ନୂଆ ସରକାର ଅପେକ୍ଷାରେ:ସମସ୍ୟା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଘୋଷଣା ହେବାକୁ ଥିବା ନିର୍ବାଚନର ଫଳାଫଳକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ନୂଆ ସରକାର ଆସିଲେ ଅର୍ଥନୀତିର ଦୁର୍ଗତି ପାଇଁ ପୁରୁଣା ସରକାରଙ୍କୁ ଦାୟୀ କରିଥାନ୍ତି। ୨୦୧୪ ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିର ଖରାପ ସ୍ଥିତି ପାଇଁ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କୁ ଦାୟୀ କରିଥିଲେ। ଏଥର କିଏ ସରକାର ଗଢ଼ିବ ତାହା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଯିବ। ତେବେ ଯିଏ ବି ସରକାର ଗଠନ କରନ୍ତୁ ନା କାହିଁକି ତାଙ୍କୁ ଏହି ସବୁ ଆହ୍ବାନ ସାମ୍ନା କରିବାକୁ ପଡ଼ିବ। ନିଯୁକ୍ତି ସୁଯୋଗ ବଢ଼ାଇବା ଓ କୃଷି କ୍ଷେତ୍ରରୁ ସଙ୍କଟ ଦୂର କରିବା ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହେବ।

ନିଯୁକ୍ତି ସୁଯୋଗ
ଦେଶରେ ଆବଶ୍ୟକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି। ନିଯୁକ୍ତିକୁ ନେଇ ସରକାର ସବୁବେଳେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଅଭିଯୋଗ କରାଯାଉଛି। ୨୦୧୮ରେ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ନିଯୁକ୍ତିକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଯାହାକୁ ସରକାର ଚାପି ଦେଇଛନ୍ତି। ମୋଦୀ ସରକାରଙ୍କ ଅମଳରେ ନିଯୁକ୍ତି ସୃଷ୍ଟି ହାର ୪୫ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯାଇଥିବାର ତଥ୍ୟ ରିପୋର୍ଟରେ ରହିଛି। ଚଳିତ ବର୍ଷ ଏପ୍ରିଲ୍‌ରେ ବେକାରୀ ହାର ୭.୬%କୁ ବୃଦ୍ଧି ପାଇଛି। ନୂଆ ସରକାରଙ୍କୁ ୧୦ ନିୟୁତ ଯୁବଶକ୍ତି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବଡ଼ ଆହ୍ବାନ ହେବ।
କୃଷି ସଙ୍କଟ
କୃଷି କ୍ଷେତ୍ରରୁ ସଙ୍କଟ ଦୂର କରିବା ନୂଆ ସରକାରଙ୍କ ପାଇଁ ସହଜ ହେବ ନାହିଁ। କୃଷି ଅଭିବୃଦ୍ଧି ନିରୁତ୍ସାହଜନକ ଥିବା ବେଳେ କୃଷକମାନଙ୍କ ଆୟରେ ଆଶାନୁରୂପ ବୃଦ୍ଧି ହେଉନାହିଁ। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ତାହା ସହଜ ନୁହେଁ। କୃଷି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ମଜୁରି ମଧ୍ୟ ବହୁତ କମ୍ ରହିଛି। ଏହି କ୍ଷେତ୍ର ପାଇଁ ନୂଆ ନୀତିର ଆବଶ୍ୟକତା ରହିଛି।
ତେଲ ଦର
ଇରାନ ଉପରେ ଆମେରିକାର କଟକଣା ଯୋଗୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୧ ଡଲାରରୁ ଅଧିକ ହୋଇଯାଇଛି। ନିର୍ବାଚନ ଯୋଗୁ ତେଲ କଂପାନିଗୁଡ଼ିକ କ୍ଷତି ସହି ତେଲ ଦର ବଢ଼ାଉନାହାନ୍ତି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପ୍ରତିଦିନ ପେଟ୍ରୋଲ୍ ଦର ବଢ଼ିବ ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ୍ ଦରକୁ ନିୟନ୍ତ୍ରଣରେ ରଖିବା ନୂଆ ସରକାରଙ୍କ ପାଇଁ ବଡ଼ ଆହ୍ବାନ ହେବ।
ବ୍ୟାଙ୍କରେ ସଙ୍କଟ
ସରକାରୀ ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିଛନ୍ତି। ଏନ୍‌ପିଏ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଚଳିତ ବର୍ଷ ମାର୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ସେଥିରେ ସରକାରୀ ବ୍ୟାଙ୍କର ଭାଗ ହେଉଛି ୮୬%। ଏହି ସ୍ଥିତିରେ ନୂଆ ସରକାରଙ୍କୁ ସୁଧାର ଆଣିବାକୁ ପଡ଼ିବ ଏବଂ ସରକାରୀ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବାକୁ ହେବ। ଆଇଏଲ୍ ଆଣ୍ଡ୍‌ ଏଫ୍ଏସ୍‌ ସଙ୍କଟ ପରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟମୟ ସ୍ଥିତିକୁ ନୂଆ ସରକାରଙ୍କୁ ଦୂର କରିବାକୁ ପଡ଼ିବ।
ମାନ୍ଦାବସ୍ଥା
ଦେଶର ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କାର୍‌ ବିକ୍ରି ଆଠ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ବିମାନରେ ଯାତ୍ରୀଙ୍କ ସଂଖ୍ୟା ସାଢ଼େ ଛଅ ବର୍ଷର ନିମ୍ନ ସ୍ତରକୁ ଖସିଛି। ଗ୍ରାମାଞ୍ଚଳରେ ଆଉ ଅଧିକ ସାମ୍ପୁ ଓ ଟୁଥ୍‌ପେଷ୍ଟ୍‌ ବିକ୍ରି ହେଉନାହିଁ। ଲୋକମାନେ ଜଗିରଖି ଖର୍ଚ କରୁଛନ୍ତି। ଏହି ମାନ୍ଦାବସ୍ଥା ଦୂର କରିବା ନୂଆ ସରକାରଙ୍କ ପାଇଁ ବଡ଼ ଆହ୍ବାନ ହେବ।
ଅଭିବୃଦ୍ଧି
ଘରୋଇ ପୁଞ୍ଜିନିବେଶ ପରିମାଣ କମିବା ଏବଂ ରପ୍ତାନି ହ୍ରାସ ପାଇବା ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୮ ଡିସେମ୍ବର ତ୍ରୟମାସରେ ୬.୬% ସ୍ତରକୁ ଖସିଯାଇଛି। ପୂର୍ବ ତ୍ରୟମାସରେ ତାହା ୭.୧% ଥିଲା। ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିବାକୁ ହେଲେ ନୂଆ ସରକାରଙ୍କୁ ଅଭିବୃଦ୍ଧି ହାର ତ୍ବରାନ୍ବିତ କରିବାକୁ ପଡ଼ିବ।
ଟିକସ
୨୦୧୮-୧୯ରେ ଜିଏସ୍‌ଟି ଆଦାୟ ଉତ୍ସାହଜନକ ରହିନାହିଁ। ଟିକସ ରାଜସ୍ବ ବଢ଼ାଇବାରେ ସରକାରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ମାସକୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଆଦାୟ ରଖାଯାଇଥିଲେ ମଧ୍ୟ ସବୁ ମାସରେ ତାହା ସମ୍ଭବ ହୋଇନଥିଲା। ପ୍ରତିବର୍ଷ ଟିକସ ରାଜସ୍ବରେ ୧୦-୧୫% ବୃଦ୍ଧି ଆଣିବାକୁ ପ୍ରୟାସ କରାଯାଇଥାଏ। ନୂଆ ସରକାରଙ୍କ ପାଇଁ ଟିକସ ରାଜସ୍ବ ବଢ଼ାଇବା ଏତେ ସହଜ ହେବନାହିଁ।
ବିତ୍ତୀୟ ନିଅଣ୍ଟ
ଗତ ଫେବ୍ରୁଆରି ଶେଷ ସୁଦ୍ଧା ବିତ୍ତୀୟ ନିଅଣ୍ଟ ପରିମାଣ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ ୧୩୪% ଅଧିକ ହୋଇଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକ ଖର୍ଚ କରିବା ଏବଂ ସେହି ଅନୁସାରେ ରାଜସ୍ବ ଆଦାୟ ନହେବାରୁ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିଥିଲା। ଚଳିତ ବର୍ଷ ଏହି ନିଅଣ୍ଟକୁ ଜିଡିପିର ୩.୩% ଭିତରେ ରଖିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଶେଷ ସମୟରେ ଲକ୍ଷ୍ୟକୁ ୩.୪%କୁ ବଢ଼ାଇ ଦେଇଥିଲେ। ନୂଆ ସରକାରଙ୍କୁ ବିତ୍ତୀୟ ନିଅଣ୍ଟ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେଲେ ଅନେକ କାମ କରିବାକୁ ପଡ଼ିବ।
ବିମାନ ଶିଳ୍ପ
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଯାଇଛି। ସରକାରୀ କଂପାନି ଏୟାର ଇଣ୍ଡିଆର ସ୍ଥିତି ମଧ୍ୟ ଭଲ ନାହିଁ। କେବଳ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌ ଓ ଗୋଏୟାରର ସ୍ଥିତି ଭଲ ରହିଛି। ଏହି କ୍ଷେତ୍ର ଆକାଶଛୁଆଁ ତେଲ ଦର, ଟିକସ ବୋଝ ଓ କମ୍ ଯାତ୍ରୀ ସଂଖ୍ୟା ଭଳି ସମସ୍ୟା ଦେଇ ଗତି କରୁଛି।
ପୁଞ୍ଜିନିବେଶ
ଦେଶରେ ନିବେଶ ପରିମାଣ ଆଶାନୁରୂପ ଭାବେ ବୃଦ୍ଧି ପାଉନାହିଁ। ବିଶେ‌ଷ କରି ଘରୋଇ ସଂସ୍ଥାଗୁଡ଼ିକର ନିବେଶ ଏତେଟା ଭଲ ନାହିଁ। ନିବେଶ ପରିମାଣ ବଢ଼ିଲେ ନିଯୁକ୍ତି ବଢ଼ିବ। ଏହି ସମସ୍ୟାର ସମାଧାନ କରିବା ନୂଆ ସରକାରଙ୍କ ପାଇଁ ଏକ ବଡ଼ କାମ ହେବ।

ସମ୍ବନ୍ଧିତ ଖବର