ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ଏକ ବଡ଼ ଆହ୍ବାନ ହୋଇ ଉଭା ହୋଇଥିଲା। ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପ୍ରସ୍ତୁତ କରିବା ଲାଗି ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ଅନଲାଇନ୍ ପାଠପଢ଼ା, ଶିକ୍ଷାଦାନରେ ପ୍ରଯୁକ୍ତିର ବ୍ୟବହାର ଏବଂ ନିଜ ଅନୁଷ୍ଠାନ ସମ୍ପର୍କରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଦଶାରୀ ମୂରଲୀ କ୍ରିଷ୍ଣା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି।

Advertisment

publive-image

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା କେତେ ପ୍ରଭାବଶାଳୀ?
କୋଭିଡ୍ ସମୟରେ ଶିକ୍ଷା କ୍ଷେତ୍ର ଲାଗି କେବଳ ଅନ୍‌ଲାଇନ୍‌ ପାଠପଢ଼ା ବିକଳ୍ପ ହିଁ ରହିଥିଲା। ଯେହେତୁ ଶ୍ରେଣୀ ଗୃହରେ ପାଠପଢ଼ା ବନ୍ଦ ଥିଲା ତେଣୁ ଶିକ୍ଷାଦାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅପେକ୍ଷା ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବା ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇଥିଲା। ଆନିମେଟେଡ୍‌ ଭିଡିଓ, ପାୱାର ପଏଣ୍ଟ୍‌ ‌ପ୍ର‌େଜେଣ୍ଟେସନ ପିଲାମାନଙ୍କ ବୁଝିବା ପାଇଁ ପାଠପଢ଼ାକୁ ଅଧିକ ସହଜ କରିଥିଲା। ମୋ ମତରେ ମହାମାରୀ ସମୟରେ ଏହା ଏକ ବରଦାନ ସଦୃଶ ଥିଲା। ଅନ୍‌ଲାଇନ୍ ପାଠପଢ଼ା ଯୋଗୁଁ ୮୦% ପିଲା ନିଜର ପାଠ୍ୟକ୍ରମ ସଫଳତାର ସହ ଶେଷ କରିପାରିଛନ୍ତି ଯେଉଁଥିପାଇଁ ଗୋଟିଏ ବର୍ଷ ଅପଚୟ ହେବାରୁ ବଞ୍ଚିଯାଇଛି।

ପ୍ରଯୁକ୍ତି ବ୍ୟବହାର କରିବା ଦୃଷ୍ଟିରୁ ସରକାରୀ ସ୍କୁଲ୍‌ ତୁଳନାରେ ଘରୋଇ କ୍ଷେତ୍ର ସ୍କୁଲ୍‌ଗୁଡ଼ିକ ଆଗୁଆ ବୋଲି ଆପଣ ଭାବୁନାହାନ୍ତି କି?
ଘରୋଇ ‌ସ୍କୁଲ୍‌ରେ ବିଭିନ୍ନ କାରଣ ଯୋଗୁଁ ପ୍ରଯୁକ୍ତି ଗ୍ରହଣୀୟତା ଅଧିକ ରହୁଛି। ସରକାରୀ ସ୍କୁଲ୍ ଏକ ବୃହତ ଓ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଘରୋଇ କ୍ଷେତ୍ରର ସ୍କୁଲ୍‌ଗୁଡ଼ିକ ସେହି ତୁଳନାରେ ଛୋଟ ଏବଂ ବ୍ୟକ୍ତିଗତ ସ୍ତରରେ ସ୍କୁଲ୍‌ଗୁଡ଼ିକର ପରିଚାଳନା ଓ ନି‌ଷ୍ପତ୍ତି ଆଦି ଗ୍ରହଣ କରିବା ଅଧିକ ସହଜ ରହୁଛି। ଘରୋଇ କ୍ଷେତ୍ରର ଛାତ୍ରଛାତ୍ରୀ-ଅଭିଭାବକ-ଅଧ୍ୟାପନା ମଣ୍ଡଳୀ ଅନ୍‌ଲାଇନ୍ ପାଠପଢ଼ାକୁ ଖୁବ୍‌ କମ୍ ସମୟରେ ଗ୍ରହଣ କରିଥିଲେ। ବିକାଶ ଗ୍ରୁପ୍‌ରେ ଆମେ ତୁରନ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଉପରେ ପ୍ରଶିକ୍ଷଣ ଦେଇଥିଲୁ। କରୋନା ସମୟରେ ସରକାରୀ କ୍ଷେତ୍ରରେ ମଧ୍ୟ ଅନ୍‌ଲାଇନ୍ ଶିକ୍ଷାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଶ୍ରେଷ୍ଠ ପ୍ରୟାସ କରାଯାଇଛି।

ସ୍କୁଲ୍‌ ଖୋଲିବା ପରେ ବିକାଶ ଗ୍ରୁପ୍ କ’ଣ କରିବ?
ବିକାଶ ଗ୍ରୁପ୍ ପ୍ରତିଟି ସ୍ଥିତିରେ ଅଗ୍ରଣୀ ରହିଥାଏ। ନୂଆ ନିୟମରେ ବିକାଶ ଗ୍ରୁପ୍ ମିଶ୍ରିତ ଶିକ୍ଷାରେ ଉଦାହରଣ ସୃଷ୍ଟି କରିବ। କୋଭିଡ୍ ସମୟରେ ଆମେ ଆମ ବ୍ୟବସ୍ଥାରେ ଉନ୍ନତି ଆଣିଛୁ। ଆମ ଟିମ୍‌ ଗବେଷଣା ଓ ବିକାଶ କାର୍ଯ୍ୟ ଜାରି ରଖିଛି। ସ୍କୁଲ ସମୟ ପରେ ଘରେ ପାଠପଢ଼ାକୁ ପହଞ୍ଚାଇ ଆମେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଚାପ କମ୍ କରିବାକୁ ଚାହୁଛୁ।

ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମସ୍ୟା କମ୍ କରିବାକୁ କ’ଣ କରାଯିବା ଦରକାର?
ଏହି ବର୍ଗର ପିଲାମାନଙ୍କ ପାଇଁ ସରକାର ‌ଅନେକ ସହାୟତା ଦେଉଛନ୍ତି। କିନ୍ତୁ ଶିକ୍ଷାର ଗୁରୁତ୍ବ ବିଷୟରେ ସେମାନଙ୍କୁ ବୁଝାଇବା ଲାଗି ସରକାର ସ୍ତରରେ ଇଚ୍ଛାଶକ୍ତିକୁ ଆହୁରି ଦୃଢ଼ କରିବାକୁ ହେବ। ଆଜିର ଡିଜିଟାଲ୍ ଦୁନିଆରେ ପ୍ରତିଟି ବର୍ଗ ପାଖରେ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ୍ ଓ ବ୍ୟାଣ୍ଡ୍‌ ଆଦି ପହଞ୍ଚିଛି। ମହାମାରୀ ସମୟରେ ଉଭା ହୋଇଥିବା ଅନ୍‌ଲାଇନ୍ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିଛି।

ବିଦେଶର କୌଣସି ଶିକ୍ଷାନୁଷ୍ଠାନ ସହ ସହଯୋଗିତା ସ୍ଥାପନ କରିବାକୁ ଚାହୁଛନ୍ତି କି?
ନୂଆ ଶିକ୍ଷା ନୀତିରେ ସେଭଳି ସହଯୋଗିତା ପାଇଁ ବାଟ ଫିଟିଛି। ଯଦି ଆମ ପାଖକୁ ସେଭଳି କିଛି ସୁଯୋଗ ଆସିବ ଆମେ ନିଶ୍ଚିତ ତାହାକୁ ଗ୍ରହଣ କରିବୁ। ଆମ ଶିକ୍ଷାନୁଷ୍ଠାନକୁ ବିଶ୍ବସ୍ତରୀୟ କରିବା ଲାଗି ମୋର ସ୍ପଷ୍ଟ ଚିନ୍ତାଧାରା ରହିଛି।

ଦେଶର ଅନ୍ୟ ସ୍ଥାନରେ ଶିକ୍ଷାନୁଷ୍ଠାନ ଖୋଲିବା ଯୋଜନା ଅଛି କି?
୨୦୧୦ ପରେ ଆମେ ଆମର ସମ୍ପ୍ରସାରଣ ଆରମ୍ଭ କରିଥିଲୁ ଏବଂ ସ୍କୁଲ ଓ କଲେଜ ଦୃଷ୍ଟିରୁ ଓଡ଼ିଶା ଭିତରେ ରହିଛୁ। ଆସନ୍ତା ଦଶନ୍ଧୀରେ ଆମେ ଅନ୍ୟ ରାଜ୍ୟକୁ ଯିବୁ। ଏଥିପାଇଁ ଅନେକ ପ୍ରସ୍ତାବ ରହିଛି।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ସମ୍ବାଦର ଏହି ଅଭିଯାନ ଏଭଳି ଏକ ମଞ୍ଚ ଯାହା ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ବ୍ରାଣ୍ଡ୍‌କୁ କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ପ୍ରଦର୍ଶିତ କରିବାର ସୁଯୋଗ ଦେଉଛି। ଏହା ଓଡ଼ିଶା ପାଇଁ ଅନେକ ବ୍ରାଣ୍ଡ୍‌ ଆମ୍ବାସାଡର ସୃଷ୍ଟି କରିବ ଯେଉଁମାନେ ଓଡ଼ିଶାକୁ ଅନେକ ଉଦ୍ୟୋଗୀଙ୍କୁ ଆସିବା ପାଇଁ ଅନୁପ୍ରାଣିତ କରିପାରିବେ। ଓଡ଼ିଶାରେ ବ୍ୟବସାୟ କରିବା ବହୁତ ସହଜ ବୋଲି ଏକ ବିଶ୍ବାସ ସୃଷ୍ଟି ହେବ। ମୁଁ ଭାବୁଛି ସମ୍ବାଦ ଗ୍ରୁପ୍‌ ତରଫରୁ ଏହା ଏକ ଅଭିନବ ଏବଂ ଉତ୍ସାହ ପ୍ରଦାନକାରୀ ଅଭିଯାନ।