ନିରବ ମୋଦିଙ୍କ ବାପା, ଭଉଣୀ, ଭିଣୋଇଙ୍କୁ ସମନ୍‌

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ବାପା, ଭଉଣୀ ଓ ଭିଣୋଇଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ୍‌ ଜାରି କରିଛି। ନିରବଙ୍କ ବାପା ଦୀପକ ମୋଦି, ଭଉଣୀ ପୂରବୀ ମେହେଟ୍ଟା ଏବଂ ଭିଣୋଇ ମୟଙ୍କ ମେହେଟ୍ଟାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି। ମୁମ୍ବାଇସ୍ଥିତ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତରେ ଆସନ୍ତା ସପ୍ତାହରେ ଇଡି ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ନେଇ ଯୋଜନା ରହିଛି। ଏହା ପୂର୍ବରୁ ନିରବଙ୍କ ଉପରୋକ୍ତ ସମ୍ପର୍କୀୟମାନଙ୍କୁ ଇଡି ପଚରାଉଚୁରା କରିବ। ଚଳିତମାସ ପ୍ରଥମ ସପ୍ତାହରେ ଏମାନଙ୍କୁ ସମନ ଜରାଯିବା ସହିତ ୧୫ ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି ବୋଲି ଇଡି ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଯଦି ସେମାନେ ପ୍ରଥମ ସମନରେ ହାଜର ନହୁଅନ୍ତି ସେମାନଙ୍କୁ ଆଉ ଥରେ ସମନ୍‌ କରାଯିବା ବୋଲି ଜଣାଯାଇଛି। ଦୀପକ ବେଲଜିୟମର ଏଣ୍ଟ୍ଵର୍ପ ସହରରେ ବାସ କରୁଥିବାବେଳେ ପୂରବୀ ଏବଂ ମୟଙ୍କ ହଂକଂରେ ରହୁଛନ୍ତି। ସେମାନଙ୍କୁ ଇ-ମେଲ୍‌ ଯୋଗେ ସମନ୍‌ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ପିଏନ୍‌ବି ଠକେଇ ମାମଲାରେ ସିବିଆଇ ପକ୍ଷରୁ ନିରବ ଓ ତାଙ୍କ ମାମୁଁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର