‘ଆମେ ଏକ ନମ୍ବର ରହିବାର ଅନେକ କାରଣ ଅଛି’

ରାଜ୍ୟରେ ଏକ ନୂତନ ସୋ’ରୁମ୍ ଖୋଲିବା ଏବଂ କିଟ୍ ସହିତ ଏକ ଏମ୍‌ଓୟୁ ସ୍ବାକ୍ଷର କରିବା ଲାଗି ମର୍ସିଡିସ୍-ବେଞ୍ଜ୍‌ ଇଣ୍ଡିଆର ଏମ୍‌ଡି ଓ ସିଇଓ ମାର୍ଟିନ ସ୍ବାଞ୍ଜ୍‌ ଭୁବନେଶ୍ବର ଗସ୍ତରେ ଆସିଛନ୍ତି। ଗାଡ଼ି ବଜା‌ର ମାନ୍ଦାବସ୍ଥା, ଭାରତରେ କଂପାନିର ପ୍ରଦର୍ଶନ, ଭବିଷ୍ୟତ ଯୋଜନା ଓ ନୂଆ ଉତ୍ପାଦ ସମ୍ପର୍କରେ ସେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଗାଡ଼ି ବଜାର ମାନ୍ଦାବସ୍ଥା ବିଷୟରେ ଆପଣଙ୍କ ମତ କ’ଣ?
ଗାଡ଼ି ବଜାରରେ ଥିବା ସମସ୍ତ କଂପାନି ମାନ୍ଦାବସ୍ଥା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଆମ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିଛି। ନିକଟରେ ଅର୍ଥମନ୍ତ୍ରୀ ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହାକୁ ମୁଁ ସ୍ବାଗତ କରିଛି। ଗାଡ଼ି ବଜାରରେ ଏହା ସୁଧାର ଆଣିବାରେ ସହାୟକ ହେବ। ବ୍ୟାଙ୍କଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା ଲାଗି ଯେଉଁ ଘୋଷଣା କରାଯାଇଛି ତାହା ଦ୍ବାରା ଫାଇନାନ୍ସ ସ୍ଥିତିରେ ଉନ୍ନତି ଆସିବ। ତେବେ ସରକାରଙ୍କ ଏହି ପଦକ୍ଷେପର ପ୍ରଭାବ କେତେ ଶୀଘ୍ର ଅନୁଭୂତ ହେବ ତାହା ମୁଁ ଆକଳନ କରିପାରିବି ନାହିଁ। ଗାଡ଼ି ବଜାରରେ ସ୍ବାଭାବିକ ସ୍ଥିତି କେବେ ଫେରିବ ତାହାକୁ କେବଳ ଅପେକ୍ଷା କରିବାକୁ ହେବ।

ମର୍ସିଡିସ-ବେଞ୍ଜ୍‌ ଉପରେ ମାନ୍ଦାବସ୍ଥାର କିଭଳି ପ୍ରଭାବ ରହିଛି?
ଚଳିତ ବର୍ଷ ଜାନୁଆରିରୁ ଜୁନ୍ ମାସ ମଧ୍ୟରେ ଆମର ବିକ୍ରି ଗତବର୍ଷ ତୁଳନାରେୂ ୧୫% କମିଛି। ଏହି ସମୟରେ କଂପାନି ୬୫୬୧ଟି ଗାଡ଼ି ଭାରତରେ ବିକ୍ରି କରିଛି। କିନ୍ତୁ ଆମର ବିଶ୍ବାସ ରହିଛି ଆସନ୍ତା ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ସ୍ଥିତିରେ ସୁଧାର ଆସିବ। ପ୍ରତିବର୍ଷର ସେପ୍ଟେମ୍ବରରୁ ପରବର୍ତି ବର୍ଷର ଫେବ୍ରୁଆରି ଭିତରେ କାର୍‌ଗୁଡ଼ିକ ଉପରେ ବଡ଼ ଧରଣର ରିହାତି ଘୋଷଣା କରାଯାଏ। ସେହି ସମୟରେ କାର୍ ବିକ୍ରି ବହୁତ ବଢ଼ିଯାଏ। ହୁଏତ ସେହି ସମୟରେ ହିଁ ଗାଡ଼ି ବଜାର ସ୍ବାଭାବିକ ହେବ ବୋଲି ଆଶା କରାଯାଇପାରେ।

ବିଳାସପୂର୍ଣ୍ଣ କାର୍‌ ବଜାରରେ ମର୍ସିଡିସ୍‌-ବେଞ୍ଜ୍‌ର ସ୍ଥିତି କ’ଣ?
ଆମେ ଏକ ନମ୍ବର ସ୍ଥାନରେ ରହିଛୁ। ବିଳାସପୂର୍ଣ୍ଣ କାର୍‌ ବଜାରର ସିଂହ ଭାଗ ଆମ କବ୍‌ଜାରେ ରହିଛି। ଆମେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏକ ନମ୍ବର ହୋଇ ରହିବାର ଅନେକ କାରଣ ରହିଛି। ତାହା ହେଉଛି ଏକ ବିଳାସପୂର୍ଣ୍ଣ କାର୍ କଂପାନି ଭାବ‌େ ଆମର ୪୭ଟି ସହରରେ ୯୫ଟି ଆଉଟ୍‌ଲେଟ୍‌ ରହିଛି। ଅନ୍ୟ କୌଣସି ବିଳାସପୂର୍ଣ୍ଣ କାର୍‌ କଂପାନିର ଏତେ ଅଧିକ ଆଉଟ୍‌ଲେଟ୍‌ ନାହିଁ। ମେଟ୍ରୋ ସହର ବାହାରେ ଥିବା ଆମ ଗ୍ରାହକଙ୍କ ପାଖରେ ସର୍ଭିସ୍‌ ସୁବିଧା ପହଞ୍ଚାଇବା ଲାଗି ଆମେ ନିରନ୍ତର ଉଦ୍ୟମ କରୁଛୁ। ଗ୍ରାହକମାନଙ୍କୁ ଆମେ ନୂଆ ଓ ଅଭିନବ ମାଲିକାନା ଅନୁଭୂତି ପ୍ରଦାନ କରୁଛି। ଏହି ସବୁ ବିଷୟ ଆମକୁ ଆଗାମୀ ଦିନରେ ମଧ୍ୟ ବିଳାସପୂର୍ଣ୍ଣ କାର୍‌ ବଜାରର ଏକ ନମ୍ବର ସ୍ଥାନରେ ରଖିବ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି।

କର୍ମଚାରୀ ଛଟେଇ କରିବାର କିଛି ଯୋଜନା ଅଛି କି?
ଆମେ କୌଣସି କର୍ମଚାରୀ ଛଟେଇ କରିନାହୁଁ। ଆମର ବହୁତ ସ୍ଥିର କର୍ମଚାରୀ ସ୍ଥିତି ରହିଛି। ଆଗାମୀ ଦିନରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାର କୌଣସି ଯୋଜନା ନାହିଁ। ଯେହେତୁ ଗାଡ଼ି ବଜାରରେ ଶୀଘ୍ର ସୁଧାର ହେବାକୁ ଯାଉଛି ତେଣୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ।

ଚଳିତ ବର୍ଷ ଆଉ କିଛି ନୂଆ ମଡେଲ୍‌ ଆସିବ କି?
ହଁ, ନିଶ୍ଚିତ। ଆସନ୍ତା ତିନି ମାସ ଭିତରେ ଆମେ ଏକ ନୂଆ ଉତ୍ପାଦ ଭେଟି ଦେବୁ।

-ତାହା ଏକ ସେଦାନ ନା ଏସ୍‌ୟୁଭି?
ଏସ୍‌ୟୁଭି ବୋଲି କୁହାଯାଇପାରିବ।

-ମର୍ସିଡିସ୍-ବେଞ୍ଜ୍‌ ଭଳି କଂପାନି ପାଇଁ ଓଡ଼ିଶା ବଜାର କେତେ ଗୁରୁତ୍ବପୂର୍ଣ୍ଣ?
ଭାରତର ମୋଟ ଗାଡ଼ି ବଜାରର ମାତ୍ର ୧.୩% ବିଳାସପୂର୍ଣ୍ଣ କାର୍ କଂପାନିଗୁଡ଼ିକ ପାଖରେ ରହିଛି। ଅନ୍ୟ ଦେଶ ତୁଳନାରେ ଭାରତରେ ବହୁତ କମ୍ ପରିମାଣର ବିଳାସପୂର୍ଣ୍ଣ କାର୍ ବିକ୍ରି ହେଉଛି। ଏଠାରେ ବିକ୍ରି ପାଇଁ ବିପୁଳ ସୁଯୋଗ ରହିଛି।
-ପ୍ରଭାତ ପଟ୍ଟନାୟକ

ସମ୍ବନ୍ଧିତ ଖବର