ନୂଆଦିଲ୍ଲୀ : ଚଳିତ ୨୦୨୨-୨୩ ଆର୍ଥକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ୭.୫ ପ୍ରତିଶତ ରହିବ ବୋଲି ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଛି । ଗତ ଏପ୍ରିଲ ମାସରେ ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଥିଲା ଯେ ୨୦୨୨-୨୩ରେ ଭାରତର ଆର୍ଥିକ ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ । କିନ୍ତୁ ପରେ ତାହାକୁ ୮ ପ୍ରତିଶତକୁ ସଂଶୋଧନ କରାଗଲା । ଆଜି ଆଉ ଥରେ ନିଜର ପୂର୍ବାନୁମାନକୁ ବଦଳାଇ ୭.୫ ପ୍ରତିଶତ କରିଛି ବିଶ୍ବ ବ୍ୟାଙ୍କ । ୟୁକ୍ରେନ ଯୁଦ୍ଧ, ସପ୍ଲାଇ ଚେନରେ ସମସ୍ୟା ଯୋଗୁଁ ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି । ୨୦୨୨ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ମାତ୍ର ୨.୯ ପ୍ରତିଶତ ରହିବ ବୋଲି ବିଶ୍ବ ବ୍ୟାଙ୍କ କହିଛି ।
ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ବି ପଡ଼ିବ । ଏଣୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବି ଧୀମା ହେବ । ଏହା ସତ୍ତ୍ବେ ଭାରତୀୟ ଅର୍ଥନୀତି ବିଶ୍ବର ପ୍ରମୁଖ ଅର୍ଥନୀତିମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ବ ବ୍ୟାଙ୍କ କହିଛି ।
ଗୋଟିଏ ଦେଶରେ ଉତ୍ପାଦିତ ମୋଟ ଉତ୍ପାଦ ଓ ସେବାର ସାମଗ୍ରିକ ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ ବା ଜିଡିପି କୁହାଯାଏ । ଗତ ସପ୍ତାହରେ ଭାରତର ପରିସଂଖ୍ୟାନ ଓ କାର୍ୟ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ୨୦୨୧-୨୨ରେ ଦେଶର ଜିଡିପି ଅଭିବୃଦ୍ଧି ୮.୭ ପ୍ରତିଶତ ରହିଥିଲା ।