ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରୁ ସୃଷ୍ଟି ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଭାରତକୁ ଆତ୍ମନିର୍ଭର କରିବ ନାହିଁ, ବରଂ ଏହା ବିଶ୍ବ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୁଏତର ଭାରତୀୟ ପ୍ରବାସୀ ପରିଷଦର ଓଡ଼ିଶା ସଂଘ ଦ୍ବାରା ଆୟୋଜିତ ଆତ୍ମନିର୍ଭର ଭାରତ ସମ୍ପର୍କିତ ୱେବିନାରରେ ଭାଗ ନେଇ ସେ ଏହା କହିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ସାରା ବିଶ୍ବ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି। ଏପର୍ଯ୍ୟନ୍ତ ଟିକା ବିକଶିତ ହୋଇନଥିବାରୁ କରୋନାକୁ ରୋକିବା ଲାଗି ମାସ୍କ ଓ ପିପିଇ କିଟ୍ ଜରୁରୀ। ପୂର୍ବରୁ ଦେଶରେ ଏହି ସାମଗ୍ରୀ ଉତ୍ପାନ ହେଉନଥିଲା। ମାତ୍ର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ଏବେ ଦୈନିକ ୨ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରୁଛି। କରୋନା ସମୟରେ ଏହା ୧୫୦ଟି ଦେଶକୁ ଔଷଧ ପଠାଇଛି। ଭାରତର ଉଦ୍ୟମକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି।ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ କେବଳ ଅର୍ଥନୀତିର ପୁନରୁଦ୍ଧାରରେ ସହାୟକ ହେବ ନାହିଁ, ବରଂ ଏହା ଆତ୍ମନିର୍ଭର ଭାରତର ମୂଳଦୁଆ ପକାଇବ। ଏହା ଦେଶର କୃଷି ଭିତ୍ତିଭୂମି, ଏମ୍ଏସ୍ଏମ୍ଇ ଓ ଗରିବ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବ। ଗରିବ କଲ୍ୟାଣ ଯୋଜନା ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଦିଆଯାଇଛି। ଜନ ଧନ ଖାତାରେ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ବିଶ୍ବର ଅନ୍ୟ କୌଣସି ଦେଶରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କୁଏଜର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସାମିଲ ହୋଇ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରଶଂସା କରିଥିଲେ।
ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କିତ ୱେବିନାର : ବିଶ୍ବର ଆଶା ଓ ଆକାଂକ୍ଷା ପୂରଣ କରିବ: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2020/09/dharmendar-copy.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)