ଲକଡାଉନ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା, ବେକାରୀ ବଢୁଛି : ବିଶ୍ୱବ୍ୟାଙ୍କ

ଭାରତକୁ ଦେଲା ୭୫୬୩ କୋଟିର ଋଣ

ନୂଆଦିଲ୍ଲୀ : କରୋନା ମହାମାରୀ ବିରୁଦ୍ଧରେ ଭାରତ ଲଢୁଥିବାବେଳେ ବିଶ୍ୱବ୍ୟାଙ୍କ ଆଜି ଭାରତକୁ ୧ ବିଲିୟନ ଡଲାର ( ପ୍ରାୟ ୭୫୬୩ କୋଟି ଟଙ୍କା)ର ସହାୟତା ପ୍ରଦାନ କରିଛି । ଏହି ଅର୍ଥ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଭାରତର ଗରିବ ଓ ଦୂର୍ବଳବର୍ଗଙ୍କ ସହାୟତା ଲାଗି ପିଡିଏସ ଓ ଜନଧନ ଯୋଜନାରେ ବ୍ୟୟ ହେବ ।

ପୂର୍ବରୁ ମଧ୍ୟ ବିଶ୍ୱବ୍ୟାଙ୍କ କରୋନା ମୁକାବିଲା ଲାଗି ଭାରତକୁ ୧ ବିଲିୟନ ଡଲାର ଅନୁଦାନ ପ୍ରଦାନ କରିଥିଲା । ଏ ସଂପର୍କରେ ଭାରତରେ ଅବସ୍ଥାପିତ ବିଶ୍ୱବ୍ୟାଙ୍କର ନିର୍ଦ୍ଦେଶକ ଜୁନେଦ ଅହମଦ କହିଛନ୍ତି ଯେ କରୋନା ମୁକାବିଲା ଲାଗି ଟୀକା ଓ ଔଷଧ ନଥିବାବେଳେ ବିଶ୍ୱର ଦେଶମାନେ ଲକଡାଉନ ଓ ସାମାଜିକ ଦୂରତ୍ୱକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । କିନ୍ତୁ ଏହା ଦ୍ୱାରା  ବେକାରୀ ଓ ମାନ୍ଦାବସ୍ଥା ବଢୁଛି ।  ଫଳରେ   ସମାଜର ଗରିବ ଓ ଦୂର୍ବଳବର୍ଗ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଭାରତରେ ବିଶ୍ୱର ବୃହତ୍ତମ ଲକଡାଉନ ଘୋଷଣା କରାଯାଇଥିବାବେଳେ ଗରିବ ଓ ଦୁର୍ବଳ ବର୍ଗ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଏହି ୧ ବିିଲିୟନ ଡଲାର ମଧ୍ୟରୁ ୫୫୦ ନିୟୁତ ଡଲାର ଅନ୍ତର୍ଜାତୀୟ ଉନ୍ନୟନ ସଂଗଠନ( ଆଇଡିଏ) ଦ୍ୱାରା ଋଣ ଆକାରରେ ପ୍ରଦାନ କରାଯିବ । ଆଉ ୨୦୦ ନିୟୁତ ଡଲାର ବିଶ୍ୱବ୍ୟାଙ୍କର ଏକ ଶାଖା ସଂସ୍ଥା ଆଇବିଆରଡି ଦ୍ୱାରା ଋଣ ଆକାରରେ ପ୍ରଦାନ କରାଯିବ । ଅବଶିଷ୍ଟ ୨୫୦ ନିୟୁତ ଡଲାର ଆସନ୍ତା ଜୁନ ୩୦ ପରେ ମିଳିବ ।

ସମ୍ବନ୍ଧିତ ଖବର