ସତର୍କ କରାଇଲେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ : ଆସନ୍ତାବର୍ଷ ଭୟଙ୍କର ଦୁର୍ଭିକ୍ଷ!

ନୂଆଦିଲ୍ଲୀ : ବିଶ୍ବ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍‌ ବିସ୍‌ଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି।

ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇ ଏକ ସ୍ପଟଲାଇଟ ଓ ମେଗାଫୋନ୍‌ ଧରାଇ ଦିଆଯାଇଛି। ଏହି ଦୁଇଟି ସାଧନ ମାଧ୍ୟମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିକଟରେ ଏହି ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ସତର୍କ କରାଯିବ ବୋଲି ସେ କହିଛନ୍ତି। ଗତ ଏପ୍ରିଲରେ ଜାତିସଂଘ ନିରାପତ୍ତା ପରିଷଦକୁ ସେ କରାଇଥିବା ସତର୍କତା ବିଷୟକୁ ମଧ୍ୟ ମନେ ପକାଇ ଦେଇଛନ୍ତି। ବିଶ୍ବ କରୋନା ଭୂତାଣୁ ଜନିତ ମହାମାରୀକୁ ମୁକାବିଲା କରିବା ସହିତ କ୍ଷୁଧା ମହାମାରୀର ଦ୍ବାରଦେଶରେ ମଧ୍ୟ ବିଶ୍ବ ପହଞ୍ଚିଥିବା କହିଥିଲେ। ଏହାର ମୁକାବିଲା ପାଇଁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ବିଶ୍ବକୁ ଭୟଙ୍କର କ୍ଷୁଧା ବା ଦୁର୍ଭିକ୍ଷକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

୨୦୨୦ ମସିହାର ସମସ୍ୟାକୁ ଆମେ ଏଡ଼ାଇ ଦେଇପାରିଛେ। କାରଣ ବିଶ୍ବର ନେତୃବୃନ୍ଦ ଏବଂ ସରକାରମାନେ ଅର୍ଥ, ପ୍ୟାକେଜ ଆଦି ପ୍ରଦାନ, ଋଣ ପରିଶୋଧକୁ ଘୁଞ୍ଚାଇବା ଆଦି ପଦକ୍ଷେପ ମାନ ଗ୍ରହଣ କରି ଏହାକୁ ଏଡ଼ାଇ ଦେଇପାରିଲେ। ବିସ୍‌ଲି କହିଛନ୍ତି, ଏବେ କିନ୍ତୁ କୋଭିଡ-୧୯ ପୁନର୍ବାର ବଢ଼ିବାରେ ଲାଗିଛି। ବିଶ୍ବ ଅର୍ଥନୀତିର ସ୍ଥିତି ଖରାପ ହେବାରେ ଲାଗିଛି। ବିଶେଷକରି ନିମ୍ନ ଓ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକର ସ୍ଥିତି ଖରାପ ହେବାରେ ଲାଗିଛି। ପୁଣି ଥରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଆରମ୍ଭ ହୋଇଯାଇଛି। ‌୨୦୨୦‌ ମସିହାରେ ଯେଉଁ ଅର୍ଥ ସରକାରଙ୍କ ନିକଟରେ ଉପଲବ୍ଧ ଥିଲା ତାହା ୨୦୨୧ରେ ଉପଲବ୍ଧ ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ସେ ବିଭିନ୍ନ ଦେଶର ନେତୃବୃନ୍ଦ ଓ ପାର୍ଲାମେଣ୍ଟ ସହିତ ଏ ନେଇ ଆଲୋଚନା କରୁଛନ୍ତି। ଆସନ୍ତା ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ବିଶ୍ବ ଯେଉଁ ସଂକଟର ସମ୍ମୁଖୀନ ହେବାକୁ ଯାଉଛି ସେ ସଂପର୍କରେ ସେ ସଚେତନତା ସୃଷ୍ଟି କରୁଛନ୍ତି। ଆସନ୍ତାବର୍ଷ ବିଶ୍ବ ଖାଦ୍ୟ ସଂଗଠନ ପାଇଁ ୧୫୦ କୋଟି ଡଲାର ଅର୍ଥ ଆବଶ୍ୟକ। ଏଥିରୁ ୫୦ କୋଟି ଡଲାର ଦୁର୍ଭିକ୍ଷର ମୁକାବିଲା କରିବା ପାଇଁ ହୋଇଥିବାବେଳେ ୧୦୦ କୋଟି ଡଲାର ଅର୍ଥ ଶିଶୁମାନଙ୍କ ଅପପୁଷ୍ଟି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ। ଯଦି ଅନ୍ୟ ସ୍ବାଭାବିକ ଅର୍ଥ ସହିତ ବିଶ୍ବ ଖାଦ୍ୟ ସଂଗଠନକୁ ୧୫୦ କୋଟି ଡଲାର ଅର୍ଥ ପ୍ରଦାନ କରାଯାଏ ତାହେଲେ ବିଶ୍ବରୁ ଦୁର୍ଭିକ୍ଷକୁ ଦୂର କରାଯାଇ ପାରିବା ସହିତ ଅସ୍ଥିରତାକୁ ମଧ୍ୟ ରୋକାଯାଇ ପାରିବ। ବିଭିନ୍ନ ଦେଶର ସରକାରଙ୍କ ସହିତ କରୋନା ମହାମାରୀ ସମୟରେ କୋଟି କୋଟି ଟଙ୍କା ରୋଜଗାର କରିଥିବା ବ୍ୟକ୍ତିମାନେ ମଧ୍ୟ ଏଥିପାଇଁ ସହଯୋଗର ହାତ ବଢ଼ାଇବା ଆଶା ତାଙ୍କର ରହିଛି ବୋଲି ସେ କହିଛନ୍ତି। ଚଳିତବର୍ଷ ଏପ୍ରିଲରେ ବିସ୍‌ଲି କହିଥିଲେ ୧୩.୫ କୋଟି ଲୋକ କ୍ଷୁଧାର ସମ୍ମୁଖୀନ ହୋଇଛନ୍ତି। ସେହି ସମୟରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ଏକ ବିଶ୍ଳେଷଣରୁ ଏହା ଜଣା ପଡ଼ିଥିଲା ଯେ କୋଭିଡ-୧୯ ଯୋଗୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକ ୧୩ କୋଟି ଲୋକ ଉତ୍କଟ କ୍ଷୁଧାର ସମ୍ମୁଖୀନ ହେବେ। ୨୦୨୦ର ଦୁର୍ଭିକ୍ଷକୁ ଏଡ଼ାଇ ଦିଆଯାଇଥିଲେ ମଧ୍ୟ ଆଗାମୀ ଦିନରେ ୨୭ କୋଟି ଲୋକ କ୍ଷୁଧାର ସାମ୍ନା କରିବାକୁ ଯାଉଛନ୍ତି। ଆମ ନିକଟରେ ଯଦି ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ନହୁଏ ତାହେଲେ ବିଶ୍ବରେ ପାଖାପାଖି ୩୬ଟି ଦେଶ ଦୁର୍ଭିକ୍ଷର ସମ୍ମୁଖୀନ ହେବେ ବୋଲି ବିସ୍‌ଲି ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର