ହରିଦ୍ବାର: ଆମେ କେବେ ମିଥ୍ୟା ପ୍ରଚାର କରୁନାହୁଁ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ସତକର୍ମ ଆଦି ଜରିଆରେ ଆମେ ହଜାର ‌ହଜାର ଲୋକଙ୍କୁ ରକ୍ତଚାପ, ମଧୁମେହ, ଗଳଗଣ୍ଡ, ଶ୍ବାସରୋଗ, ବାତ, ମେଦବହୁଳତା, ଯକୃତ, ଫୁସ୍‌ଫୁସ୍‌ ଏବଂ କ୍ୟାନସର ରୋଗରୁ ଉପଷମ ପ୍ରଦାନ କରିଛୁ ବୋଲି ପତଞ୍ଜଳି ଆୟୁର୍ବେଦ ପକ୍ଷରୁ କୁହାଯାଇଛି। ବିଜ୍ଞାପନରେ ମିଥ୍ୟା ଦାବି କରୁଥିବା ନେଇ ସୁପ୍ରିମକୋର୍ଟ ପତଞ୍ଜଳିକୁ ଚେତାବନୀ ଦେବା ସହ ଉତ୍ପାଦ ପିଛା କୋଟିଏ ଟଙ୍କା ଜରିମାନା ଲଗାଇବାକୁ କହିବା ପରେ ପତଞ୍ଜଳି ପକ୍ଷରୁ ଏହି ସଫେଇ ଦିଆଯାଇଛି।

Advertisment

ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ଆମ ପାଖରେ ଏକ କୋଟିରୁ ଅଧିକ ଲୋକଙ୍କ ବାସ୍ତବ ପ୍ରମାଣ ରହିଛି। ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ ହେଉଛି ଆୟୁର୍ବେଦ ଉପରେ ବିଶ୍ବର ଶ୍ରେଷ୍ଠ ଗବେଷଣା କେନ୍ଦ୍ର ଯାହା ୩୦୦୦ରୁ ଅଧିକ ଗବେଷଣା ପ୍ରୋଟୋକଲକୁ ଅନୁସରଣ କରିଛି ଏବଂ ୫୦୦ ଗବେଷଣା ସନ୍ଦର୍ଭ ପ୍ରକାଶ କରିଛି। ମେଡିକାଲ କ୍ଷେତ୍ରର କିଛି ଡାକ୍ତର ଯୋଗ, ଆୟୁର୍ବେଦ ଓ ନେଚୁରୋପାଥିକୁ ବିରୋଧ କରୁଥିବା ହେଉଛି ବଡ଼ ସମସ୍ୟା। ସୁପ୍ରିମକୋର୍ଟଙ୍କ ପ୍ରତି ଆମର ଗଭୀର ସମ୍ମାନ ରହିଛି। ଯବି ଆମେ ମିଥ୍ୟା ବିଜ୍ଞାପନ କିମ୍ବା ପ୍ରଚାର କରିଥିବୁ ତେବେ କୋର୍ଟ ଆମ ଉପରେ ଜରିମାନା ଲଗାଇପାରିବେ ଓ ମୃତ୍ୟୁ ଦଣ୍ଡ ଦେଇପାରିବେ। ଆବଶ୍ୟକ ପଡ଼ିଲେ ଆମେ କୋର୍ଟରେ ସବୁ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିବୁ ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି।