ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାର କିଛି ସପ୍ତାହ ପରେ ଦକ୍ଷିଣ ପୂର୍ବ ରେଳପଥର ୫ଜଣ ପଦସ୍ଥ ଅଧିକାରୀଙ୍କୁ ବଦଳି କରାଯାଇଛି।

Advertisment

ଗୁରୁବାର ଦିନ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରେଳ ଚଳାଚଳ, ସୁରକ୍ଷା ଏବଂ ‘ସିଗ୍‌ନାଲ୍‌’ ଆଦି ଦାୟିତ୍ବରେ ଥିବା ଅଧିକାରୀମାନେ ଥିଲେ ମଧ୍ୟ ରେଳବାଇ ଏହାକୁ ସ୍ବାଭାବିକ ବଦଳି (ରୁଟିନ୍‌ ଟ୍ରାନ୍‌ସଫର୍‌) ବୋଲି କହିଛି।

ପୃଥକ୍‌ ପୃଥକ୍‌ ବଦଳି ଆଦେଶନାମାରେ ରେଳବାଇ ବୋର୍ଡ ‘ଖଡ଼ଗପୁର ଡିଭିଜ୍‌ନାଲ୍‌ ରେଲ୍‌ୱେ ମ୍ୟାନେଜର୍‌’ (ଡିଆର୍‌ଏମ୍‌) ଶୁଜାତ ହାସ୍‌ମି, ‘ଦକ୍ଷିଣପୂର୍ବ ରେଳପଥ ଜୋନ୍‌’ର ‘ପ୍ରିନ୍‌ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌’ ଏବଂ ‘ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟର୍‌ ପି.ଏମ୍. ସିକ୍‌ଦାର୍‌, ‘ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି  ଅଫିସର୍‌’ ଚନ୍ଦନ ଅଧିକାରୀ, ‘ପ୍ରିନ୍‌ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର୍‌’ ଡି. ବି. କସର୍‌ ଏବଂ ‘ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ୍‌ ମ୍ୟାନେଜର୍‌’ ମହମ୍ମଦ୍‌ ଅୱେସ୍‌ଙ୍କୁ ବଦଳି କରିଥିବା କଥା ‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’ ରିପୋର୍ଟ କରିଛି।

Weeks After Odisha Train Crash, Railways Transfers 5 Top Officers Image Courtesy of NDTV

ଉଲ୍ଲେଖଯୋଗ୍ୟ, ଜୁନ୍‌ ୨ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ନିକଟରେ ଥିବା ରେଳବାଇ ଷ୍ଟେସନ୍‌ ପାଖରେ ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣା ଘଟି ୨୯୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଆହୁରି ୧,୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ‘ଶାଲିମାର୍‌-ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌’, ‘ବେଙ୍ଗାଲୁର୍‌-ହାୱଡ଼ା ସୁପର୍‌ଫାଷ୍ଟ୍‌ ଏକ୍ସ୍‌ପ୍ରେସ୍‌’ ଏବଂ ଏକ ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ଯୋଗୁଁ ଏଭଳି ଭୟଙ୍କର ପରିସ୍ଥିତ ସୃଷ୍ଟି ହୋଇଥିଲା।

ସ୍ବୟଂଚାଳିତ ସିଗ୍‌ନାଲିଙ୍ଗ୍‌ ସିଷ୍ଟମ୍‌ରେ ହସ୍ତକ୍ଷେପ ଏହି ଦୁର୍ଘଟଣାର ମୁଖ୍ୟ କାରଣ ‌ବୋଲି କୁହାଯାଉଛି।