ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ୧୦୦ ବିଲିଅନ୍ ଡଲାର କ୍ଲବ୍‌ରୁ ବିଦାୟ ନେଇଛନ୍ତି। ଏହାର ଅର୍ଥ ହେଉଛି ଉଭୟଙ୍କ ସମ୍ପତ୍ତି ୧୦୦ ବିଲିଅନ୍ ଡଲାରରୁ କମ୍ ହୋଇଛି। ନିଜର ମୂଳ କମ୍ପାନିଗୁଡ଼ିକର ପ୍ରଦର୍ଶନ ପ୍ରଭାବିତ ହେବାରୁ ଏହି ଦୁଇ ଶିଳ୍ପପତିଙ୍କ ସମ୍ପତ୍ତି ହ୍ରାସ ପାଇଛି। ବ୍ଲୁମ୍‌ବର୍ଗ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇରେ ମୁକେଶଙ୍କ ସମ୍ପତ୍ତି ୧୨,୦୮୦ କୋଟି ଡଲାର ଥିଲା। ଡିସେମ୍ବର ୧୩ ସୁଦ୍ଧା ତାହା ୯୬୭୦ କୋଟି ଡଲାରକୁ ହ୍ରାସ ପାଇଛି। ନିବେଶକମାନେ କମ୍ପାନିର ଋଣକୁ ନେଇ ଚିନ୍ତା ପ୍ରକଟ କରିବାରୁ ଷ୍ଟକ୍ ବଜାରରେ ତାହାର ସେୟାର ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ଦ୍ରୁତ ଅଭିବୃଦ୍ଧି ଲାଗି ତାଙ୍କ କମ୍ପାନି ଏବେ ଡିଜିଟାଲ୍, ଅକ୍ଷୟ ଶକ୍ତି ଓ ଖୁଚୁରା ବ୍ୟବସାୟ ଉପରେ ଗୁରୁତ୍ବ ଦେଉଛି।

Advertisment

ଅନ୍ୟ ପକ୍ଷ‌ରେ, ଗୌତମ ଆଦାନୀଙ୍କ ସମ୍ପତ୍ତି ଗତ ଜୁନ୍‌ରେ ଥିଲା ୧୨,୨୩୦ କୋଟି ଡଲାର। ଡିସେମ୍ବର ସୁଦ୍ଧା ତାହା ୮୨୧୦ କୋଟି ଡଲାରକୁ ହ୍ରାସ ପାଇଛି। ତାଙ୍କ ସଂସ୍ଥା ବିରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଙ୍ଗିନ ଅଭିଯୋଗ କରିଥିବା ବେଳେ ଆମେରିକାର ଆଇନ ବିଭାଗ ଲାଞ୍ଚ କାରବାର ଅଭିଯୋଗ ଆଣିଛି। ଯାହା ଫଳରେ ଏହାର ନିବେଶକମାନଙ୍କ ବିଶ୍ବାସ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଆଦାନୀ ଗ୍ରୁପ୍ ଷ୍ଟକ୍ ବଜାରରେ ୮୭,୮୦୫ କୋଟି ଟଙ୍କା ହରାଇଛି। ଏହାର ୧୧ଟି କମ୍ପାନି ଷ୍ଟକ୍ ବଜାରରେ ତାଲିକାଭୁକ୍ତ ରହିଛି। ସେଥିରୁ ଆଦାନୀ ଗ୍ରିନ୍ ଏନର୍ଜି ସର୍ବାଧିକ ବଜାର ପୁଞ୍ଜି ହରାଇଛି। ଚଳିତ ବର୍ଷ ଆଦାନୀ ଗ୍ରୁପ୍‌ର ମୋଟ୍‌ ବଜାର ପୁଞ୍ଜି ପରିମାଣ ୧୩.୩୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ମୋଟ୍‌ ଉପରେ ଗ୍ରୁପ୍‌ର ଛଅଟି କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଛି।

ଯଦିଓ ଭାରତୀୟ ଧନୀଙ୍କ ସମ୍ପତ୍ତି କମ୍ ହେଉଛି, କିନ୍ତୁ ବିଶ୍ବ ମଞ୍ଚରେ ସେମାନଙ୍କ ଆଧିପତ୍ୟ ବଜାୟ ରହିଛି। ବିଶ୍ବର ଅଷ୍ଟମ ବିତ୍ତଶାଳୀ ପରିବାର ଭାବେ ଅମ୍ବାନି ପରିବାର ଉଭା ହୋଇଥିବା ବେଳେ ୨୩ତମ ସ୍ଥାନରେ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ମିସ୍ତ୍ରୀ ପରିବାର ରହିଛି। ୨୦୨୪ରେ ଭାରତର ୨୦ ବଡ଼ ଧନୀଙ୍କ ସମ୍ପତ୍ତିରେ ୬୭୩୦ କୋଟି ଡଲାର ବୃଦ୍ଧି ଘଟିଛି। ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଶିବ ନାଦରଙ୍କ ସମ୍ପତ୍ତି ୧୦୮୦ କୋଟି ଡଲାର ବଢ଼ିଥିବା ବେଳେ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୧୦୧୦ କୋଟି ଡଲାର ବଢ଼ିଛି।