ନୂଆଦିଲ୍ଲୀ : ଓଡ଼ିଆ ସମାଜ, ନୂଆଦିଲ୍ଲୀ ସଂଗଠନ ପକ୍ଷରୁ ‘ଓଡ଼ିଶାର କୃଷି ଓ ଆତ୍ମନିର୍ଭରତା’ ଶୀର୍ଷକକୁ ନେଇ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ୱେବିନାର ଆୟୋଜିତ ହୋଇଯାଇଛି । ୱେବିନାରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଏବଂ ସିଦ୍ଧାର୍ଥ ପ୍ରଧାନ, ଆଇଆର୍‌ଏସ୍ (ଅବସରପ୍ରାପ୍ତ), ସଭାପତି, ଓଡ଼ିଆ ସମାଜ, ନୂଆଦିଲ୍ଲୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଏସ୍ କେ ପଟ୍ଟନାୟକ, ଆଇଏଏସ୍ (ଅବସରପ୍ରାପ୍ତ), ମହାନିର୍ଦ୍ଦେଶକ, ଆଡ୍‌ମିନିଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆ, ଡ ତ୍ରିଲୋଚନ ମହାପାତ୍ର, ସଚିବ ଏବଂ ମହାନିର୍ଦ୍ଦେଶକ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ, ଡ. ସୌରଭ ଗର୍ଗ, ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଓଡ଼ିଶା ସରକାର, ପ୍ରଶାନ୍ତ କୁମାର ସ୍ୱାଇଁ, ଯୁଗ୍ମ ସଚିବ (ବିପଣନ ଏବଂ କୃଷି ବିପଣନ ପରାମର୍ଶଦାତା), କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ, ଭାରତ ସରକାର, ସଞ୍ଜୀବ କୁମାର ଚଢ଼ା, ପ୍ରବନ୍ଧନ ନିର୍ଦ୍ଦେଶକ, ନାଫେଡ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ ।

Advertisment

ସମଗ୍ର ଦେଶରୁ ୫୫୦ ରୁ ଊର୍ଦ୍ଧ୍ୱ କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ, ବିଭିନ୍ନ କୃଷି ଓ କୃଷିଜାତ ଶିଳ୍ପସଂସ୍ଥାର ପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଦସ୍ୟମାନେ ଏହି ୱେବିନାରରେ ଅଂଶଗ୍ରହଣ କରିଥିଲେ। ୱେବିନାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ନୂତନ କୃଷି ଆଇନ ପ୍ରଣୟନ ଦ୍ୱାରା ଏବଂ ଉଦାରୀକରଣ ନୀତି ଯୋଗୁ ଚାଷୀଭାଇମାନେ ଉତ୍ପାଦନ ଠାରୁ ଆରମ୍ଭ କରି ନିଜ ଉତ୍ପାଦକୁ ଗଚ୍ଛିତ କରି ରଖିବାରେ ଏବଂ ବିଶାଳ ବଜାରରେ ନିଜ ଉତ୍ପାଦ ବିକ୍ରୟ କରିବା ନିମନ୍ତେ ଅନେକ ସୁଯୋଗ ପାଇପାରିବେ। ପ୍ରଦୀପ୍ତ ସାହୁ, ବ୍ୟବସାୟିକ ମୁଖ୍ୟ- ସଫଲ ତଥା ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଦସ୍ୟ ଏହି ୱେବିନାରକୁ ସଂଚାଳନ କରିଥିଲେ।