ଫ୍ରୋଜିଟ୍‌ର ଅଧିକ ଫ୍ରାଞ୍ଚାଇଜି ଷ୍ଟୋର୍‌ ଖୋଲିବୁ: ରଶ୍ମୀ ସାହୁ ‌

ଓମ୍ ଅଏଲ୍‌ ଆଣ୍ଡ୍‌ ଫ୍ଲୋର୍‌ ମିଲ୍‌ର ନିର୍ଦେଶିକା ରଶ୍ମୀ ସାହୁ ‌ଉଦ୍ୟୋଗୀ ଭାବେ ନିଜ ଯାତ୍ରା, ଫ୍ରୋଜିଟ୍‌ ବ୍ରାଣ୍ଡ୍‌ ଓ ସଂସ୍ଥାର ସମ୍ପ୍ରସାରଣ ବିଷୟରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ଉଦ୍ୟୋଗୀ ହେବାର ଯାତ୍ରା କିଭଳି ରହିଥିଲା?
୨୦୦୨-୦୩ରେ ଦ୍ବାଦଶ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ଖାଦ୍ୟରେ ଗବେଷଣା ଓ ବିକାଶ ଉପରେ ମୋର ବିଶେଷ ରୁଚି ଥିଲା। ମୋ ବାପା ରୁଚିର ପ୍ରତିଷ୍ଠାତା ଶରତ କୁମାର ସାହୁ ମୋତେ ନିଜ ଅଭିଳାଷକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। କିଛି ଦିନ ପରେ ଖାଦ୍ୟ ବିକାଶ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ମୁଁ ଉଦ୍ୟମ ଆରମ୍ଭ କରିଥିଲି। ମହିଳାମାନଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା। ସେମାନଙ୍କୁ ଖାଦ୍ୟ ତିଆରି କରିବା, ପ୍ୟାକେଜିଂ ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ୨୦୦୫ରେ ମୋର ବିବାହ ହେବା ପରେ ତାହା ଅଟକି ଯାଇଥିଲା। ମୋ ସନ୍ତାନ ଜନ୍ମ ହେବାର କିଛି ଦିନ ପରେ ମୁଁ ପୁଣି ଥରେ ଉତ୍ପାଦ ବିକାଶ କ୍ଷେତ୍ରକୁ ଫେରିଥିଲି। ରୁଚିରେ ମୁଁ ଉତ୍ପାଦ ବିକାଶର ଦାୟିତ୍ବ ନେଇଥିଲି।

ଫ୍ରୋଜିଟ୍‌ ‌କିଭଳି ଆରମ୍ଭ ହେଲା?
ଫ୍ରୋଜେନ୍ ଫୁଡ୍‌ ‌ପ୍ରତି ମୋର ବିଶେଷ ଆଗ୍ରହ ରହିଥିଲା। ଏହି କ୍ଷେତ୍ରର ପ୍ରଯୁକ୍ତି ଜ୍ଞାନକୌଶଳଗୁଡ଼ିକ ବିଷୟରେ ଜାଣିବା ଲାଗି ମୁଁ ଜର୍ମାନି, ସ୍ବିଜରଲ୍ୟାଣ୍ଡ୍‌ ଆଦି ଦେଶ ଯାତ୍ରା କରିଥିଲି। ସେତେବେଳେ ରାଜ୍ୟରେ ଫ୍ରୋଜେନ୍ ଫୁଡ୍‌କୁ ନେଇ ଏତେଟା ସଚେତନତା ନଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ଆହ୍ବାନ ସାମ୍ନା କରିବାକୁ ପଡ଼ିଥିଲା। ମେସିନ୍ ତ ନେଇଆସିଲୁ। କିନ୍ତୁ ଏହି ବ୍ୟବସାୟ ସହ ଜଡ଼ିତ ସମସ୍ତ ଅଂଶୀଦାରମାନଙ୍କୁ ପ୍ରଥମେ ବହୁତ ବୁଝାଇବାକୁ ପଡ଼ିଥିଲା। ଫ୍ରିଜ୍‌ରେ ରଖାଯାଉଥିବା ଖାଦ୍ୟ ଓ ଫ୍ରୋଜେନ୍‌ ଫୁଡ୍‌ ମଧ୍ୟରେ ବହୁତ ଫରକ ରହିଛି ବୋଲି ସେମାନଙ୍କୁ କୁହାଯାଇଥିଲା। ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ିବା ପରେ ଆମେ ୨୦୧୨ରେ ଆନୁଷ୍ଠାନିକ ଭାବେ ଫ୍ରୋଜିଟ୍ ବ୍ରାଣ୍ଡ୍‌କୁ ଆରମ୍ଭ କରିଥିଲୁ।

ଏହା ପରର ଅନୁଭୂତି କିଭଳି ଥିଲା?
ଫ୍ରୋଜିଟ୍‌ ବ୍ରାଣ୍ଡ୍ ଅଧୀନ‌ରେ ଆମେ ପାନୀୟ ମଧ୍ୟ ଆଣିଲୁ। ସ୍ବାଦଯୁକ୍ତ ଡ୍ରିଙ୍କସ୍‌, ମିକ୍ସଡ୍ ଫ୍ରୁଟ୍‌, ପଲ୍‌ପି ଲିଚି ଡ୍ରିଙ୍କ୍‌ ଆଦି ପ୍ରସ୍ତୁତ କରିଥିଲୁ। ଥାଇଲ୍ୟାଣ୍ଡ୍‌ ଓ ମାଲେସିଆରୁ ଆମେ ଫ୍ରୋଜେନ୍ ସାମଗ୍ରୀ ଆମଦାନି କରୁଥିଲୁ। ଫ୍ରୋଜିଟ୍‌ ଅଧୀନରେ ବେକରି ଉତ୍ପାଦ ମଧ୍ୟ ଆମେ ଯୋଡ଼ିଥିଲୁ। ନ୍ୟୁଟ୍ରିସନ୍ ଭିତ୍ତିକ ଉତ୍ପାଦ ମଧ୍ୟ ଆମର ରହିଛି।

ସଂସ୍ଥାର କେତୋଟି ଆଉଟ୍‌ଲେଟ୍‌ ରହିଛି?
ଭୁବନେଶ୍ବର ଓ କଟକରେ ଆମର ଉଭୟ କଂପାନି ମାଲିକାନା ଓ ଫ୍ରାଞ୍ଚାଇଜି ଆଉଟ୍‌ଲେଟ୍‌ ରହିଛି। ଆଗାମୀ ଦିନରେ ଆମେ ଅଧିକରୁ ଅଧିକ ଫ୍ରାଞ୍ଚାଇଜି ଆଉଟ୍‌ଲେଟ୍‌ ଖୋଲିବୁ। ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ଆମେ ଲୋକମାନଙ୍କୁ ସବୁ ପ୍ରକାର ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଗକୁ ବଢ଼ିବାରେ ସହୟତା ପ୍ରଦାନ କରିବୁ।

କିଛି ନୂଆ ବ୍ରାଣ୍ଡ୍‌ ଆଣିବାର ଯୋଜନା ରହିଛି କି?
‘ଫାର୍ମ ବି’ ନାମରେ ଏକ ନୂଆ ବ୍ରାଣ୍ଡ୍‌ ଉନ୍ମୋଚନ କରାଯାଇଛି। ଏହି ବ୍ରାଣ୍ଡ୍‌ର ଉତ୍ପାଦଗୁଡ଼ିକ ପ୍ରମୁଖ ଇ-କମର୍ସ ସାଇଟ୍‌ ଓ ଆଉଟ୍‌ଲେଟ୍‌ଗୁଡ଼ିକରେ ଉପଲବ୍ଧ ହୋଇଛି।

ଅନଲାଇନ୍ ବ୍ୟବସାୟ ପାଇଁ କ’ଣ ଯୋଜନା?
ଆମେ ନିଜସ୍ବ ଇ-କମର୍ସ ୱେବସାଇଟ୍‌ frozit.in ବିକଶିତ କରିଛୁ। ଗ୍ରାହକମାନେ ସିଧାସଳଖ ସେଥିରେ ବିଭିନ୍ନ ସାମଗ୍ରୀର ବରାଦ ଦେଇ ତାହାର ଡେଲିଭରି ଘରେ ପାଇପାରିବେ। ଇ-କମର୍ସ ସାଇଟ୍‌ରେ ବରାଦ ସଂଖ୍ୟା ବହୁତ ଭଲ ରହିଛି। ଅଭିବୃଦ୍ଧି ଉଲ୍ଲେଖନୀୟ ସ୍ତରରେ ରହିଛି।

ସମ୍ବନ୍ଧିତ ଖବର