ଘୋର ସଙ୍କଟରେ ଭୋଡାଫୋନ୍ ଆଇଡିଆ

ଋଣ ବୁଡ଼ିଯିବା ନେଇ ବ୍ୟାଙ୍କ ଚିନ୍ତିତ, ଲୋଡିଲେ ସରକାରୀ ସହାୟତା

ନୂଆଦିଲ୍ଲୀ : ଘରୋଇ କ୍ଷେତ୍ରର ଟେଲିକମ୍‌ କଂପାନି ଭୋଡାଫୋନ୍ ଆଇଡିଆ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କଂପାନି ସ୍ଥିତିରେ ସୁଧାର ହେବାର କୌଣସି ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। ବହୁତ ଶସ୍ତା ଦରରେ ଟେଲିକମ୍ ସେବା ଉପଲବ୍ଧ ହେଉଥିବାରୁ ଦାମ୍ ବଢ଼ାଇ ଆୟ ବୃଦ୍ଧି କରିବା ଲାଗି ମଧ୍ୟ କଂପାନି ପାଖରେ ସୁଯୋଗ ନାହିଁ। ଏଭଳି ସ୍ଥିତିରେ ଏହି ସଂସ୍ଥାର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯେକୌଣସି ସମୟରେ ଏହା ବନ୍ଦ ହୋଇଯିବାର ଆଶଙ୍କା ଥିବାରୁ ଏହାକୁ ଋଣ ଦେଇଥିବା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ୟାଙ୍କଗୁଡ଼ିକୁ ନେଇ ଗଠିତ ଏକ କନ୍‌ସୋର୍ଟିୟମ୍ କଂପାନିର ଦୁଃସ୍ଥିତି ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛି। ଖୁବ୍‌ଶୀଘ୍ର ଭୋଡାଫୋନ୍ ଆଇଡିଆକୁ ରିଲିଫ୍ ସହାୟତା ଯୋଗାଇବା ଲାଗି ବ୍ୟାଙ୍କଗୁଡ଼ିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।

ଚଳିତ ବର୍ଷ ଜାନୁଆରି-ମାର୍ଚ୍ଚ ଅବଧିରେ ଭୋଡାଫୋନ୍ ଆଇଡିଆ ୭୦୦୦ କୋଟି ଟଙ୍କାର କ୍ଷତି ସହିଛି। ନିଜ ଖରାପ ସ୍ଥିତି ସମ୍ପର୍କରେ କଂପାନି ପକ୍ଷରୁ ଟେଲିକମ୍ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ଭୋଡାଫୋନ୍ ଆଇଡିଆ ଜଣାଇଛି ଯେ ନିଜ ଆବଶ୍ୟକତା ପୂରଣ କରିବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଟେଳିକମ୍ ଶିଳ୍ପର ସ୍ଥିତିକୁ ଦେଖି କୌଣସି ନିବେଶକ କଂପାନିରେ ନିବେଶ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ସ୍ପେକ୍ଟ୍ରମ୍ ପାଇଁ ଯେଉଁ ୮,୨୯୨ କୋଟି ଟଙ୍କା ପଇଠ କରିବାକୁ ହେବ ସେଥିପାଇଁ କଂପାନି ସରକାରଙ୍କୁ ଆଉ ଏକ ବର୍ଷ ସମୟ ମାଗିଛି। କଂପାନିର ଆୟ ପ୍ରଭାବିତ ହୋଇଥିବାରୁ ପରିଚାଳନା କାର୍ଯ୍ୟ ବଜାୟ ରଖିବା ଲାଗି ନିଜ ପାଖରେ ଥିବା ନଗଦ ରାଶିକୁ ଏହା ବ୍ୟବହାର କରୁଛି। ତାହା ଧୀରେ ଧୀରେ ଶେଷ ହେବାକୁ ଲାଗିଲାଣି। ଭୋଡାଫୋନ୍ ଆଇଡିଆକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଓ ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ ଋଣ ଦେଇଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ୧୧,୨୦୦ କୋଟି ଟଙ୍କା, ପିଏନ୍‌ବି ୧୦୦୦ କୋଟି ଟଙ୍କା, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ୫୦୦୦ କୋଟି ଟଙ୍କା ଓ ଆଇସିଆଇସିଆଇ ବ୍ୟାଙ୍କର ୧୭୦୦ କୋଟି ଟଙ୍କାର ଋଣ କଂପାନି ଉପରେ ବକେୟା ରହିଛି। ଏହି ଋଣ ରାଶି ଫେରିବା ନେଇ ବ୍ୟାଙ୍କଗୁଡ଼ିକ ସନ୍ଦୀହାନ ହୋଇପଡ଼ିଛନ୍ତି।

ନିଜ ଆର୍ଥିକ ସ୍ଥିତି ସୁଧାରିବା ଲାଗି ଭୋଡାଫୋନ୍ ଆଇଡିଆ ଗତବର୍ଷ ଡେବଟ୍‌ ଓ ଇକ୍ବିଟି ଜରିଆରେ ୨୫ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଟେଲିକମ୍ କ୍ଷେତ୍ରରେ ଟାରିଫ୍ ମୂଲ୍ୟ ବହୁତ କମ୍ ଥିବାରୁ ନିବେଶ ରାଶି ବୁଡ଼ିଯିବାର ଆଶଙ୍କା କରି କୌଣସି ନିବେଶକ ଏଥିପାଇଁ ଆଗ୍ରହ ଦେଖାଉନାହାନ୍ତି ବୋଲି କଂପାନି ପକ୍ଷରୁ ଜୁନ୍ ୨୫ରେ ଟେଲିକମ୍ ସଚିବ ଅଂଶୁ ପ୍ରକାଶଙ୍କୁ ଅବଗତ କରାଯାଇଥିଲା। କଂପାନିର ଦୁଇ ପ୍ରମୁଖ ମାଲିକ ବ୍ରିଟେନ୍‌ର ଭୋଡାଫୋନ୍ ଗ୍ରୁପ୍ ଓ ଭାରତର ଆଦିତ୍ୟ ବିର୍ଲା ଗ୍ରୁପ୍ ମଧ୍ୟ ଅଧିକ ପାଣ୍ଠି ଦେବାକୁ ମନା କରିଛନ୍ତି। ଏଭଳି ପରିସ୍ଥିତିରେ ତିଷ୍ଠି ରହିବା ଲାଗି ଭୋଡାଫୋନ୍ ଆଇଡିଆ ପ୍ରତିଦିନ ସଂଘର୍ଷ କରୁଛି। ଦେଶରେ ଏବେ ତିନିଟି ପ୍ରମୁଖ ଘରୋଇ କ୍ଷେତ୍ରର ଟେଲିକମ୍ ସଂସ୍ଥା ରହିଛି। ସର୍ବାଧିକ ଗ୍ରାହକ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପାଖରେ ଥିବା ବେଳେ ଦ୍ବିତୀୟ ସର୍ବାଧିକ ଗ୍ରାହକ ଏୟାରଟେଲ୍ ପାଖରେ ରହିଛି। ଭୋଡାଫୋନ୍‌ ଆଇଡିଆର ଆର୍ଥିକ ସ୍ଥିତିକୁ ନେଇ ଏୟାରଟେଲ୍‌ର ମୁଖ୍ୟ ସୁନିଲ ମିତ୍ତଲ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଏହି ସଂସ୍ଥା ତିଷ୍ଠି ରହିବା ନିହାତି ଜରୁରୀ ବୋଲି ସେ କହିଥିଲେ। ଏହାର କାରଣ ବିଷୟରେ ସେ ଜଣାଇଥିଲେ ଯେ ଭାରତ ଭଳି ଏକ ବଡ଼ ଦେଶ ପାଇଁ ଦୁଇଟି ଘରୋଇ ଟେଲିକମ୍ ସଂସ୍ଥା ରହିବା ଆଦୌଁ ଭଲ ନୁହେଁ। ତେଣୁ ତୃତୀୟ କଂପାନି ଭାବେ ଭୋଡାଫୋନ୍ ଆଇଡିଆ ତିଷ୍ଠି ରହିବା ନିହାତି ଜରୁରୀ ବୋଲି ସେ କହିଥିଲେ।

ଗତ ଦଶନ୍ଧିର ମଧ୍ୟ ଭାଗରେ ଜିଓ ଟେଲିକମ୍ ସେବା ଆରମ୍ଭ କରିବା ପରେ ଭାରତୀୟ ଟେଲିକମ୍ ବଜାରରେ ଝଡ଼ ସୃଷ୍ଟି ହୋଇଥିଲା। ଭଏସ୍‌ କଲ୍‌ ଓ ଡାଟା ଦାମ୍‌ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଏହି ଝଡ଼ର ମୁକାବିଲା କରିନପାରି ରିଲାଏନ୍ସ କମ୍ୟୁନିକେସନ, ଟାଟା ଡୋକୋମୋ ଭଳି ସଂସ୍ଥା ବନ୍ଦ ହୋଇଯାଇଛି। ଏକ ସମୟରେ ଦେଶରେ ୧୨ଟି ଟେଲିକମ୍ କଂପାନି ଥିଲେ। ଏବେ ମାତ୍ର ପାଞ୍ଚଟି ସଂସ୍ଥା ରହିଛି। ତାହା ହେଉଛି ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌। ଜିଓ ଏବଂ ଏୟାରଟେଲ୍‌କୁ ବାଦ ଦେଲେ ଅନ୍ୟ ତିନି ସଂସ୍ଥାର ସ୍ଥିତି ଭଲ ନାହିଁ।

ସମ୍ବନ୍ଧିତ ଖବର