ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ହଠାତ୍‌ ଅତ୍ୟଧିକ ଦୁର୍ବଳ ହୋଇପଡ଼ିବା ଚିନ୍ତାର କାରଣ ଭାବେ ଉଭା ହୋଇଛି। ଅର୍ଥନୈତିକ ଅଭିବୃଦ୍ଧି ଓ ଦରଦାମ୍‌ ସ୍ଥିତିକୁ ବିଗାଡ଼ିବାର ଶକ୍ତି ଏହା ପାଖରେ ରହିଛି। ବହୁ କଷ୍ଟରେ ଦରଦାମ୍‌କୁ ନିୟନ୍ତ୍ରଣ ମଧ୍ୟକୁ ଆଣିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ମଧ୍ୟ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। 

Advertisment

ବିଶ୍ବସ୍ତରରେ ଦେଶଦେଶ ଭିତରେ ହେଉଥିବା ଆମଦାନି ଓ ରପ୍ତାନି କାରବାରରେ ମୁଖ୍ୟତଃ ଆମେରିକୀୟ ଡଲାରକୁ ପେମେଣ୍ଟ ଲାଗି ବ୍ୟବହାର କରାଯାଉଛି। ସେଥିପାଇଁ ଯେକୌଣସି ଦେଶର ମୁଦ୍ରା ତୁଳନାରେ ତାହାର ଚାହିଦା ଅଧିକ ରହିଛି। ସେଥିପାଇଁ ପ୍ରତିଟି ଦେଶ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ରଖିଛନ୍ତି। ସେଥିରେ ଯଥା ସମ୍ଭବ ଅଧିକ ବିଦେଶୀ ମୁଦ୍ରା ରଖିବାକୁ ପ୍ରୟାସ କରିଥାନ୍ତି। ସେଥିରେ ଥିବା ପାଣ୍ଠିକୁ ବିଭିନ୍ନ ଜିନିଷ ଆମଦାନି ବେଳେ ବ୍ୟବହାର କରାଯାଏ। ଟଙ୍କା ଦୁର୍ବଳ ହେବାର ଅର୍ଥ ହେଉଛି ଡଲାର ମହଙ୍ଗା ହେବା। ଯେଉଁ ଡଲାରକୁ ପୂର୍ବରୁ ୮୩ ଟଙ୍କାରେ କିଣାଯାଉଥିଲା, ସେଥିପାଇଁ ଏବେ ୮୪ ଟଙ୍କା ଗଣିବାକୁ ପଡ଼ିବ। ତେଣୁ ସମାନ ଜିନିଷ ମଗାଇବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆମଦାନି ହେଉଥିବା ଜିନିଷ ଅଧିକ ଦାମ୍‌ରେ ଆସିଲେ ତାହା ଦେଶ ଭିତରେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହେବ। ଫଳରେ ଦେଶରେ ଦରଦାମ୍‌ର ଭୟଙ୍କର ସ୍ଥିତି ସୃଷ୍ଟି ହେବ। ଭାରତ ଏକ ବିଶାଳ ଜନସଂଖ୍ୟାର ଦେଶ ହୋଇଥିବାରୁ ତାହା ଅଶୋଧିତ ତେଲଠାରୁ ଆରମ୍ଭ କରି ଖାଇବା ତେଲ, ଔଷଧ, ପୋଷାକ, ବିଭିନ୍ନ ଯନ୍ତ୍ରପାତି ଓ ଖାଦ୍ୟଶସ୍ୟ ତଥା ସୁନା ଆଦି ଆମଦାନି କରୁଛି। ସେସବୁ ମହଙ୍ଗା ହେବାର ଆଶଙ୍କା ରହିଛି। ସେହିପରି ବିଦେଶକୁ ଭ୍ରମଣରେ, ବ୍ୟବସାୟ ଉଦ୍ଦେଶ୍ୟରେ କିମ୍ବା ପାଠପଢ଼ିବାକୁ ଯାଉଥିବା ଲୋକମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ଅନ୍ୟ ପକ୍ଷରେ, ଗତ ସପ୍ତାହରେ ପ୍ରଥମ ଥର ପାଇଁ ରେକର୍ଡ ୭୦,୦୦୦ କୋଟି ଡଲାର ସ୍ତର ଅତିକ୍ରମ କରିଥିବା ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁସା‌ରେ ଅକ୍ଟୋବର ୪ ସୁଦ୍ଧା ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୭୦ କୋଟି ଡଲାର ହ୍ରାସ ଘଟିଛି। ଏହି ସମୟରେ ଭଣ୍ଡାରରେ ସୁନା ମୂଲ୍ୟ ୪୦ ନିୟୁତ ଡଲାର ହ୍ରାସ ପାଇ ୬୫୭୬ କୋଟି ଡଲାର ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ରେ ଥିବା ଭାରତର ଗଚ୍ଛିତ ମୁଦ୍ରା ପରିମାଣ ୩୫ ନିୟୁତ ଡଲାର ହ୍ରାସ ପାଇ ୪୩୫ କୋଟି ଡଲାର ହୋଇଛି। ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ବଜାରରେ ହସ୍ତକ୍ଷେପ କରିଥାଏ। ତାହା ଭଣ୍ଡାରରୁ ଡଲାର ବାହାର କରି ବଜାରରେ କମ୍ ଦାମ୍‌ରେ ଉପଲବ୍ଧ କରିବା ପରେ ସ୍ଥିତିରେ ସୁଧାର ଘଟିଥାଏ। ଚଳିତ ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡ଼ିଥିବା ବେଳେ ପ୍ରଥମ ଥର ଲାଗି ୮୪ ଟଙ୍କା ସ୍ତରକୁ ଖସିଯାଇଛି। ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ହସ୍ତକ୍ଷେପ କରିଥିବା ଅନୁମାନ କରାଯାଉଛି।