ନୂଆଦିଲ୍ଲୀ: ପାଣିପାଣ ବିଷୟରେ ସତର୍କ ସୂଚନା ଜାରି କରିବା ଲାଗି ଏବେ ମୋବାଇଲ୍ର ଟେକ୍ସଟ୍ ମେସେଜ୍ ବ୍ୟବହାର କରାଯାଉଛି। ଘଡ଼ଘଡ଼ି ସହ ବର୍ଷା କିମ୍ବା ଝଡ଼ ତୋଫାନ ଆଦି ବିଷୟରେ ଲୋକମାନଙ୍କୁ ମେସେଜ୍ ଜରିଆରେ ଆଗୁଆ ସୂଚନା ଦିଆଯାଉଛି। ଆଗାମୀ ଦିନରେ ଟିଭି ଦେଖୁଥିବା କିମ୍ବା ରେଡିଓ ଶୁଣୁଥିବା ବେଳେ ଲୋକମାନେ ଏହି ସତର୍କ ସୂଚନା ପାଇବେ। ଟିଭି ସ୍କ୍ରିନ୍ରେ ସତର୍କ ସୂଚନା ଫ୍ଲାସ୍ ହେବ। ସେହିପରି, ରେଡିଓରେ ବାଜୁଥିବା ଗୀତ ଅଧାରୁ ବନ୍ଦ ହୋଇଯିବ ଓ ପାଣିପାଗ ସମ୍ପର୍କିତ ସୂଚନା ବାଜିବ। ପାଣିପାଗ ବିଷୟରେ ଲୋକମାନଙ୍କୁ ସତର୍କ କରିବା ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସେମାନଙ୍କ ମୋବାଇଲ୍କୁ ମେସେଜ୍ ପଠାଉଛି। ଆଗାମୀ ଦିନରେ ଟିଭି, ରେଡିଓ ଓ ଅନ୍ୟାନ୍ୟ ମାଧ୍ୟମକୁ ଏଥିପାଇଁ ବ୍ୟବହାର କରିବା ଉପରେ କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ସେହିପରି, ସତର୍କ ସୂଚନା ପାଇବା ବେଳେ ଲୋକମାନଙ୍କ ଫୋନ୍ ଯେଭଳି ଭାଇବ୍ରେଟ୍ ହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
ଭାରତ ହେଉଛି କିଛି ହାତଗଣତି ଦେଶ ଭିତରୁ ଅନ୍ୟତମ ଯେଉଁଠାରେ ପାଣିପାଗ ତଥ୍ୟ ସଂଗ୍ରହ ଲାଗି ଏକ ଏକକ ସତର୍କ ବ୍ୟବସ୍ଥା ବିକାଶ କରିଛି। ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଭଳି ବିଭିନ୍ନ ସଂସ୍ଥାଠାରୁ ମିଳୁଥିବା ତଥ୍ୟ ଆଧାରରେ ସତର୍କ ସୂଚନା ଜାରି କରାଯାଉଛି। ଖୁବ୍ଶୀଘ୍ର ଏହି ବ୍ୟବସ୍ଥାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରାଯିବ।