ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ରିଟେଲ୍ କଂପାନି ୱାଲ୍ମାର୍ଟ ଆଉ ଚୀନ୍ ଉପରେ ଅତ୍ୟଧିକ ନିର୍ଭରଶୀଳ ନାହିଁ। ଆମେରିକାକୁ ଜିନିଷ ମଗାଇବାରେ ଭାରତ ଉପରେ ଭରସା ପ୍ରକଟ କରିଛି। ଚୀନ୍ ତୁଳନାରେ ଏହା ଭାରତରୁ ଅଧିକ ଜିନିଷ ଆମେରିକା ନେଉଛି। କଂପାନି ଭାରତରୁ ଖେଳନା, ଇଲେକ୍ଟ୍ରୋନିକ୍ସ ଜିନିଷ, ସାଇକଲ, ଔଷଧ, ପ୍ୟାକେଟ ଖାଦ୍ୟ, ଶୁଖିଲା ଶସ୍ୟ ଓ ପାସ୍ତା ମଗାଉଛି। ୨୦୧୮ ବେଳକୁ ୱାଲ୍ମାର୍ଟ ଆମେରିକାକୁ ନେଉଥିବା ଜିନିଷରେ ଭାରତର ଭାଗ ମାତ୍ର ୨ ପ୍ରତିଶତ ଥିଲା। ଏବେ ସେହି ହାର ୨୫ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି। ସେହି ସମୟରେ ମୋଟ ସାମଗ୍ରୀରେ ଚୀନ୍ର ଭାଗ ୮୦ ପ୍ରତିଶତରୁ ହ୍ରାସ ପାଇ ୬୦ ପ୍ରତିଶତରେ ପହଞ୍ଚିଛି। ଚୀନ୍ର ଯେଉଁ କ୍ଷତି ତାହା ସିଧାସଳଖ ଭାରତର ଲାଭ ହୋଇଛି। ତଥାପି ୱାଲମାର୍ଟର ଆମଦାନି ଲାଗି ଚୀନ୍ ସବୁଠୁ ବଡ଼ ବଜାର ହୋଇରହିଛି। ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହେବା ପରେ ବହୁ ଆମେରିକୀୟ ସଂସ୍ଥା ଚୀନ୍ ବଳଦରେ ଭାରତ, ଥାଇଲ୍ୟାଣ୍ଡ ଓ ଭିଏତନାମ୍ରୁ ଅଧିକ ଜିନିଷ ମଗାଉଛନ୍ତି।
୨୦୧୮ରେ ଇ-କମର୍ସ କଂପାନି ଫ୍ଲିପ୍କାର୍ଟର ୭୭ ପ୍ରତିଶତ ଅଂଶଧନ କରି ୱାଲମାର୍ଟ ଭାରତରେ ନିଜକୁ ଦୃଢ଼ ଭାବେ ଉପସ୍ଥାପନ କରିଥିଲା। ୨୦୨୭ ସୁଦ୍ଧା ଭାରତରୁ ୧୦୦୦ କୋଟି ଡଲାରର ଜିନିଷ କିଣିବାକୁ ଏହା ଘୋଷଣା କରିଛି। ଏବେ କଂପାନି ଭାରତରୁ ବର୍ଷକୁ ୩୦୦ କୋଟି ଡଲାରର ଜିନିଷ ମଗାଉଛି। ତେଣୁ ୨୦୨୭ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଯିବ ବୋଲି ୱାଲମାର୍ଟର କାର୍ଯ୍ୟନିର୍ବାହୀ ଉପସଭାପତି ଆଣ୍ଡ୍ରିଆ ଅଲବ୍ରାଇଟ୍ କହିଛନ୍ତି।