋଡାଫୋନ୍ ଆଇଡି‌ଆ ବୋର୍ଡରୁ ଓହରି ଆସିଛନ୍ତି। କଂପାନିକୁ ସାହାଯ୍ୟ କରିବା ଲାଗି କିଛି ମାସ ତଳେ ସେ ଏକ ଚିଠି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କୁ ଲେଖିଥିଲେ। ସେହି ଚିଠି ପ୍ରଘଟ ହେବା ପରେ ଷ୍ଟକ ବଜାରରେ ଭୋଡାଫୋନ୍ ଆଇଡିଆର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। କିଛି ଦିନ ତଳେ ଭୋଡାଫୋନ୍ ଆଇଡିଆର ବଜାର ପୁଞ୍ଜି ମୂଲ୍ୟ ୨୪ ହଜାର କୋଟି ଟଙ୍କା ଥିଲା। ଦୁଇ ଦିନରେ ତାହା ୭୦୦୦ କୋଟି ଟଙ୍କା ହ୍ରାସ ପାଇଥିଲା।

ତେବେ ଭୋଡାଫୋନ୍ ଆଇଡିଆ ପାଇଁ ଏକ ଆଶ୍ବସ୍ତିର ବିଷୟ ହେଉଛି କେନ୍ଦ୍ର ସରକାର କଂପାନିକୁ ଯେଉଁ ୧୪,୨୦୦ କୋଟି ଟଙ୍କାର ଟିକସ ନୋଟିସ୍‌ ପଠାଇଥିଲେ ସେହି ଟଙ୍କା ଆଉ ଗଣିବାକୁ ପଡ଼ିବନି। କେନ୍ଦ୍ର ସରକାର ପିଛିଲା ଟିକସ ଆଇନକୁ ସଂଶୋଧନ କରିଥିବାରୁ ଏହି ନୋଟିସ୍ ପ୍ରତ୍ୟାହାର ହୋଇଯିବ। ୨୦୦୭ରେ ହଚିସନ୍‌ ଏସାରକୁ ବ୍ରିଟେନ୍‌ର ଭୋଡାଫୋନ୍ ଅଧିଗ୍ରହଣ କରିବା ବେଳେ କେମ୍ୟାନ୍ସ ଦ୍ବୀପରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସେହି ଚୁକ୍ତି ଉପରେ ସରକାର ଟିକସ ଲଗାଇଥିଲେ। କିନ୍ତୁ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟ ଏହି ଟିକସ ନୋଟିସ୍‌କୁ ବେଆଇନ ବୋଲି କହିଥିଲେ।

ସମ୍ବନ୍ଧିତ ଖବର