ମାଧ୍ୟମିକ ଋଣ ବଜାର ସଂଘର ନୂଆ ୱେବସାଇଟ୍‌, ଲୋଗୋ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ ଓ ଏକ ଟାସ୍କଫୋର୍ସର ସୁପାରିସ ଆଧାରରେ ମାଧ୍ୟମିକ ଋଣ ବଜାର ସଂଘ ଗଠନ କରାଯାଇଛି। ଏହାର ୱେବସ‌ାଇଟ୍‌ ଓ ଲୋଗୋକୁ ରିଜର୍ଭ ବ୍ୟାଙ୍କର ଇଡି ସୌରଭ ସିହ୍ନା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଏମ୍‌ଡି ଆଶ୍ବିନୀ ଭାଟିଆ ଓ ସ୍ବାମିନାଥନ ଏମ୍‌ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଇଡି ବିଶାଖା ମୁଲେ ଉପସ୍ଥିତ ଥିଲେ। ଶ୍ରୀ ସିହ୍ନା ମାଧ୍ୟମିକ ଋଣ ବଜାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଶ୍ରୀ ଭାଟିଆ ମ୍ୟୁଚୁଆଲ୍ ଫଣ୍ଡ୍‌ଗୁଡ଼ିକୁ ମାଧ୍ୟମିକ ଋଣ ବଜାରରେ ନିବେଶ କରିବା ଲାଗି ଆହ୍ବାନ ଦେଇଛନ୍ତି। ସଂଘର ଅଧ୍ୟକ୍ଷ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଏକ ଦୃଢ଼ ଡିଜିଟାଲ୍ ଋଣ ପ୍ଲାଟଫର୍ମ, କାଗଜପତ୍ର କାର୍ଯ୍ୟର ସରଳୀକରଣ ଏବଂ ବିଭିନ୍ନ ଅଂଶୀଦାର ପ୍ରତ୍ୟକ୍ଷ ଭାବେ ସାମିଲ ହେଉଥିବାରୁ ଭାରତର ମାଧ୍ୟମିକ ଋଣ ବଜାର ଆହୁରି ଦୃଢ଼ ହେବ। ମାଧ୍ୟମିକ ବଜାରରେ ଋଣର କିଭଳି ଟ୍ରେଡିଂ ହୋଇପାରିବ ସେଦିଗରେ ସଂଘ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର କାର୍ଯ୍ୟନିର୍ବାହୀ ଅଧିକ‌ାରୀ ସୁନିଲ ମେହ୍‌ତା କହିଛନ୍ତି ଯେ ଆମେ ଋଣ ବଜାରର ବିକାଶ ପାଇଁ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛୁ ଏବଂ ଏହାର ଏକ ବଡ଼ ସଫଳତା ହେଉଛି ମାଧ୍ୟମିକ ଋଣ ବଜାରର ବିକାଶ। ଏହି ଅବସରରେ ସଂଘର ଉପାଧ୍ୟକ୍ଷ ପାର୍ଥ ଦେ’ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର