ନୂଆଦିଲ୍ଲୀ: ଜର୍ମାନୀର କାର୍ କମ୍ପାନି ଫକ୍ସୱାଗନ ଠାରୁ ୫୦୦ କୋଟି ଟଙ୍କା ଆଦାୟ କରିବାକୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି) ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି। ଭାରତରେ କମ୍ପାନି ବିକ୍ରି କରୁଥିବା କାର ଗୁଡ଼ିକରେ ଚିଟ୍ ଡିଭାଇସ ବା ଠକେଇ ଉପକରଣ ଲଗାଇ ପରିବେଶକୁ ନଷ୍ଟ କରୁଥିବାରୁ ଏନଜିଟି କମ୍ପାନି ଉପରେ ଏହି ଜରିମାନା ଅତୀତରେ ଲଗାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କମ୍ପାନି ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଏଥିସହିତ ଏନଜିଟି ଦେଇଥିବା ଜରିମାନା ରାୟ ଉପରେ କମ୍ପାନିର ଆବେଦନକୁ ଶୁଣାଣି କରିବା ପାଇଁ ଖଣ୍ଡପୀଠ ରାଜି ହୋଇଛନ୍ତି। ଗତ ମାର୍ଚ ୭ ତାରିଖରେ ଏନଜିଟି ପକ୍ଷରୁ ଫକ୍ସୱାଗନର ଭାରତୀୟ ଶାଖା ଉପରେ ୫୦୦ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲେ। ଏହାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ୨ ମାସ ମଧ୍ୟରେ ଜମା କରିବାକୁ ନିର୍ଦେଶ ଦେଇଥିଲେ। ଜାତୀୟ ରାଜଧାନୀ ଅଞ୍ଚଳରେ ଉକ୍ତ ଅର୍ଥକୁ ବାୟୁର ମାନରେ ଉନ୍ନତି ଆଣିବା ଲାଗି ଖର୍ଚ କରାଯାଇଥାନ୍ତା। ସାଲୋନି ଐଲାୱାଡିଙ୍କ ସମେତ ଅନ୍ୟ କେତେଜର ଏନଜିଟିରେ ଫକ୍ସୱାଗନ କାର ବିକ୍ରି ପାଇଁ ମାମଲା ରୁଜୁ କରିଥିଲେ। ନିର୍ଗମନ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନେ ଏଭଳି ଆବେଦନ କମ୍ପାନି ବିରୋଧରେ କରିଥିଲେ। ତେବେ କମ୍ପାନିର ମତକୁ ବିଚାରକୁ ନିଆ ନଯାଇ ଏନଜିଟି ଏହି ଜରିମାନା ରାଶି ଆଦାୟ କରିବା ଲାଗି ନିର୍ଦେଶ ଦେଇଥିବାରୁ ଫକ୍ସୱାଗନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
ଫକ୍ସୱାଗନକୁ ସାମୟିକ ଆଶ୍ବସ୍ତି, ୫୦୦ କୋଟି ଜରିମାନା ଉପରେ ସ୍ଥଗିତାଦେଶ
/sambad/media/post_attachments/wp-content/uploads/2019/05/download-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)