ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଦୁଇ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଓ ଭିସ୍ତାରା ମଧ୍ୟରେ ହୋଇଥିବା ମିଶ୍ରଣ ପରେ ଏୟାର ଇଣ୍ଡିଆର ସ୍ଥାୟୀ କର୍ମଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ସେମାନଙ୍କ ଚାକିରି ଏକପ୍ରକାର ସୁରକ୍ଷିତ ଥିଲା। ମାତ୍ର ଟାଟା ପକ୍ଷରୁ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରାଯିବା ପରେ ଅନେକ କିଛି ବଦଳିଯାଇଛି। ଏୟାର ଇଣ୍ଡିଆର ସ୍ଥାୟୀ ଗ୍ରାଉଣ୍ଡ ଷ୍ଟାଫ୍ମାନଙ୍କ ଲାଗି କମ୍ପାନି ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍ଏସ୍) ଘୋଷଣା କରିଛି।
ଗ୍ରାଉଣ୍ଡ ଷ୍ଟାଫ୍ମାନେ ଗ୍ରାହକ ସେବାଠାରୁ ଆରମ୍ଭ କରି ବ୍ୟାଗେଜ୍ ପରିଚାଳନା, ନିରାପତ୍ତା ଯାଞ୍ଚ, ରୢାମ୍ପ୍ ସେବା ଓ ପଣ୍ୟ ପରିଚାଳନା ଆଦି କାର୍ଯ୍ୟ କରିଥାନ୍ତି। ସେମାନେ ଯାତ୍ରୀଙ୍କୁ ସାହାଯ୍ୟ କରିବା, ସେମାନଙ୍କ ଲଗେଜ୍ ପରିଚାଳନା କରିବା ସହ ବିମାନର କ୍ରୁ ସଦସ୍ୟ ଓ ବିମାନବନ୍ଦରର ଅନ୍ୟ କର୍ମଚାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ପାଞ୍ଚ ବର୍ଷରୁ ଅଧିକ ସମୟ ଚାକିରି କରିଥିବା କର୍ମଚାରୀମାନଙ୍କ ଲାଗି ଭିଆର୍ଏସ୍ ଓ ପାଞ୍ଚ ବର୍ଷରୁ କମ୍ ନିୟମିତ ଚାକିରି କରିଥିବା କର୍ମଚାରୀମାନଙ୍କ ଲାଗି ସ୍ବେଚ୍ଛାକୃତ ବିଚ୍ଛେଦ ସ୍କିମ୍ ଘୋଷଣା କରାଯାଇଛି। ପାଇଲଟ୍, କ୍ୟାବିନ୍ କ୍ରୁ ଓ ଅନ୍ୟ ଲାଇସେନ୍ସପ୍ରାପ୍ତ କର୍ମଚାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ କର୍ମଚାରୀ ଏହି ସ୍କିମ୍ରେ ଅଂଶଗ୍ରହଣ କରିପାରିବେ।
ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ଶେଷ ତାରିଖ ଅଗଷ୍ଟ ୧୬ ଧାର୍ଯ୍ୟ କରାଯାଇଛି। ତେବେ ଆବେଦନକୁ ଗ୍ରହଣ କରିବା ଏବଂ କର୍ମଚାରୀଙ୍କୁ ଚାକିରିରୁ ବିରତି ଦେବାର ଅଧିକାର କମ୍ପାନି କର୍ତ୍ତୃପକ୍ଷଙ୍କ ପାଖରେ ରହିବ। ଏକ ହିସାବରୁ ଜଣାପଡ଼ିଛି ଯେ ଏୟାର ଇଣ୍ଡିଆ ଓ ଭିସ୍ତାରାରେ ୧୮ ହଜାର ପାଖାପାଖି କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେଥିରୁ ୫୦୦-୬୦୦ କର୍ମଚାରୀ ଅବସର ଗ୍ରହଣ କରିବା କିମ୍ବା ଅଲଗା ହେବା ଆଶା କରାଯାଉଛି। ଯଥା ସମ୍ଭବ କର୍ମଚାରୀଙ୍କୁ ନିଜ ପାଖରେ ରଖିବାକୁ ଟାଟା ଉଦ୍ୟମ କରୁଛି। କିଛି କର୍ମଚାରୀଙ୍କୁ ଟାଟା ଗ୍ରୁପ୍ର ଅନ୍ୟ କମ୍ପାନିଗୁଡ଼ିକରେ ଚାକିରି ଦେବାକୁ ପ୍ରୟାସ କରାଯାଉଛି। ଏହା ସତ୍ତ୍ବେ କେତେକ ଭୂମିକା ଅଦରକାରୀ ହୋଇପଡ଼ିଥିବା କମ୍ପାନି ପକ୍ଷରୁ କୁହାଯାଇଛି।