ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ: କାମ ନକଲେ ବିଦାହେବ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନି ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଡ଼ା ଚେତାବନୀ ଦେଇଛନ୍ତି। କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କ ସହିତ ମନ୍ତ୍ରୀ ଗତ ଗୁରୁବାର ଦିନ ବୈଠକ କରିଛନ୍ତି। ବୈଠକର ଅଡିଓ ଟେପ୍‌ ଲିକ୍ ହୋଇଛି। ଲିକ୍‌ ହୋଇଥିବା ଉକ୍ତ ଅଡିଓ ଟେପ୍‌‌ରେ ମନ୍ତ୍ରୀ ବିଏସ୍‌ଏନ୍‌ଏଲ୍‌ର ପ୍ରାୟ ୬୨ ହଜାର କର୍ମଚାରୀଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯଦି କୌଣସି କର୍ମଚାରୀ କାମ ନକରିବେ ସେମାନେ ଭିଆର୍‌ଏସ୍‌ ବା ସ୍ବେଚ୍ଛାରେ ଅବସର ନେଇଯାଆନ୍ତୁ। ନଚେତ୍‌ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ବିଏସ୍‌ଏନ୍‌ଏଲ୍‌ର ପୁନଃରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତମାସ ୨୭ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧ ଲକ୍ଷ ୬୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ମଞ୍ଜୁର କରାଯାଇଛି। ଏହାପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏଭଳି ଦୃଢ଼ ବାର୍ତ୍ତା କର୍ମଚାରୀମାନଙ୍କୁ ଦେଇଛନ୍ତି। ପ୍ରତିମାସରେ ମୁଁ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବି। ଯେଉଁମାନେ କାମ କରିବାକୁ ଆଗ୍ରହୀ ନାହାନ୍ତି ସେମାନେ ସ୍ବେଚ୍ଛାରେ ଅବସର ନେଇ ଘରେ ବସିପାରିବେ। ଏହା ନହେଲେ ରେଳବାଇରେ ଯାହା ହେଲା ସେଭଳି ଅବସର ଦିଆଯିବ ବୋଲି ସେ ତାଙ୍କର ୫ ମିନିଟ୍‌ର ଅଡିଓ କ୍ଲିପ୍‌ରେ କହିଛନ୍ତି।

ଆମେ ଯାହା କରିବା କଥା ତାହା କରିଛୁ। ଏବେ ଆପଣମାନଙ୍କୁ ଦକ୍ଷତାର ସହିତ କାମ କରିବାକୁ ହେବ। ଏବେଠାରୁ ଏହା ନୂଆ ସ୍ବାଭାବିକ ବା ନିୟୁ ନର୍ମାଲ ଆରମ୍ଭ ହୋଇଛି। ପ୍ରତିଯୋଗିତା ମୂଳକ ଯୁଗରେ ଦକ୍ଷତାର ସହ କାମ ନକରିଲେ ତିଷ୍ଠି ପାରିବନି। ଆସନ୍ତା ୨୪ ମାସ ମଧ୍ୟରେ ସେ ଫଳାଫଳ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି। ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ ମୁଖ୍ୟତଃ ୪ଟି କ୍ଷେତ୍ର ଉପରେ ଧ୍ୟାନ ଦେବାପାଇଁ କୁହାଯାଇଛି। ‌ସେଗୁଡ଼ିକ ହେଲା ବିଏସ୍‌ଏନ୍‌ଏଲ୍‌ର ସେବା ମାନରେ ଉନ୍ନତି ଆଣିବା ପାଇଁ ନୂଆ ପୁଞ୍ଜିନିବେଶ କରିବା, ସ୍ପେକ୍ଟ୍ରମ ଆବଣ୍ଟନ, ବାଲାନ୍ସସିଟ୍‌କୁ ଚାପମୁକ୍ତ କରିବା ଏବଂ ଫାଇବର ନେଟୱର୍କକୁ ବଢ଼ାଇବା। ପୁନଃରୁଦ୍ଧାର ପାଇଁ ଯେଉଁ ପ୍ୟାକେଜ ପ୍ରଦାନ କରାଯାଇଛି ତାହା ବିଶ୍ବରେ ଅନ୍ୟ କୌଣସି ଦେଶର ସରକାର ଦେଇ ନଥାନ୍ତେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ବଡ଼ ଧରଣର ରିସ୍କ ନେଇଛନ୍ତି। ଉକ୍ତ ରାଶି ଛୋଟ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ବିଏସ୍‌ଏନ୍‌ଏଲ୍‌ ସହିତ ଭାରତ ବ୍ରଡବ୍ୟାଣ୍ଡ୍ ନେଟୱର୍କ ଲିମିଟେଡ (ବିବିଏନ୍‌ଏଲ୍‌)ର ମିଶ୍ରଣ ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ମିଶ୍ରଣ ଦ୍ବାରା ବିଏସ୍‌ଏନ୍‌ଏଲ୍‌କୁ ଅତିରିକ୍ତ ୫.୬୭ ଲକ୍ଷ କିଲୋମିଟରର ଅପ୍ଟିକାଲ ଫାଇବର ମିଳିଯିବ। ଉକ୍ତ ଅପ୍ଟିକାଲ ଫାଇବର ଦେଶର ୧.୮୫ ଲକ୍ଷ ଗ୍ରାମରେ ବିଛାଯାଇଛି। ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ ନିକଟରେ ୬.୮୩ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର କେବୁଲ ନେଟୱର୍କ ରହିଛି।

ସମ୍ବନ୍ଧିତ ଖବର